ଟୀକାକରଣ ଅଭିଯାନ ଲାଗି ଟାସ୍କ ଫୋର୍ସ

News-7

କେନ୍ଦୁଝର,୧୭ ।୧୧(ଆପ୍ର): ମିଳିମିଳା ଓ ରୁବେଲା ଟୀକାକରଣ ଅଭିଯାନ କାର୍ଯ୍ୟକ୍ରମରେ ୯ ମାସରୁ ୧୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ଟୀକା ଦେବାର ବ୍ୟବସ୍ଥା କରାଯାଉଛି । ଏହା ଆଗାମୀ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହୋଇ ୫ ସପ୍ତାହ ପର୍ଯ୍ୟନ୍ତ ଚାଲୁ ହେବ ବୋଲି ସ୍ଥିରୀକୃତ ହୋଇଛି । ଶତପ୍ରତିଶତ ଟୀକାକରଣ ଅଭିଯାନର ସଫଳତା ପାଇଁ ଜିଲ୍ଲାପାଳ ସରକାରୀ କର୍ମଚାରୀ, ଲୋକପ୍ରତିନିଧି, ସ୍ୱଚ୍ଛେସେବୀ ସଂଗଠନର କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହଯୋଗ କାମନା କରିଛନ୍ତି । ଜିଲ୍ଲାରେ ମିଳିମିଳା ଓ ରୁବେଲା ଟୀକାକରଣ ଅଭିଯାନ ନିମନ୍ତେ ଚୂଡାନ୍ତ କାର୍ଯ୍ୟ ଖସଡା ପ୍ରସ୍ତୁତି ପାଇଁ ଚଳିତ ନଭେମ୍ବର ୧୭ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଟିୟୁ ହଲ୍ଠାରେ ଅନୁଷ୍ଠିତ ଜିଲ୍ଲା ଟାସ୍କ୍ ଫୋର୍ସ ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଟୀକାକରଣ ଅଭିଯାନ ସମାପ୍ତ କରିବାକୁ ଜିଲ୍ଲାପାଳ ଡଃ ଏନ୍. ତିରୁମାଲା ନାୟକ ନିଦେ୍ର୍ଦଶ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କବୀନ୍ଦ୍ର ପ୍ରସାଦ ସାହୁ ମିଳିମିଳା ଓ ରୁବେଲା ରୋଗର ପ୍ରତିଷେଧକ ବ୍ୟବସ୍ଥା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ କାର୍ଯ୍ୟ ଖସଡା ସଂପର୍କରେ ଅବଗତ କରାଇଥିଲେ । ଏହି ଅଭିଯାନ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ଏଏନ୍ଏମ୍ ସେଣ୍ଟରମାନଙ୍କରେ ଟୀକାକରଣ କରାଯିବ । ଏହି ମିଳିମିଳା ଓ ରୁବେଲା ଟୀକାକରଣ ଅଭିଯାନକୁ ତଦାରଖ କରିବା ପାଇଁ ଜିଲ୍ଲାପାଳ ଡଃ ନାୟକ ବିଭିନ୍ନ ବିଭାଗର ଅଧିକାରୀ ଯଥା ଜିଲ୍ଲା ଶିକ୍ଷା ଅଧିକାରୀ, ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଜିଲ୍ଲା କଲ୍ୟାଣ ଅଧିକାରୀ, ସିଡିପିଓ, ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପଂଚାୟତିରାଜ ବିଭାଗ ତଥା ସମୃକ୍ତ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ଟୀକାକରଣ କାର୍ଯ୍ୟକ୍ରମ ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲୁ ରହିବ ।
ଏସ୍ଏମ୍ଓ (ଡବ୍ଲୁ୍ୟଏଚ୍ଓ) ଡା. ସନ୍ତୋଷ କୁମାର ସାହୁ ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ମିଳିମିଳା ଓ ରୁବେଲା ରୋଗ, ଲକ୍ଷଣ, ପ୍ରତିକାରର ଉପାୟ ବିଷୟରେ ଅବଗତ କରାଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲା ଚିକିତ୍ସା ଅଧିକାରୀ(ପରିବାର କଲ୍ୟାଣ) ଡା. ସୁଧାଂଶୁ ଶେଖର ବଳ, ସହକାରୀ ଜିଲ୍ଲା ଚିକିତ୍ସା ଅଧିକାରୀ(ମେଡିକାଲ୍) ଡା. ବି.ବି. ମିଶ୍ର, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ମହାନ୍ତି, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାଃ ଶ୍ରୁତିକୀର୍ତ୍ତି ମହାନ୍ତି, ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ, ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ମିସ୍ ସୋନାଲି ପ୍ରିୟଦର୍ଶନୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀହରୀ କାଳନ୍ଦୀ, ନେସ୍କୋର ଏସ୍.ଡି.ଓ. ମହେଶ୍ୱର ସେଠୀ, ଆଇଏମ୍ଏ ଓ ଆଇଏପିର ସଭାପତି ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଂପୃକ୍ତ କର୍ମଚାରୀ ଉପସ୍ଥିତ ଥିଲେ ।