ଭୂତକୋଠି ପାଲଟିଛି ଡାକ୍ତରଖାନା

2-Buguda--karchule-medical

ବୁଗୁଡ଼ା (ଆପ୍ର): କରଚୁଲି ଡାକ୍ତରଖାନା ପାଲଟିଛି ଭୂତକୋଠି । ସେଠାରେ ଡାକ୍ତର କିମ୍ବା ଫାର୍ମାସିଷ୍ଟ କେହି ନଥିବା ଯୋଗୁଁ ଚାବିପଡ଼ିଛି । ୧୯୯୭ ମସିହାରେ ଡିସ୍ପେନ୍ସରି ଭାବେ ଏହା ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇଛି । ନିୟମାନୁସାରେ ଡାକ୍ତରଖାନାରେ ଜଣେ ଏମ୍ବିବିଏସ୍ ଡାକ୍ତର ଓ ଜଣେ ଆୟୁଷ ଡାକ୍ତରଙ୍କ ସମେତ ଜଣେ ଫାର୍ମାସିଷ୍ଟ, ଜଣେ ଟେକ୍ନିସିଆନ୍, ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିବା କଥା । ହେଲେ ଡାକ୍ତରଖାନାରେ ପ୍ରାୟ ୧୦ବର୍ଷରୁ ଊଦ୍ଧ୍ୱର୍ ହେବ କେହି ଏମ୍ବିବିଏସ ଡାକ୍ତର ନାହାନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ହୋମିଓପ୍ୟାଥିକ, ଆୟୁଷ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଦ୍ୱାରା ପରିଚାଳିତ ହୋଇଆସୁôଥିଲା । ଦୁଇ ବର୍ଷ ହେଲା କାର୍ଯ୍ୟରତ ଫାର୍ମାସିଷ୍ଟ ଜଣଙ୍କ ଅବସର ଗ୍ରହଣ କରିଥିବାବେଳେ କେବଳ ଜଣେ ହୋମିଓପ୍ୟାଥିକ ଆୟୁଷ ଡାକ୍ତରଙ୍କ ଦ୍ୱାରା ଡାକ୍ତରଖାନା ଚାଲୁଥିଲା । ଏଠାରେ କାର୍ଯ୍ୟରତ ଆୟୁଷ ଡାକ୍ତର ସୁନିତା ମହାରଣାଙ୍କ ପଦୋନ୍ନତି ହେବା ଯୋଗୁଁ ସେ ବଦଳି ହୋଇ ଚାଲିଯାଇଥିଲେ । ପ୍ରାୟ ୩ ସପ୍ତାହ ହେଲା କରଚୂଲି ଡାକ୍ତରଖାନାରେ ଚାବି ପଡ଼ିଥିବା ଦେଖାଯାଇଛି । ଡାକ୍ତରଖାନା ଉପରେ ବ୍ଲକ୍ର କରଚୂଲି, କରସିଙ୍ଗି, ଭଗବାନପୁର, ତାକରଡ଼ା ପଞ୍ଚାୟତ ଏବଂ ଜଗନ୍ନାଥପ୍ରସାଦ ବ୍ଲକ୍ର କୁମ୍ପାପଡ଼ା ଓ ପଞ୍ଚଭୂତି ପଞ୍ଚାୟତ ଏହିଭଳି ୬ଖଣ୍ଡ ପଞ୍ଚାୟତର ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରନ୍ତି । ବର୍ତ୍ତମାନ କେହି ଡାକ୍ତର ନଥିବା ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରୋଗୀମାନେ ଚିକିତ୍ସା ସୁବିଧା ନ ପାଇ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଅସ୍ଥାୟୀ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା ପରେ ଜଣେ ସ୍ଥାୟୀ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ତୁରନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯିବା ନେଇ ଜନସାଧାରଣ ଦାବି କରିଛନ୍ତି ।