୧୫ ଶିଳ୍ପ ପ୍ରକଳ୍ପ ଆରମ୍ଭ

16-11-2017=2

ଭୁବନେଶ୍ୱର, ୧୬ା୧୧(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ୧୫ ପ୍ରକଳ୍ପର ଆରମ୍ଭ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟରେ ୧୧,୬୯୦ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇପାରିଛି । ମୁଖ୍ୟତଃ ସାର, ସିମେଣ୍ଟ, ଖାଦ୍ୟ ପ୍ରକ୍ରିୟାକରଣ, ସୌରଶକ୍ତି, ଜୈବ ପ୍ରଯୁକ୍ତି, ସାମୁଦ୍ରିକ ଉତ୍ପାଦ ଓ ବିଦୁ୍ୟତ୍ କ୍ଷେତ୍ରରେ ଏହି ପୁଞ୍ଜିନିବେଶ କରାଯାଇଛି । ଏହିସବୁ ପ୍ରକଳ୍ପ ଦ୍ୱାରା ୮୮୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଜଣାଯାଇଛି । ଏହି ଅବସରରେ ଚଳିତ ବର୍ଷ ନଭେମ୍ବର ୧୧ରୁ ୧୫ ମଧ୍ୟରେ ଭୁବନେଶ୍ୱରରେ ମେକ୍-ଇନ୍-ଓଡ଼ିଶା କନ୍କ୍ଲେଭ୍-୨୦୧୮ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଭିନ୍ ବିଭାଗର ମିଳିତ ଯୋଗୁଁ ଓଡ଼ିଶା ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଦେଶରେ ପ୍ରଥମ ୩ଟି ରାଜ୍ୟ ମଧ୍ୟରେ ରହିଆସୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ନୂଆ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ଗୋ ସ୍ୱିଫ୍ଟର ଶୁଭାରମ୍ଭ କରିଥିଲେ । ଏହା ଦ୍ୱାରା ଶିଳ୍ପ ସଂସ୍ଥାଗୁଡ଼ିକୁ ସେମାନଙ୍କ ପ୍ରକଳ୍ପଗୁଡ଼ିକର ପୁଞ୍ଜିନିବେଶ ଜନିତ ସମସ୍ତ ଅନୁମୋଦନ ଅନ୍ଲାଇନ୍ ଜରିଆରେ ମିଳିବାର ବ୍ୟବସ୍ଥା ରହିଛି । ଶିଳ୍ପ ସଂସ୍ଥାମାନଙ୍କୁ ଏହିସବୁ ଅନୁମୋଦନ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମିଳିବ । ଏହି ପୋର୍ଟାଲର ଉପଯୁକ୍ତ ବିନିଯୋଗ କରି ଶିଳ୍ପ ସଂସ୍ଥାଗୁଡ଼ିକୁ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭିଜନ-୨୦୨୫ର ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି । ଏହା ଦ୍ୱାରା ରାଜ୍ୟର ଫୋକ୍ସ କ୍ଷେତ୍ରଗୁଡ଼ିକରେ ୨୦୫କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହିତ ୩୦ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ । ୨୦୧୬ରେ ହୋଇଥିବା ମେକ୍-ଇନ୍-ଓଡ଼ିଶା କନ୍କ୍ଲେଭ୍ରେ ଅଭୁତପୂର୍ବ ସଫଳତା ମିଳିଥିଲା ଏବଂ ୧୦୦ରୁ ଅଧିକ କମ୍ପାନୀ ୨ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହାକୁ ବାସ୍ତବ ପୁଞ୍ଜିନିବେଶରେ ପରିଣତ କରିବା ପାଇଁ ସବୁ ବିଭାଗର ଉଦ୍ୟମରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଏହି ବୈଠକରେ ଶିଳ୍ପ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଆଜି ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟିର ୭୫ତମ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।