ଭୂତ ଖାଉଛି ପିଡିଏସ୍ ଚାଉଳ

pds

ଡିଲର୍-ଅଧିକାରୀ ସଲାସୁତୁରା
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ଯେଉଁଭଳି ଭାବେ କୌଣସି ବ୍ୟକ୍ତିବିଶେଷ ଅନାହାର ବା ଅର୍ଦ୍ଧାହାରରେ କାଳାତିପାତ ନକରନ୍ତୁ । ସେଥିପାଇଁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ଗରିବ ଓ ଆର୍ଥିକ ଅନଗ୍ରସର ଲୋକଙ୍କ ନିମନ୍ତେ ଟଙ୍କିକିଆ ଚାଉଳର ବ୍ୟବସ୍ଥା କରାଯାଇଛି । ହେଲେ ଏହି ବ୍ୟବସ୍ଥାର ବ୍ୟାପକ ବାଟମାରଣା ହୋଇଥିବା ଘଟଣା ଅଭିଯୋଗ ହୋଇଛି । ପଞ୍ଚାୟତ ଠାରୁ ଆରମ୍ଭ କରି ପୌରାଞ୍ଚଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଦିଆଯାଉଥିବା ପିଡିଏସ୍ ଚାଉଳ ବଣ୍ଟନରେ ବଡ଼ ଘୋଟାଲା ହୋଇଛି । ମୃତ ବ୍ୟକ୍ତିଙ୍କ ନାମରେ ରାସନ୍କାର୍ଡ ମାଧ୍ୟମରେ ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଚାଉଳ ଆତ୍ମସାତ କରାଯାଇଛି । ଏହି ଅନିୟମିତତାରେ ଜିଲ୍ଲା ଯୋଗାଣ ଅଧିକାରୀ ଓ ଡିଲର୍ଙ୍କ ମଧୁଚନ୍ଦ୍ରିକା ଜାରି ରହିଥିବା ବେଳେ, ଏଥିରୁ ପ୍ରକୃତ ହିତାଧିକାରୀ ବାଦ ପଡ଼ିଛନ୍ତି । ତେବେ ରାଜ୍ୟରେ ୩କୋଟି ୨୩ ଲକ୍ଷ ୮୩ ହଜାର ୩୪୯ ବିପିଏଲ୍ ହିତାଧିକାରୀ ରହିଥିବା ବେଳେ ସେଥିରୁ ୩୯ ହଜାର ୬୦୯ ଜଣ ହିତାଧିକାରୀଙ୍କ ପତ୍ତା ପାଉନି ଯୋଗାଣ ବିଭାଗ । ପିଡିଏସ୍ ଚାଉଳ ବଣ୍ଟନରେ ଗଫଲତି ହୋଇଥିବା ମାନିଛି ଯୋଗାଣ ବିଭାଗ । ସର୍ବସାଧାରଣକୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ ଜନସଂଖ୍ୟାର ୩ କୋଟି ୨୩ ଲକ୍ଷ ୮୩ ହଜାର ୩୪୯ ଜଣ ବ୍ୟକ୍ତିବିଶେଷଙ୍କୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ସାମିଲ କରାଯାଇଛି । ଏମାନଙ୍କ ନାମରେ ରାସନ୍କାର୍ଡ ମଧ୍ୟ ଇସୁ କରିଛନ୍ତି ରାଜ୍ୟ ସରକାର । ହେଲେ ଏମାନଙ୍କ ମଧ୍ୟରୁ ସରକାରୀ ଭାବେ ୩୯ ହଜାର ୬୦୯ ଜଣ ରାସନ୍କାର୍ଡଧାରୀ ଦୀର୍ଘ ଦିନରୁ ଜୀବିତ ନଥିବା ଚାଞ୍ଚଲ୍ୟକର ତଥ୍ୟ ଏବେ ପଦାକୁ ଆସିଛି । କିନ୍ତୁ ଏହି ମୃତ କାର୍ଡଧାରୀଙ୍କ ନାମରେ ଦୀର୍ଘ ମାସ ଧରି ପିଡିଏସ୍ ସାମଗ୍ରୀ ବଣ୍ଟନ ହେଉଥିବା ଦର୍ଶାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସମ୍ପର୍କରେ ବିଭାଗ ଅବଗତ ଥିବା ସତ୍ୱେ ଏହି କେଳେଙ୍କାରୀକୁ ମାସମାସ ଧରି ପ୍ରୋତ୍ସାହିତ କରିଚାଲିଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ବିଭାଗୀୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଅନୁଗୁଳ ଜିଲ୍ଲାରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ୯ ଲକ୍ଷ ୫୯ ହଜାର ୩୧୭ ଜଣ ରାସନ୍କାର୍ଡଧାରୀଙ୍କୁ ପିଡିଏସ୍ ସାମଗ୍ରୀ ବଣ୍ଟନ କରାଯାଉଛି । ସେମାନଙ୍କ ମଧ୍ୟରୁ ୩ ହଜାର ୨ ଜଣ କାର୍ଡଧାରୀଙ୍କର ଦୀର୍ଘ ମାସରୁ ମୃତୁ୍ୟ ଘଟି ସାରିଛି । ସେହିପରି ଝାରସୁଗୁଡ଼ାରେ ୩ ଲକ୍ଷ ୮୬ ହଜାର ୬୮ ଜଣ ହିତାଧିକାରୀଙ୍କ ମଧ୍ୟରୁ ସରକାରୀ ଭାବେ ୯୯୨ ଜଣ ମୃତୁ୍ୟବରଣ କରିଛନ୍ତି । ସେହିଭଳି କଳାହାଣ୍ଡିରେ ୧୩ ଲକ୍ଷ ୨୨ ହଜାର ୩୮୯ ଜଣଙ୍କ ମଧ୍ୟରୁ ୨ ହଜାର ୯୮୧ ଜଣ, ବରଗଡ଼ରେ ୧୧ ଲକ୍ଷ ୬୭ ହଜାର ୯୩୪ ରୁ ୨୫୪୧ ଜଣ, କନ୍ଧମାଳରେ ୬ଲକ୍ଷ ୨୦ ହଜାର ୯୬ ରୁ ୧୨୨୮ ଜଣ, କୋରାପୁଟରେ ୧୧ ଲକ୍ଷ ୮୦ ହଜାର ୬୩୪ ରୁ ୨୩ ଶହ, ସମ୍ବଲପୁରରେ ୭ ଲକ୍ଷ ୬୮ ହଜାର ୫୧୪ ରୁ ୧୪୭୨ ଜଣ, ଦେବଗଡ଼ରେ ୨ ଲକ୍ଷ ୬୦ ହଜାର ୫୭୮ ରୁ ୪୯୯ ଜଣ, ମୟୁରଭଞ୍ଜରେ ୨୧ ଲକ୍ଷ ୫୨ ହଜାର ୭୬ ରୁ ୪ ହଜାର ୬୮ ଜଣ, ଢେଙ୍କାନାଳରେ ୯ ଲକ୍ଷ ୨୭ ହଜାର ୫ ରୁ ୧୭୨୬ ଜଣ, ଖୋର୍ଦ୍ଧାରେ ୧୪ ଲକ୍ଷ ୧୦ ହଜାର ୧୮୦ ରୁ ୧୭୭୯ ଜଣ, ଜଗତସିଂହପୁରରେ ୮ ଲକ୍ଷ ୪୨ ହଜାର ୯୭ ରୁ ୯୯୭ ଜଣ, ଗଜପତିରେ ୪ ଲକ୍ଷ ୮୦ ହଜାର ୫୨୩ ରୁ ୫୪୮ ଜଣ, ଭଦ୍ରକରେ ୧୧ ଲକ୍ଷ ୨୭ ହଜାର ୭୬୭ ରୁ ୧୧୯୦ ଜଣ, ସୁନ୍ଦରଗଡରେ ୧୫ ଲକ୍ଷ ୧୩ ହଜାର ୬୭୨ ରୁ ୧୫୩୫ ଜଣ, ସୋନପୁରରେ ୪ ଲକ୍ଷ ୮୩ ହଜାର ୪୩୧ ରୁ ୪୭୯ ଜଣ, କଟକରେ ୧୭ ଲକ୍ଷ ୯୪ ହଜାର ୯୮୩ ରୁ ୧୭୫୫ ଜଣ, ଗଞ୍ଜାମରେ ୨୪ ଲକ୍ଷ ୮୮ ହଜାର ୭୩୧ ରୁ ୨୪୦୨ ଜଣ, କେନ୍ଦ୍ରାପଡ଼ାରେ ୧୧ ଲକ୍ଷ ୧ ହଜାର ୮୧୭ ରୁ ୯୧୭ ଜଣ, ମାଲକାନଗିରିରେ ୫ ଲକ୍ଷ ୪୬ ହଜାର ୫୨୪ ରୁ ୪୪୬ ଜଣ ଏବଂ ନବରଙ୍ଗପୁରରେ ୧୦ ଲକ୍ଷ ୮୭ ହଜାର ୯୪୨ ହିତାଧିକାରୀଙ୍କ ମଧ୍ୟରୁ ୮୦୫ ଜଣଙ୍କୁ ସରକାରୀ ଭାବେ ମୃତ ଘୋଷଣା କରାଯାଇଛି । ସେହିଭଳି ଯାଜପୁର ଜିଲ୍ଲାରେ ୧୪ ଲକ୍ଷ ୫୧ ହଜାର ୧୯୩ ହିତାଧିକାରୀଙ୍କ ମଧ୍ୟରୁ ୧ ହଜାର ୩୬ ଜଣ ରାସନ୍କାର୍ଡଧାରୀଙ୍କ ମୃତୁ୍ୟ ହୋଇଥିବା ସତ୍ତ୍ୱେ ସେମାନଙ୍କ ନାମରେ ରୀତିମତ ପିଡିଏସ୍ ସାମଗ୍ରୀ ଉଠାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି । ସେହିଭଳି ନୟାଗଡରେ ୭ ଲକ୍ଷ ୨୭ ହଜାର ୧୧୧ ହଜାର ହିତାଧିକାରୀଙ୍କ ମଧ୍ୟରୁ ୫୧୩, କେନ୍ଦୁଝରରେ ୧୫ ଲକ୍ଷ ୧ ହଜାର ୫୨ ମଧ୍ୟରୁ ୧ ହଜାର ୩୧ ଜଣ, ବଲାଙ୍ଗିରରେ ୧୩ ଲକ୍ଷ ୪୨ ହଜାର ୫୭୪ ରୁ ୮୭୦ ଜଣ, ବାଲେଶ୍ୱରରେ ୧୮ ଲକ୍ଷ ୩୭ ହଜାର ୪୪୪ ରୁ ୧ ହଜାର ୧୦୧ ଜଣ, ପୁରୀରେ ୧୨ ଲକ୍ଷ ୧୧ ହଜାର ୩୨୧ ରୁ ୬୮୮ ଜଣ, ନୂଆପଡ଼ାରେ ୫ ଲକ୍ଷ ୧୨ ହଜାର ୫୧ ରୁ ୨୮୯ ଜଣ, ବୌଦ୍ଦରେ ୩ ଲକ୍ଷ ୫୪ ହଜାର ୭୩୯ ରୁ ୧୫୫ ଜଣ ଓ ରାୟଗଡାରେ ୮ ଲକ୍ଷ ୨୩ ହଜାର ୬୭୬ ରୁ ୨୪୫ ଜଣ ହିତାଧିକାରୀ ସରକାରୀ ଭାବେ ମୃତୁ୍ୟବରଣ କରିଥିବା ରେକର୍ଡ କହୁଛି । ହେଲେ ଏହି ଜିଲ୍ଲା ଗୁଡ଼ିକରେ ମୃତୁ୍ୟବରଣ କରିଥିବା ମୋଟ ୩୯ ହଜାର ୬ଶହ ୯ ଜଣଙ୍କ ନାମରେ ରୀତିମତ ପିଡିଏସ୍ ଚାଉଳ ବଣ୍ଟନ କରାଯାଉଥିବା ରେକର୍ଡରେ ଦର୍ଶାଯାଇଛି । ଦିନେ କି ମାସେ ନୁହେଁ ବର୍ଷବର୍ଷ ଧରି ତୃଣମୂଳସ୍ତରରେ ପିଡିଏସ୍ ଚାଉଳର ଏଭଳି ବାଟମାରଣ କରାଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି । ଯେଉଁଥିପାଇଁ ଏବେ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବାଦ ପଡ଼ିଛନ୍ତି ।