News-19-(1)

୯ କୁଖ୍ୟାତ ଡକାୟତ ଗିରଫ

38

କେନ୍ଦୁଝର/କେନ୍ଦୁଝରଗଡ଼, (ଆପ୍ର): ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଝାଡ଼ଖଣ୍ଡ ରାଜ୍ୟକୁ ମିଶାଇ ୨୦ଟି ମାମଲାରେ ଜଡିତ ୯ ଡକାୟତ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଛି । ସଦର ଥାନା ଅନ୍ତର୍ଗତ ଶୁଆକାଟୀ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ମଙ୍ଗଳବାର ଦିନ ଡକାୟତି କରିବାକୁ ଯୋଜନା କରୁଥିବାବେଳେ ପୁଲିସ ଚଢାଉ କରି ଉକ୍ତ ଡକାୟତମାନଙ୍କୁ ଗିରଫ କରିଥିବା ପୁଲିସ ସୂଚନା ଦେଇଛି । ଗିରଫ ଡକାୟତମାନଙ୍କୁ ପଚରାଉଚୁରା ସମୟରେ ସେମାନେ ରାଜ୍ୟ ତଥା ରାଜ୍ୟ ବାହାରର ୨୦ଟି ଡକାୟତି ଓ ହତ୍ୟା ମାମଲାରେ ଜଡିତ ଥିବା ପୋଲିସ ଜାଣି ପାରିଥିଲା । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଶୁଆକାଟୀ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ମଙ୍ଗଳବାର ଦିନ ଡକାୟତି କରିବାକୁ ଏକ ଗ୍ୟାଙ୍ଗ ଯୋଜନା କରୁଥିବା ସଦର ପୋଲିସକୁ ଗୁଇନ୍ଦା ତଥ୍ୟ ମିଳିଥିଲା । ତଥ୍ୟ ଆଧାରରେ ଡଙ୍ଗାପାଣି ଜଙ୍ଗଲରେ ଚଢାଉ କରି ୯ଜଣ ଡକାୟତଙ୍କୁ ଗିରଫ କରିଥିଲା । ଗିରଫ ଡକାୟତମାନେ ହେଲେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ବସନ୍ତପୁରା ଗ୍ରାମର କାଳିଆ ଓରଫ୍ ରାଜୁ ଓରଫ୍ ଜଗବନ୍ଧୁ ପୃଷ୍ଟି(୩୫), ଘସିପୁରା ଥାନା ଅନ୍ତର୍ଗତ ପାଇକଚାତରା ଗ୍ରାମର ତଥା ବର୍ତ୍ତମାନ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଗୌରପାଳ ଗ୍ରାମରେ ରହୁଥିବା ବାମଦେବ ରାଉତ(୫୧), ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜନାର୍ଦ୍ଦନପୁର ପାଟଣା ଗ୍ରାମର ରାଜକିଶୋର ରାଉତ(୪୨), ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ତଳଗାଁର ଦେବା ଓରଫ୍ ରୂପା ଓରଫ୍ ତାଳବରଜ(୨୫), ସେହି ଥାନା ଅନ୍ତର୍ଗତ କୁଚେଇପାଲି ଗ୍ରାମର ପରେଶ ଓରଫ୍ ପାଣ୍ଡିଆ ଓରଫ୍ ପଲାଇ ବିରୁଆ(୨୪), ଝାଡ଼ଖଣ୍ଡ ରାଜ୍ୟ ସିଂହଭୁମ ଜିଲ୍ଲାର କଛାକଳି ଗ୍ରାମର ଅଜୟ ହେମ୍ବ୍ରମ(୨୩), ଝାରଖଣ୍ଡ ରାଜ୍ୟ ଷଢେଇକଳା ଜିଲ୍ଲାର ଉରଙ୍ଗଦା ଗାଁର ମୋଟୁ ଓରଫ୍ ରବି ଗୋଡସରା(୨୭), ଝାରଖଣ୍ଡ ରାଜ୍ୟ ପଶ୍ଚିମସିଂହଭୁମ ଜିଲ୍ଲାର କାକୁଇତାମଙ୍ଗୁରା ଗ୍ରାମର ସୁନାରାମ ଓରଫ୍ ଗାନ୍ଧୀ ସିଂଙ୍କୁ(୨୦) ଓ ଝାରଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୁମ ଜିଲ୍ଲାର ଲାମଜରୀ ଗ୍ରାମର ମିଲୁ ଓରଫ୍ ନୀଲୁ ମିରୁଆ(୨୩) ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏମାନଙ୍କୁ ପଚରାଉଚୁରା ସମୟରେ ଡକାୟତମାନେ କେନ୍ଦୁଝର, ଯାଜପୁର, ଢ଼େଙ୍କାନାଳ, ମୟୁରଭଞ୍ଜ, ଅନୁଗୁଳ ଜିଲ୍ଲା ସମେତ ଝାରଖଣ୍ଡ ରାଜ୍ୟର ବିଭିନ୍ନ ଥାନା ଅଞ୍ଚଳରେ ୨୦ରୁ ଅଧିକ ଡକାୟତି ଓ ହତ୍ୟା ମାମଲାରେ ଜଡିତ ଥିବା ଜଣାପଡିଥିଲା । ଡକାୟକମାନଙ୍କ ନିକଟରୁ ସଦର ପୋଲିସ ଗୋଟିଏ ମେସିନ୍ ଗନ୍ ଓ ମେସିନ୍ ଗନ୍ର ୬ଟି ଗୁଳି, ଗୋଟିଏ ଇଟାଲୀ ନିର୍ମିତ ପିସ୍ତଲ ଓ ୪ଟି ଗୁଳି, ୩ଟି ପିସ୍ତଲ, ୨ଟି ଗୁଳି, ୨ଟି ୫ଶହ ଟଙ୍କିଆ ନୋଟ୍, ସେମାନେ ବ୍ୟବହାର କରୁଥିବା ଅନେକ ମୋବାଇଲ,୨ଟି ଖଣ୍ଡା, ଗୋଟିଏ ରଡ୍, ୨ଟି ହେଲମେଟ, ସେମାନେ ଡକାୟତି ଓ ହତ୍ୟା ସମୟରେ ବ୍ୟବହାର କରିଥିବା ଓଡି୦୪-ସି-୯୭୮୯ ନମ୍ବର ବିଶିଷ୍ଟ ନାଲି ରଙ୍ଗର ଆପାଚେ ମୋଟରସାଇକେଲ, ଜେଏଚ୍୦୯-ଏଜି-୭୯୭୧ ନମ୍ବର ବିଶିଷ୍ଟ ହୋଣ୍ଡା ହରନେଟ୍ ମୋଟର ସାଇକେଲ, ଓଆର୍୦୯-ଏନ୍-୩୧୪୫ ନମ୍ବର ବିଶିଷ୍ଟ କଳା ଓ ନାଲି ରଙ୍ଗ ମିଶ୍ରିତ ହିରୋହଣ୍ଡା ପ୍ୟାସନ ପ୍ରୋ ମୋଟରସାଇକେଲ, ଜେଏଚ୍୦୬-ଏଚ-୩୩୬୩ ନମ୍ବର ବିଶିଷ୍ଟ ନାଲି ଓ କଳା ମିଶ୍ରିତ ଅନ୍ୟ ଏକ ପ୍ୟାସନ ପ୍ରୋ ମୋଟରସାଇକେଲ ଏବଂ ଡକାୟତ ସମୟରେ ବ୍ୟବହାର ହେଉଥିବା ୯ଟି କଳାମୁଖା ଓ ଓ ଡକାୟତି ପରେ ଫେରାର୍ ହେବା ପାଇଁ ଡକାୟତଙ୍କ ସ୍ୱତନ୍ତ୍ର ରୋଡ ମ୍ୟାପ୍କୁ ପୋଲିସ ଜବତ କରିଥିବା ବୁଧବାର ଦିନ ପୂର୍ବାହ୍ନରେ କେନ୍ଦୁଝର ସଦର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଏସ୍ପି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି ।




Powered by odothemes.com