ମା-ମାଟିର ଗୌରବ ବଢ଼ାଅ

14-11-2017=102222

ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉପଦେଶ
ଆରମ୍ଭ ହେଲା ମୋ ସ୍କୁଲ ଅଭିଯାନ
ବ୍ଲକ୍ର ୧ଠ ଜଣଙ୍କୁ ଓଡ଼ିଆ ଭାଷା ବୃତ୍ତି
ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର ଘୋଷଣା
୫ ହଜାର ଲେଖାଏଁ ପାଇବେ ୪ଠ ହଜାର ପିଲା
ପ୍ରଥମ ଥର ସ୍କୁଲରେ ହେଲା ଶପଥ ପାଠ
ଶ୍ରେଷ୍ଠ ସ୍କୁଲ୍କୁ ମିଳିବ ଲକ୍ଷେ ଟଙ୍କା
ଭୁବନେଶ୍ୱର, ୧୪ା୧୧(ବୁ୍ୟରୋ): ପ୍ରତି ପିଲାଙ୍କ ଭିତରେ ବିପୁଳ ସମ୍ଭାବନା ଭରି ରହିଛି । ପ୍ରତିଭା ଓ ସମ୍ଭାବନାର ବିକାଶ ସ୍କୁଲରେ ହୋଇଥାଏ । ପିଲାମାନେ ଦୃଢ଼ ସଂକଳ୍ପର ସହ ଆଗକୁ ବଢିବା ଉଚିତ୍ । ଏଥିସହ ମା’ମାଟିର ଗୌରବକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିବା ଦରକାର ବୋଲି କ୍ୟାପିଟାଲ ହାଇସ୍କୁଲ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର, ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି ପୁରସ୍କାର, ମୋ ସ୍କୁଲ ଅଭିଯାନ ଆରମ୍ଭ କରିଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ସବୁ ପିଲା ସ୍କୁଲ ଆସନ୍ତୁ । ପାଠ ସହ ଖେଳକୁଦ, ନାଚ, ଗୀତ, ସମାଜସେବା ଭଳି ସବୁ କ୍ଷେତ୍ରରେ ଓଡ଼ିଶାର ଗୌରବ ବଢ଼ାନ୍ତୁ । ସେମାନଙ୍କ ମଧ୍ୟରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ପ୍ରତି ଜିଜ୍ଞାସା ଓ ବୈଜ୍ଞାନିକ ମନୋଭାବର ବିକାଶ ଘଟିବା ଦରକାର । ସ୍କୁଲ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ଏକ ସୁଯୋଗ । ପିଲାମାନେ ସବୁବେଳେ ବଡ ସ୍ୱପ୍ନ ଦେଖିବା ସହ ତାକୁ ସାକାର କରିବା ପାଇଁ ଆତ୍ମବିଶ୍ୱାସ ରଖିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ପିଲାମାନଙ୍କୁ ଦାୟିତ୍ୱ ସମ୍ପର୍କରେ ସଚେତନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀ ଭଲ ପାଠ ପଢ଼ି ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଚେଷ୍ଟା ଜାରି ରଖିଲେ ସଫଳ ହେବେ । ଏହା ଭିତରେ ନିଜ ବାପାମା’ଙ୍କ ପ୍ରତି ମଧ୍ୟ ସେମାନଙ୍କ ଦାୟିତ୍ୱ ରହିଛି । ସେ ବିଷୟରେ ସଚେତନ ହୋଇ କାର୍ଯ୍ୟ କରିବା ଉଚିତ୍ । ଏଥିସହ ନିଜ ଗାଁ, ନିଜ ଜନ୍ମମାଟି ପାଇଁ କାର୍ଯ୍ୟକରିବା ଦରକାର । ନିଜ ଜନ୍ମମାଟି ପାଇଁ କିଛି କରିପାରିଲେ, ତାହା ହିଁ ସେମାନଙ୍କ ଜୀବନର ସବୁଠାରୁ ବଡ ସନ୍ତୋଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ, ଶିକ୍ଷା ହିଁ ସଭ୍ୟତାର ବିକାଶକୁ ଆଗକୁ ନେଇଥାଏ । ପିଲାମାନେ ରାଜ୍ୟର ଜନସଂଖ୍ୟାର ମାତ୍ର ୩୦% । କିନ୍ତୁ ସେମାନେ ହେଉଛନ୍ତି ରାଜ୍ୟର ଭବିଷ୍ୟତ । ସେମାନଙ୍କ ଦ୍ୱାରା ହିଁ ଉପରେ ରାଜ୍ୟର ବିକାଶ ଓ ଭବିଷ୍ୟତ ନିର୍ଭର କରେ । ତେଣୁ ସେମାନଙ୍କ ବିକାଶ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ପଞ୍ଚସଖାଙ୍କ ଭାର୍ଗବୀ ଶପଥ ସଂପର୍କରେ ମନେପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନଙ୍କ ଭିତରେ ଓଡ଼ିଆ ସ୍ୱାଭିମାନର ବିକାଶ ପାଇଁ ସବୁ ସ୍କୁଲରେ ପ୍ରଥମ ଥର ପାଇଁ ଶପଥ ପତ୍ର ଆରମ୍ଭ କରାଯାଇଛି । ଏହା ପିଲାମାନଙ୍କୁ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉକ୍ରଳ ଗୌରବ ମଧୁସୂଦନ ଦାସ, ବିଜୁ ପଟ୍ଟାନୟକ ଓ ଜବାହରଲାଲ ନେହେରୁଙ୍କୁ ମନେପକାଇ ପିଲାମାନଙ୍କୁ ସେମାନଙ୍କ ପିଲା ଦିନର କାମ, ସାହାସିକତା ବିଷୟରେ କହିଥିଲେ ।
ଓଡ଼ିଆ ଭାଷା ପ୍ରତି ଆଦର ବୃଦ୍ଧି ପାଇଁ ପ୍ରତି ବ୍ଲକ୍ର ୧୦ଜଣ ପିଲାଙ୍କୁ ୫ହଜାର ଟଙ୍କା ଲେଖାଏଁ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ଦିଆଯିବ । ୧୦ମ ପରୀକ୍ଷାରେ ଭଲ ନମ୍ବର ରଖିଥିବା ପିଲାଙ୍କୁ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି ପୁରସ୍କାର ପ୍ରଦାନ କରାଯିବ । ପ୍ରତି ପିଲାଙ୍କୁ ୫ହଜାର ଟଙ୍କା ଲେଖାଁଏ ସାରା ରାଜ୍ୟରେ ୪୦ହଜାର ପିଲା ଏହି ପୁରସ୍କାର ପାଇବେ । ପ୍ରତି ବ୍ଲକ୍ରେ ୧୦୦ଜଣ, ପ୍ରତି ମୁ୍ୟନିସିପାଲ କର୍ପୋରେସନ୍ରେ ୧୦୦ଜଣ, ପ୍ରତି ମୁ୍ୟନିସିପାଲଟିରେ ୫୦ଜଣ ଏବଂ ଏନ୍ଏସିରେ ୨୦ଜଣ ଛାତ୍ରଛାତ୍ରୀ ଏହି ପୁରସ୍କାର ପାଇବେ । ଦଶମ ପରୀକ୍ଷାରେ ଭଲ ନମ୍ବର ରହିଥିବା ପିଲାମାନଙ୍କ ପିତାମାତାଙ୍କୁ ସମ୍ମାନିତ କରବାସହ ଭଲ ରେଜଲ୍ଟ କରିଥିବା ସ୍କୁଲର ପିଲାମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ପ୍ରତି ବ୍ଲକ୍ର ଶ୍ରେଷ୍ଠ ୩ଟି ସ୍କୁଲକୁ ୧ଲକ୍ଷ ଟଙ୍କା ଲେଖାଁଏ ପୁରସ୍କାର ଦିଆଯିବ ଏବଂ ତାହା ସ୍କୁଲର ଶିକ୍ଷକମାନଙ୍କ ମଧ୍ୟରେ ବଣ୍ଟାଯିବ । ଏହାଛଡା ଯଦି କୌଣସି ବ୍ୟକ୍ତି କୌଣସି ସ୍କୁଲର ବିକାଶ ପାଇଁ କିଛି ଅର୍ଥ ଦାନ କରନ୍ତି, ତେବେ ସରକାର ତା’ର ଦୁଇ ଗୁଣ ଅର୍ଥ ଦାନ କରିବେ । ଏଥିପାଇଁ ୧୦୦କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ ବିଷୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ପ୍ରଥମେ କାରରୁ ଓହ୍ଲାଇବା ପରେ ମୁଖ୍ୟମନ୍ତ୍ରୀ ଏକୁଟିଆ ମଞ୍ଚ ପର୍ଯ୍ୟନ୍ତ ଚାଲିଚାଲି ଆସିଥିଲେ । ପ୍ରଥମ ଧାଡିରେ ମୁଖ୍ୟମନ୍ତ୍ରୀ ୪ଜଣ ଛାତ୍ରଛାତ୍ରୀଙ୍କ ସହ ଏକାଠି ବସି ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଇଣ୍ଡିଆନ ଆଇଡଲ ଜୁନିଅର ଅନନ୍ୟା ଶ୍ରୀତମ ନନ୍ଦ, ସାରେଗାମାପା ଲିଟିଲ ଚାମ୍ପ୍ ସତ୍ୟଜିତ ଜେନା, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ମୋ ଓଡ଼ିଶା ଉପରେ ଏକ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା । ଏଥିସହ ପ୍ରଥମ ଥର ପାଇଁ ସ୍କୁଲରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପାଠପଢ଼ି ଭଲ ମଣିଷ ହେବା, ଦେଶ ଗଢ଼ିବା, ଓଡ଼ିଶାକୁ ଆଗକୁ ନେବା ପାଇଁ ସେମାନେ ଶପଥ ନେଇଛନ୍ତି । ଏହି ଅବସରରେ ରାଜ୍ୟର ୨୧ଟି ସରକାରୀ ସ୍କୁଲ, ଆଦର୍ଶ ବିଦ୍ୟାଳୟର ୪୦୧୫ ଛାତ୍ରଛାତ୍ରୀ ଏହି ସମାରୋହରେ ଅଂଶଗ୍ରହଣ କରିଥିଲେ । ଏଥିସହ ୩୧୩ ଅଭିଭାବକ ଓ ୨୩୭ ଶିକ୍ଷକଶିକ୍ଷୟତ୍ରୀ ଏଥିରେ ସାମିଲ ହୋଇଥିଲେ । ଏହାବ୍ୟତୀତ ମନ୍ତ୍ରୀ, ବିଧାୟକ, ସଚିବ, ଅଫିସର ଯୋଗ ଦେଇଥିଲେ ।
ଶିଶୁ ଦିବସରେ ରାଜ୍ୟସ୍ତରୀୟ ସମାରୋହର ସିଧାପ୍ରସାରଣକୁ ରାଜ୍ୟବାସୀ ଘରେ ବସିଦେଖିଛନ୍ତି । ଦୂରଦର୍ଶନ ସାହାଯ୍ୟରେ ଏବଂ ରେଡିଓ ସାହାଯ୍ୟରେ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା । ଏଥିସହ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକସ୍ତରୀୟ ସ୍କୁଲରେ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଥିଲା । ସ୍କୁଲରେ ଟିଭି ଲଗାଯିବା ସହ ଟିଭି ନଥିବା ସ୍କୁଲରେ ମଧ୍ୟ ଭଡ଼ାରେ ଟିଭି ଆଣାଯାଇଥିଲା । ଛାତ୍ରଛାତ୍ରୀ ସ୍କୁଲରେ ବସି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଶୁଣିଥିଲେ । ଏଥିସହ ସ୍କୁଲରେ ବସି ଶପଥ ନେଇଥିଲେ ।