ଭୁବନେଶ୍ୱର, ୧୪ା୧୧(ବୁ୍ୟରୋ): ଏଣିକି ବ୍ଲକ-ଗ୍ରାଣ୍ଟ ଶିକ୍ଷକମାନେ ଆଉ ଦରମା ସମ୍ପକୀତ ମାମଲା ଦାୟର କରିବା ଲାଗି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ନାହଁ । ଏଭଳି ମାମଲାଗୁଡ଼ିକର ଶୁଣାଣି ଟ୍ରିବୁ୍ୟନାଲ ଭଳି ନିର୍ଦ୍ଦିଷ୍ଟ ଫୋରମରେ ବିଚାର ହେବ । ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକଙ୍କ ଦରମା ମାମଲା ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହାସହ ରାଜ୍ୟ ସରକାର ସତ୍ୟପାଠ ଜରିଆରେ ଦାଖଲ କରିଥିବା ଗ୍ରାଣ୍ଟ-ଇନ୍-ଏଡ୍ ପଲିସି-୨୦୧୭କୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ପ୍ରାୟ ୫ ହଜାର ଶିକ୍ଷକ ଓ ଅଧ୍ୟାପକଙ୍କକ ବେତନ ବୃଦ୍ଧି ଏବଂ ଚାକିରି ନିୟମିତ କରିବା ପାଇଁ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଅପର ପକ୍ଷରେ ବର୍ଦ୍ଧିତ ଦରମା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିସ୍ତୁତ ତଥ୍ୟ ସତ୍ୟପାଠ ଜରଆରେ ଦାଖଲ କରାଯାଇଥିଲା । ଗ୍ରାଣ୍ଟ-ଇନ୍-ଏଡ୍ ପଲିସି-୨୦୧୭ ଅନୁସାରେ ଅକ୍ଟୋବର ମାସଠାରୁ ଉଚ୍ଚଶିକ୍ଷା ବିଭାଗ ଉପରେ ୫୧୪ କୋଟି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପରେ ୪୫୩ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡୁଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ଦାଖଲ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ୍କୋର୍ଟ ଶିକ୍ଷକ ଓ ଅଧ୍ୟାପକମାନଙ୍କ ମାମଲା ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଥିଲେ । ତେବେ ଗ୍ରାଣ୍ଟ-ଇନ୍-ଏଡ୍ ପଲିସି-୨୦୧୭ କୁ ଯେଉଁ ଶିକ୍ଷକ ଓ ଅଧ୍ୟାପକ ଗ୍ରହଣ ନକରିବେ ସେମାନେ ନିର୍ଦ୍ଧିଷ୍ଟ ଫୋରମରେ ମାମଲା ଦାୟର କରିପାରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।