ଦୁଇ ଦିନ ପ୍ରବଳ ବର୍ଷିବ

rain

ଅବପାତ ରୂପ ନେବ ଲଘୁଚାପ – ମାଇକ୍ ଜରିଆରେ ସତର୍କ କରାଗଲା
ଭୁବନେଶ୍ୱର, ୧୪ା୧୧(ବୁ୍ୟରୋ): ଅବପାତ ରୂପ ନେବ ଲଘୁଚାପ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେଉଛି । ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ଏବଂ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳ ଓ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚରେ ରହିଛି । ଏହାର ପ୍ରଭାବରେ ମଙ୍ଗଳବାର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହେବା ସହ ଆସ୍ତାକାଲିଠାରୁ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିଦେ୍ର୍ଦଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ।ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କ ମନରେ ଛନକା ପସିଛି । ବର୍ଷାରେ ଧାନ ଫସଲ ନଷ୍ଟ ହେବାର ବହୁ ଆଶଙ୍କା ରହିଛି । ତେଣୁ ଓୟୁଏଟି ପକ୍ଷରୁ ମାଇକ୍ ମାଧ୍ୟମରେ ବିଭିନ୍ନ ଅଞ୍ଚଳରେ ବୁଲିବୁଲି ପ୍ରଚାର କରୁଥିବା ବେଳେ ଚାଷୀଙ୍କୁ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦିଆଯାଉଛି । ଅନେକ ଜିଲ୍ଲାରେ ଚାଷୀମାନେ ତରବରିଆ ହୋଇ ପାଚିଲା ଧାନ କାଟି ଆଣି ସୁରକ୍ଷିତ ସ୍ଥାନରେ ରଖୁଥିବା ସୂଚନା ମଳିଛି । ଚାଷୀ ଧାନ ଗଛରେ ଲୁଣ ମିଶ୍ରଣ ପାଣି ସିଞ୍ଚନ ପାଇଁ ଓୟୁଏଟି ତରଫରୁ ପରାମର୍ଶ ଜାରି କରାଯାଇଛି । ମଙ୍ଗଳବାର କେରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ପୁରୀ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାର ବହୁ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇଥିବା ସୂଚନା ମିଳିଛି । ତେବେ ସକାଳ ୮.୩୦ରୁ ସନ୍ଧ୍ୟା ୫.୩ ମଧ୍ୟରେ ଗୋପାଳପୁରରେ ୩ ମିଲିମିଟର ବର୍ଷା ହୋଇଥିବା ବେଳେ ପୁରୀରେ ୦.୬ ମିମି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ଓ କଟକରେ ଝିପିଝିପି ବର୍ଷା ଜାରି ରହିଛି । ୧୫ ତାରିଖରେ ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, କେନ୍ଦୁଝର, ଜଗତସିଂହପୁର, ଫୁଲବାଣୀ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ସ୍ଥାନରେ ଭଲ ବର୍ଷା ହେବା ସହ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୬ରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ ଓ ଯାଜପୁୂର ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ହେବ । ୧୭ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ବର୍ଷା ହେବା ସହିତ ୧୮ ତାରିଖ ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବ । ବର୍ଷା ହେବା କାରଣରୁ ଶୀତ ରାତି ସମୟରେ ହ୍ରାସ ପାଇବା ସହ ଦିନ ବେଳା ଶୀତ ଅନୁଭୂତ ହେବ । ସମ୍ପୂର୍ଣ୍ଣ ରୂପେ ବର୍ଷା ଛାଡ଼ିଯିବା ପରେ ପୁଣି ଶୀତ ଲେଉଟିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।