ପୋଲାଭରମ୍ ବିରୋଧରେ ଶୁଣାଣି ପାଇଁ ଏନ୍ଜିଟି ଅରାଜି

Untitled-1

ନୂଆଦିଲ୍ଲୀ, ୧୪ା୧୧: ଜାତୀୟ ପ୍ରକଳ୍ପର ମାନ୍ୟତା ହାସଲ କରିଥିବା ପୋଲାଭରମ୍ ବିରୋଧରେ ଜାତୀୟ ଗ୍ରୀନ୍ ଟ୍ରିବୁ୍ୟନାଲ୍ (ଏନ୍ଜିଟି) ଦାଖଲ ଏକ ପିଟିସନ୍ ଖାରଜ ହୋଇଛି । ତେଲେଙ୍ଗାନାର ଏନ୍ଜିଓ ରିଲା ପକ୍ଷରୁ ପୋଲାଭରମ୍ ନିର୍ମାଣ ବିରୋଧରେ ପିଟିସନ୍ ଦାଖଲ କରାଯାଇଥିଲା । ଏନ୍ଜିଟି ଅଧ୍ୟକ୍ଷ ଜଷ୍ଟିସ୍ ସ୍ୱତନ୍ତ୍ର କୁମାରଙ୍କ ନେତୃତ୍ୱରେ ଜଷ୍ଟିସ୍ ବିକ୍ରମ ସାଜନ ଏବଂ ଜଷ୍ଟିସ୍ ଜେ ରହିମ୍ଙ୍କୁ ନେଇ ଗଠିତ ପ୍ରମୁଖ ଖଣ୍ଡପୀଠ ପିଟିସନର ଶୁଣାଣି ବେଳେ ଦର୍ଶାଇଛନ୍ତି ଯେ ସୁପ୍ରିମ୍ କୋର୍ଟରେ ଓଡିଶା, ଛତିଶଗଡ ଓ ତେଲେଙ୍ଗାନା ପକ୍ଷରୁ ଏ ସଂକ୍ରାନ୍ତରେ ମାମଲା ଦାଏର କରାଯାଇଥିବାବେଳେ ଏହା ବିଚାରାଧୀନ ରହିଛି । ସର୍ବୋଚ୍ଚ ଅଦାଲତଙ୍କ ସମାନ୍ତରଭାବେ ଆଉ ଏକ ମାମଲାର ବିଚାର କରାଯାଇପାରିବନାହିଁ । ମୂଳ ମାମଲା ସୁପ୍ରିମ୍ କୋର୍ଟରେ ବିଚାର ଚାଲିଥିଲାବେଳେ ଏହା ଉପରେ ଅଧିକ ବିଚାରଣା ଅନାବଶ୍ୟକ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି । ଏଥିସହିତ ଆବେଦନକାରୀ (ରିଲା) ଉତ୍ଥାପନ କରିଥିବା ଅଭିଯୋଗଗୁଡିକୁ ଯନôର ସହିତ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି । ମଙ୍ଗଳବାର ଆନ୍ଧ୍ର ସରକାର ପୋଲାଭରମ୍ ପ୍ରକଳ୍ପ ସଂକ୍ରାନ୍ତ ମୂଳ ଆବେଦନ ଏନ୍ଜିଟି ନିକଟରେ ଦାଖଲ କରିଥିଲେ । ଏସବୁ ଆବେଦନ ସୁପ୍ରିମ୍ କୋର୍ଟରେ ବିଚାର ଲାଗି ଗ୍ରହଣ କରାଯାଇଛି ।ସୂଚନା ଥାଉକି, ୯୬୦ ମେଗାୱାଟ୍ ବିଦୁ୍ୟତ୍ ଉତ୍ପାଦନ ଏବଂ ୩ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ପ୍ରଦାନ ଲାଗି ଆନ୍ଧ୍ର ସରକାର ପୋଲାଭରମ୍ ଇନ୍ଦିରାସାଗର ବହୁମୁଖୀ ଜଳସେଚନ୍ ପ୍ରକଳ୍ପ ନିର୍ମାଣ କରୁଛନ୍ତି । ଏଥିପାଇଁ ପ୍ରାୟ ୬୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ପ୍ରକଳ୍ପରେ ଅନୁସୂଚୀତ ଜାତିର ଅଧିକାର ଆଇନ୍କୁ ଉଲ୍ଲଂଘନ କରାଯାଉଛି । ଏହି ପ୍ରକଳ୍ପ ହେଲେ ଆନ୍ଧ୍ର, ଛତିଶଗଡ଼, ଓଡ଼ିଶା ଓ ତେଲେଙ୍ଗାନାର ୬୦୦ ଜନବସତିକୁ ଉଚ୍ଛେଦ କରିବାକୁ ପଡ଼ିବ । ୮ ହଜାର ଏକରର ଜଙ୍ଗଲ ଜମି ଜଳମଗ୍ନ ହେବା ସହ ୫୦୦ ଏକର ବନ୍ୟପ୍ରାଣୀ ଅଭୟାରଣ୍ୟ ଜଳପ୍ଲାବିତ ହେବ । ପ୍ରକଳ୍ପକୁ ମିଳିଥିବା ପରିବେଶ ମଞ୍ଜୁରିକୁ ମଧ୍ୟ ବାତିଲ କରାଯାଇ ୨୦୧୧ ଫେବ୍ରୁଆରୀ ୮ରେ କାମ ବନ୍ଦ ନିଦେ୍ର୍ଦଶ ଦିଆଯାଇଥିଲା । ମାଲକାନଗିରି ଜିଲ୍ଲାର ବ୍ୟାପାକ ଜଙ୍ଗଲ, ଚାଷଜମି ଓ ଜନବସତି ଜଳପ୍ଲାବିତ ହେବା ସମ୍ଭାବନା ଥିବାରୁ ୨୦୧୬ ଅକ୍ଟୋବରରେ ରାଜ୍ୟ ସରକାର ଏହା ବିରୋଧରେ ପିଟିସନ୍ ଦାଖଲ କରିଥିଲେ । ଏଥିରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ୍ର ଧାରା ୯୦କୁ ଚ୍ୟାଲେଞ୍ଜ କରାଯାଇଥିଲା । ତେବେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ୍ ଧାରା ୯୦ ଅନୁଯାୟୀ ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପଳର ମାନ୍ୟତା ମିଳିଥିଲା । ଏହା ପୂର୍ବରୁ ଏ ମାମଲାରେ କର୍ଣ୍ଣାଟକ ଓ ମହାରାଷ୍ଟ୍ରକୁ ମଧ୍ୟ ପକ୍ଷଭୁକ୍ତ କରିବା ଆବେଦନକୁ ଗ୍ରହଣ କରିଥିଲେ କୋର୍ଟ । ପରେ ସୁପ୍ରିମକୋର୍ଟ ଓଡ଼ିଶାର ଆବେଦନ ଗ୍ରହଣ କରି କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ନୋଟିସ୍ ଦେବା ସହ ଜବାବ ତଲବ କରିଥିଲେ । କିନ୍ତୁ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଦୀର୍ଘଦିନ ଧରି ପଡ଼ିରହିଥିଲା । ଆଉ ଏହାର ସୁଯୋଗ ଉଠାଇ ଆନ୍ଧ୍ର ସରକାରଙ୍କ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରୟାସ କରିଥିଲା । ଏଭଳି ସ୍ଥିିତିରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରକଳ୍ପ ବନ୍ଦ ପାଇଁ ନିବେଦନ କରିଥିଲେ । ଓଡ଼ିଶା ପକ୍ଷରୁ କରାଯାଇଥିବା ମାମଲାର ଶୁଣାଣି କରି ଗତ ୭ ତାରିଖରେ ସର୍ବୋଚ୍ଚ ଅଦାଲତ ଦୀର୍ଘ ଦିନ ଧରି ଉତ୍ତର ରଖୁନଥିବାରୁ କେନ୍ଦ୍ର ସରକାରଙ୍କୁ ୨୫ହଜାର ଟଙ୍କା ଜରିମାନା କରିଥିଲେ । ଏଥିସହ ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ରର ଜବାବ ତଲବ କରିଥିଲେ । ସର୍ବୋଚ୍ଚ ଅଦାଲତ ମାମଲାରେ ତେଲେଙ୍ଗାନା ଓ ଛତିଶଗଡ଼କୁ ପକ୍ଷଭୁକ୍ତ କରିଛନ୍ତି ।