ଭଲ ମଣିଷ ହେବାକୁ ଆହ୍ୱାନ

anjali-1

ଅଞ୍ଜଳି ଆନ୍ତର୍ଜାତିକ ଶିଶୁ ମହୋତ୍ସବ ଆରମ୍ଭ
ଭୁବନେଶ୍ୱର,(ବୁ୍ୟରୋ): ‘ସ୍ୱାଭିମାନ’ ପକ୍ଷରୁ ସ୍ଥାନୀୟ ଆଦିବାସୀ ପଡ଼ିଆରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଛି ଅଞ୍ଜଳି ଆନ୍ତର୍ଜାତିକ ଶିଶୁ ମହୋତ୍ସବ । ସନ୍ଧ୍ୟାରେ ଏହି ଉତ୍ସବକୁ ରାଜ୍ୟପାଳ ଡ. ଏସ୍ ସି ଜମିର ଉଦ୍ଘାଟନ କରି ପିଲାମାନଙ୍କୁ ଭଲ ମଣିଷ ହେବାକୁ ଆହ୍ୱାନ ଦେଇଥିବା ବେଳେ ଦିବ୍ୟାଙ୍ଗଙ୍କୁ ସ୍ନେହ, ଶ୍ରଦ୍ଧା ଓ ଆଦର କରିବାକୁ କହିଛନ୍ତି । କାର୍ଯ୍ୟକ୍ରମରେ ଭାରତୀୟ ଡାକ ସେବା, ଓଡ଼ିଶା ଶାଖା ପକ୍ଷରୁ ସ୍ୱତନ୍ତ୍ର କଭର ଏବଂ ସ୍ୱାଭିମାନର କ୍ୟାମ୍ପ୍ ବୁଲେଟିନ୍ ଉନ୍ମୋଚନ ହୋଇଥିଲା । ଏଥିସହିତ ଅଞ୍ଜଳି ସ୍କଲାର ଅଜିତ୍ କୁମାର ସାହୁ, ଉଷା ଭେଙ୍କେଟରମଣ, ସପିଏମ୍ଜି ଡ. ସନ୍ତୋଷ କୁମାର କାମିଲା, ଡା. ତାପସ କୁମାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୀନାକ୍ଷୀ ମିଶ୍ରଙ୍କୁ ଅଞ୍ଜଳି ସାହସିକତା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଭାରେ ଭାରତୀୟ ବିଦ୍ୟାଭବନ, ଭୁବନେଶ୍ୱରର ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର ପିଲାମାନଙ୍କ ଉଦେ୍ଦଶ୍ୟରେ ଉଦ୍ବୋଧନ ଦେଇଥିଲେ । ପ୍ରାରମ୍ଭରେ ଅଭିନେତା ସବ୍ୟସାଚୀ ଓ ସମାଜସେବୀ ମଧୁସୁଦନ ଦାସ ପିଲାଙ୍କ ଗହଣରେ ରହି ସେମାନଙ୍କ ସହ ନାଚଗୀତ, ଫଟୋ ଉଠାଇଥିଲେ । ସଭାରେ ସ୍ୱାଭିମାନର ମୁଖ୍ୟନିର୍ବାହୀ ଡ. ଶ୍ରୁତି ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ଅଷ୍ଟ୍ରେଲିଆରୁ ଆସିଥିବା ମିଷ୍ଟର୍ ସୁଇ ଉପସ୍ଥିତ ଥିଲେ । ମିଷ୍ଟର୍ ଏବଂ ମିସେସ୍ ସୁଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ଉପଦେଷ୍ଟା ସଦସ୍ୟ ଅଜୟ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ସଭାଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ସୁଲଗ୍ନା । ଅପରାହ୍ନରେ ଏକ ବିଶାଳ ପଟୁଆର ମାଷ୍ଟରକ୍ୟାଣ୍ଟିନରୁ ବାହାରି ଆଦିବାସୀ ପଡ଼ିଆ ପର୍ଯ୍ୟନ୍ତ ଆସିଥିଲା ।ଏହି ୫ଦିନିଆ ମହୋତ୍ସବରେ ଚଳିତବର୍ଷ ପ୍ରଥମ ଥର ଭାବେ “ଆବର୍ଜନାରୁ ସର୍ଜନା’ ବାବଦରେ ସଚେତନ କରିବାର ଉଦେ୍ଦଶ୍ୟ ରଖି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ସାଥୀଙ୍କ ଦ୍ୱାରା ବାଲୁକା କଳାରେ “ଗୋ ଗ୍ରୀନ୍’ ଲେଖାଥିବା ବାଲୁକା କଳାକୃତି ପ୍ରଦର୍ଶିତ ହେଉଛି । ସେହିପରି ଏବର୍ଷର ଥିମ୍ “ସୁପର ହିରୋଜ୍’କୁ ନେଇ ପୂରା ପରିବେଶକୁ ସୁସଜ୍ଜିତ କରାଯାଇଛି । ରାଜ୍ୟ ଓ ରାଜ୍ୟ ବାହାରର ୬୯୦୦ ଛାତ୍ରଛାତ୍ରୀ ଏଠାରେ ଏକତ୍ରିତ ହୋଇଛନ୍ତି । କ୍ଲିନ୍ ଇ-ଭୁବନେଶ୍ୱର ଅଧିନରେ ଏକ ଇ-ସ୍ଥାପତ୍ୟ କଳା ପ୍ରସ୍ତୁତ କରାଯାଇଛି ।