ଶତାଧିକ ଶିଶୁ କୁପୋଷଣର ଶିକାର

Kotagada-Bhinya-Khema-Sishu-with-CDMO

କୋଟଗଡ଼ରେ
ନଗଡ଼ା ପରିସ୍ଥିତି
ଫୁଲବାଣୀ,(ବୁ୍ୟରୋ): ଜିଲ୍ଲା ଉପାନ୍ତ କୋଟଗଡ଼ ଅଞ୍ଚଳରେ ଦେଖାଦେଇଛି ନଗଡ଼ା ପରିସ୍ଥିତି । ଶତାଧିକ ଶିଶୁ ହୋଇଛନ୍ତି କୁପୋଷଣର ଶିକାର । କିନ୍ତୁ ପ୍ରଶାସନର ଏଥିପ୍ରତି ନିଘା ନାହିଁ । ନା ଆଶା କର୍ମଚାରୀ ନା ଅଙ୍ଗନୱାଡ଼ି କାହାରି ନଜର ନାହିଁ ଏହି କୁପୋଷଣରେ ପୀଡ଼ିତ ଶିଶୁମାନଙ୍କ ପ୍ରତି । ସରକାରୀ ଯୋଜନା ନାମକୁ ମାତ୍ର ରହିଥିବା ବେଳେ ଏହି ଉପାନ୍ତବାସୀଙ୍କ ପାଇଁ ସତେ ଯେମିତି ସାତସପନ । କୋଟଗଡ଼ ବ୍ଲକ ଅନ୍ତର୍ଗତ ଓରା ପଞ୍ଚାୟତର ଦାଡୁମାହା ଗ୍ରାମର ତ୍ରିଲୋଚନ ପାଟମାଝିର ଝିଅ ଏଷ୍ଟୋରି ପାଟମାଝିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ସମାନ ପରିସ୍ଥିତି । କୁପୋଷଣର ଶିକାର ହୋଇ ଦୀର୍ଘ ବର୍ଷ ଧରି ବିନା ଚିକିତ୍ସାରେ ଗ୍ରାମରେ ପଡ଼ିରହିଥିଲେ ଏଷ୍ଟୋରି । ଗ୍ରାମର ଦୁଇ ଯୁବନେତା ଚନ୍ଦ୍ରଶେଖର ବଡ଼ସେଠ ଓ ଅନ୍ୟଜଣେ ଯୁବକଙ୍କ ସାହାଯ୍ୟରେ ଫୁଲବାଣୀ ଚିକତ୍ସାଳୟକୁ ଚିକିିତ୍ସା ନିମନ୍ତେ ଅଣାଯାଇଥିଲା ତାଙ୍କୁ, କିନ୍ତୁ ଅବସ୍ଥା ଶୋଚନୀୟ ଥିବା ଦର୍ଶାଇ ବ୍ରହ୍ମପୁରକୁ ରେଫର କରାଯାଇଛି । ଜିଲ୍ଲାପାଳ ଡ଼ା. ବୃନ୍ଦା ଡ଼ିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ରେଡ଼କ୍ରସ ପାଣ୍ଠିରୁ ମିଳିଛି ୧୦ହଜାର ଟଙ୍କାର ସହାୟତା ରାଶି । ୧୦ ହଜାରରେ ଚିକିତ୍ସା ସମୁଦ୍ରକୁ ଶଙ୍ଖେ ହୋଇଥିବା ବେଳେ ମୂଳରୁ ନ ଥିବା ଅପେକ୍ଷା ଏଇ କିଛି ସାହାଯ୍ୟ ଏଷ୍ଟୋରିଙ୍କ ପାଇଁ ବହୁତ ବୋଲି କହିବା ବେଳେ କାନ୍ଦି ପକାଇଛନ୍ତି ବାପା ତ୍ରିଲୋଚନ । ତେବେ କେବଳ ଏଷ୍ଟୋରୀ ନୁହେଁ ତାଙ୍କ ଭଳି ଅନେକ ଶିଶୁକୁପୋଷଣର ଶିକାର ହୋଇଛନ୍ତି ଗୁଗୁରୁମାହା, ଓରା, ଶ୍ରୀରାମପୁର, ଯୁବାଗୁଡ଼ା, ସୁବର୍ଣ୍ଣଗିରି ପଞ୍ଚାୟତର । ସରକାରୀ ରିପୋର୍ଟ ଅନୁସାରେ, ଶିଶୁ ମୃତୁ୍ୟହାର ପାଇଁ ମୁଖ୍ୟତଃ ପୁଷ୍ଟିହୀନତା ତଥା କମ୍ ଓଜନର ଶିଶୁ ଜନ୍ମ ଦାୟୀ ହୋଇଥିବା ବେଳେ ଗର୍ଭବତୀ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ନମିଳିବା ମଧ୍ୟ ଏହାର ଏକ କାରଣ । ରାଜ୍ୟରେ ଶିଶୁ ଓ ମାତୃ ମୃତୁ୍ୟହାର ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହାର ସୁଫଳ ଗରିବ ଜନସାଧାରଣ ପାଇପାରୁନାହାନ୍ତି । ଏଥିପାଇଁ ସରକାର ଜିଲ୍ଲା ସଦରମହକୁମାଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ବିଭିନ୍ନ କର୍ମଚାରୀ ନିଯୁକ୍ତି କରିଥିଲେ ମଧ୍ୟ ଫଳ କିନ୍ତୁ ଶୂନ । ପ୍ରାଥମିକସ୍ତରରୁ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ଏ.ଏନ୍.ଏମ୍.ମାନଙ୍କୁ ନିଯୁକ୍ତି ଦେବା ସହ ଗାଁ କଲ୍ୟାଣ ସମିତି ମାନ ଗଠନ କରି ରାଜକୋଷର କୋଟି କୋଟି ଟଙ୍କା ଡିଏସ୍ଡବ୍ଲୁଓଙ୍କ ଜରିଆରେ ଖର୍ଚ୍ଚ ହେଉଛି । ଏହି ପ୍ରକ୍ରିୟାକୁ ସୁଚାରୁରୂପେ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରତ୍ୟେକ ବ୍ଳକ୍ରେ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ତଥା ଲେଡ଼ି ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯାଇଛି । ଗ୍ରାମାଞ୍ଚଳରେ ପୁଷ୍ଟିକର ଖାଦ୍ୟ ମିଳୁନଥିବା ଲକ୍ଷ୍ୟ କରି ସରକାର ସମସ୍ତ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ, ନିଉଟି୍ରସନ୍, ଛତୁଆ, ଗରମ ରନ୍ଧା ଖାଦ୍ୟ ଯୋଗାଇବା ସହ ପ୍ରତ୍ୟେକ ବୁଧବାର ଓ ଶନିବାର ଦିନ ସପ୍ତାହକୁ ଦୁଇଟି ଅଣ୍ଡା ପ୍ରଦାନ କରାଯାଉଛି । କିନ୍ତୁ ବାସ୍ତବ ଚିତ୍ର କିନ୍ତୁ ଅଲଗା । ଡିଏସ୍ଡବ୍ଲୁଓ କାର୍ଯ୍ୟାଳୟରୁ ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ହିତାଧିକାରୀମାନଙ୍କୁ ଦିଆଯାଉଥିବା ଏହି ସମସ୍ତ ସୁବିଧା ଅଧାରୁ ଅଧିକ ବାଟମାରଣା ହୋଇଯାଉଥିବା ଅଭିଯୋଗ ହୋଇଛି । ଫଳରେ କୁପୋଷଣ ଯୋଗୁଁ ଜିଲ୍ଲାର ୬୦ ଶତକଡ଼ା ଶିଶୁ ଜନ୍ମରୁ ହିଁ କମ୍ ଓଜନ ବିଶିଷ୍ଟ ହୋଇଥା’ନ୍ତି । ଯାହା ଶିଶୁ ମୃତୁ୍ୟର ପ୍ରମୁଖ କାରଣ ବୋଲି କୁହାଯାଉଛି । ଗତ ୨୦୧୩ ମସିହାରେ ଏଥିପାଇଁ ସରକାରୀ ସ୍ତରରେ ଏକ ସର୍ଭେ ହୋଇଥିବା ବେଳେ ରିପୋର୍ଟ ଅନୁଯାୟୀ ୦-୧ ମାସ ମଧ୍ୟର ଅଧିକାଂଶ ଶିଶୁ ମୃତୁ୍ୟର କାରଣ କୁପୋଷଣ ବୋଲି ଦର୍ଶାଯାଇଛି । ସେହିପରି ଗତ ଅଗଷ୍ଟ ମାସର ରିପୋର୍ଟ ଅନୁଯାୟୀ ୪୦ଜଣ ଶିଶୁ ମୃତୁ୍ୟବରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬ ପୁଅ ଓ ୧୪ ଝିଅ ଥିବା ବେଳେ ୩୨ ଜଣ ଆଦିବାସୀ, ୫ ଜଣ ପଛୁଆବର୍ଗ ଓ ୩ଜଣ ହରିଜନ ଥିବା ଜଣାପଡ଼ିଛି । ୪୦ରୁ ୨୫ଜଣ ଶିଶୁ ଜନ୍ମବେଳେ ୨.୫ କେଜିରୁ କମ୍ ଓଜନର ଥିବା ଜଣାପଡ଼ିଛି । ଅଧିକାଂଶ ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ନଥିବା, ମହିଳା ସୁପରଭାଇଜରମାନଙ୍କ ଦ୍ୱାରା ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକୁ ପରିଦର୍ଶନ କରାଯାଉନଥିବା, ସୁଷମ ଖାଦ୍ୟ ବଣ୍ଟନରେ ଅନିୟମିତତା, ଅର୍ଦ୍ଧାଧିକ ଅର୍ଥ ବାଟମାରଣା କରାଯାଉଥିବା ଓ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଏହାର ଅନ୍ୟତମ କାରଣ ବୋଲି କୁହାଯାଉଛି । ତେବେ ଏହାର ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ପଦାକୁ ଆସିବା ସହ ଜିଲ୍ଲାରେ ଶିଶୁ ମୃତୁ୍ୟହାର ରୋକାଯାଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି ।