ବିରଳ ସାନ୍ନିଧ୍ୟ

CAPITAL-HIGH-SCHOOL--GROUND-RE-RAJYA-STARIYA-SISU-DIBASA-ABASARA-RE-MUKHYAMANTRI-NAVEEN-PATNAIK-(55)

˜ ପାରମ୍ପରିକ ନୃତ୍ୟରେ ଓଡ଼ିଶାର ଝଲକ୍
ଶିଶୁ ଦିବସରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ଝଲକ୍ ଦେଖିବାକୁ ମିଳିଥିଲା । ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନୃତ୍ୟ ସଂଯୋଜନାରେ ଓଡ଼ିଶୀ, ସମ୍ବଲପୁରୀ ଓ ଗୋଟିପୁଅ ନୃତ୍ୟର ସମିଶ୍ରଣରେ ନବ ଉକ୍ରଳ ଗୀତରେ କଳାକାରମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ । ନୃତ୍ୟରେ ଓଡ଼ିଶାର ଝଲକ୍ ସମ୍ପୂର୍ଣ୍ଣ ବାରି ହୋଇପଡ଼ୁଥିଲା । ନୃତ୍ୟଶିଳ୍ପୀମାନେ ପ୍ରଗତିଶୀଳ ଓଡ଼ିଶାର ଚିତ୍ରକୁ ନୃତ୍ୟ ମାଧ୍ୟମରେ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ ।
˜ ମନ ଜିଣିଲେ ସତ୍ୟଜିତ୍ ଓ ଅନନ୍ୟା
ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ଦୁଇ ଶିଶୁ କଳାକାର । ଇଣ୍ଡିଆଲ ଆଇଡଲ୍ ଜୁନିୟର ବିଜେତା ଅନନ୍ୟା ଶ୍ରୀତମ୍ ନନ୍ଦ ଓ ସାରେଗାମାପା ଲିଟିଲ ଚାମ୍ପ୍ ଫେମ୍ ସତ୍ୟଜିତ୍ ଜେନା ନିଜର ସୁଲଳିତ କଣ୍ଠରେ ଉପସ୍ଥିତ ସମସ୍ତଙ୍କ ମନଜିଣିଥିଲେ । ପ୍ରଥମେ ଅନନ୍ୟା ‘ଶେଷ ଶ୍ରାବଣ’ ଚଳଚ୍ଚିତ୍ରର ସେହି ଚିର ସବୁଜ ଗୀତ ‘ମାଝୀରେ..’ ପରିବେଷଣ କରି ଶ୍ରୋତାଙ୍କୁ ବାନ୍ଧି ଦେଇଥିଲେ । ପରେ ପରେ ଦେଶଭକ୍ତି ଉପରେ ଆଧାରିତ ‘ଦିଲ୍ ଦିୟା ହେ, ଜାନ୍ ଭି ଦେଙ୍ଗେ..’ ଗୀତ ଗାଇ ସତ୍ୟଜିତ୍ ବୀର ଯବାନ ବଳିଦାନକୁ ମନେପକାଇଥିଲେ । ତେବେ ‘ଓଡ଼ିଶା.. ମୋ ଓଡ଼ିଶା..’ ଗୀତରେ ଶ୍ରୋତା ଝୁମିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନନ୍ୟା ଓ ସତ୍ୟଜିତ୍ ମିଶି ଏହା ପରିବେଷଣ କରିଥିଲେ ।
˜ ପ୍ରିନ୍ସ୍ ଡ୍ୟାନ୍ସ ଗ୍ରୁପ୍ର ଜଲୱା
ପୁଣି ଥରେ ମଞ୍ଚରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ଜଲ୍ୱା ଦେଖିବାକୁ ମିଳିଛି । ‘ହମ୍ ହୋଙ୍ଗେ କାମୟାବ୍..’ ଗୀତରେ ଦର୍ଶକଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲେ କଳାକାର । ନୃତ୍ୟରେ ନୃତ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମନୋବଳ ବୃଦ୍ଧି ପାଇଁ ବାର୍ତ୍ତା ଦେଇଥିଲେ । ଏଥିସହ ଜୟ ହୋ ଗୀତରେ ମଧ୍ୟ ନୃତ୍ୟ ପରିବେଷଣ କରି ଡ୍ୟାନ୍ସ ଗ୍ରୁପ୍ର କଳାକାରମାନେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀମାନେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
˜ ଛାତ୍ରଛାତ୍ରୀଙ୍କ ହାତରେ ବ୍ୟାଣ୍ଡ
ରାଜ୍ୟସ୍ତରୀୟ ଶିଶୁ ଦିବସରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଏକ କିଟ୍ ବ୍ୟାଗ୍ ପ୍ରଦାନ କରାଯାଇଥିଲା । ବ୍ୟାଗ୍ରେ ଟୋପି, ବ୍ୟାଜ୍ ଓ ବ୍ୟାଣ୍ଡ ଥିଲା । ଏସବୁଥିରେ ଚଳିତ ଶିଶୁ ଦିବସର ଥିମ୍ ‘ଆମେ ପଢ଼ିବୁ, ଗଢ଼ିବୁ, ଶ୍ରେଷ୍ଠ ହେବୁ’ ଲେଖା ସହ ଲୋଗୋ ମଧ୍ୟ ଥିଲା । ଛାତ୍ରଛାତ୍ରୀ ମୁଣ୍ଡରେ ଟୋପି, ସାର୍ଟରେ ବ୍ୟାଜ୍ ଓ ହାତରେ ବ୍ୟାଣ୍ଡ ଲଗାଇ ସଭାସ୍ଥଳରେ ପହଁଞ୍ଚିଥିଲେ ।
˜ ପିଲାଙ୍କ ଗହଣରେ ବସିଲେ ନବୀନ
ପ୍ରଥମ ଥର ପାଇଁ ପ୍ରୋଟୋକଲ ଭାଙ୍ଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାଙ୍କ ଗହଣରେ ବସିଥିଲେ । ସୁରକ୍ଷା କର୍ମୀଙ୍କ ବଳୟରୁ ବାହାରି ମୁଖ୍ୟମନ୍ତ୍ରୀ ପିଲାଙ୍କ ସହ ମିଶିଥିଲେ । ମନ ଖୋଲି କଥା ହୋଇଥିଲେ । ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଆଉ ଭଲ ପାଠ ପଢ଼ିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ଏପଟେ ପ୍ରଥମ ଥର ପାଇଁ ନିଜ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଛାତ୍ରଛାତ୍ରୀ ମଧ୍ୟ ବେଶ୍ ଉତ୍ସାହିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇପଦ କଥା ହୋଇ ନିଜର ମନର ଖୁସିକୁ ବଖାଣିଥିଲେ ।
˜ ଶପଥ ନେଲେ ଛାତ୍ରଛାତ୍ରୀ
ଶିଶୁ ଦିବସ ଅବସରରେ ପ୍ରଥମ ଥର ପାଇଁ ସ୍କୁଲରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ଶପଥ ଗ୍ରହଣ କରିଛନ୍ତି । ପାଠପଢ଼ି ଭଲ ମଣିଷ ହେବା, ଦେଶ ଗଢ଼ିବା, ଓଡ଼ିଶାକୁ ଆଗକୁ ନେବା ପାଇଁ ସେମାନେ ଶପଥ ନେଇଛନ୍ତି । ‘ପଢ଼ିବୁ, ଗଢ଼ିବୁ, ଶ୍ରେଷ୍ଠ ହେବୁ’ ଶପଥର ଟ୍ୟାଗ୍ ଲାଇନ୍ ଥିଲା । କ୍ୟାପିଟାଲ ହାଇସ୍କୁଲର ଦୁଇ ଛାତ୍ରଛାତ୍ରୀ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ ।
˜ ଷ୍ଟେଜ୍ରେ ଫଟୋ ସେସନ୍
ସମାରୋହ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ପରେ ମୋ ସ୍କୁଲ ଯୋଜନା ଲୋକାର୍ପିତ ହୋଇଥିଲା । ଏହି ଯୋଜନା ପ୍ରସ୍ତୁତ ପଛରେ ଥିବା ପୁରା ଟିମ୍ ସହ ମୁଖ୍ୟମନ୍ତ୍ରୀ ଫଟୋ ଉଠାଇଥିଲେ ।
˜ ରାଜ୍ୟବାସୀ ଦେଖିଲେ ସିଧାପ୍ରସାରଣ
ଶିଶୁ ଦିବସରେ ରାଜ୍ୟସ୍ତରୀୟ ସମାରୋହର ସିଧାପ୍ରସାରଣକୁ ରାଜ୍ୟବାସୀ ଘରେ ବସିଦେଖିଛନ୍ତି । ଦୂରଦର୍ଶନ ସାହାଯ୍ୟରେ ଏବଂ ରେଡିଓ ସାହାଯ୍ୟରେ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା । ଏଥିସହ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକସ୍ତରୀୟ ସ୍କୁଲରେ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଥିଲା । ସ୍କୁଲରେ ଟିଭି ଲଗାଯିବା ସହ ଟିଭି ନଥିବା ସ୍କୁଲରେ ମଧ୍ୟ ଭଡ଼ାରେ ଟିଭି ଆଣାଯାଇଥିଲା । ଛାତ୍ରଛାତ୍ରୀ ସ୍କୁଲରେ ବସି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଶୁଣିଥିଲେ । ଏଥିସହ ସ୍କୁଲରେ ବସି ଶପଥ ନେଇଥିଲେ ।