ଓଡ଼ିଶା ବି ପାଇବ ଜିଆଇ ମାନ୍ୟତା: ଶଶିଭୂଷଣ

rasgolla

ଭୁବନେଶ୍ୱର (ବୁ୍ୟରୋ): ଦୁଇ ବର୍ଷ ଧରି ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ରସଗୋଲାର ଉତ୍ପତ୍ତିକୁ ନେଇ ବିବାଦ ଜାରି ରହିଥିବା ବେଳେ ମଙ୍ଗଳବାର ବାଂଲା ରସଗୋଲାକୁ ମିଳିଛି ପଶ୍ଚିମବଙ୍ଗ ଜିଆଇ (ଜୋଗ୍ରାଫିକାଲ ଇଣ୍ଡିକେସନ ଟ୍ୟାଗ୍) ମାନ୍ୟତା । ରସଗୋଲାର ପ୍ରଥମେ ପଶ୍ଚିମବଙ୍ଗରେ ଉତ୍ପତ୍ତି ହୋଇଥିବା ନେଇ ପଶ୍ଚିମବଙ୍ଗ ସରକାର ଜିଆଇ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ । ତେବେ ଏହି ଦୌଡରେ ଓଡିଶା ସରକାର ପଛରେ ପଡିଯାଇଥିବା ବେଳେ ମଙ୍ଗଳବାର ପଶ୍ଚିମବଙ୍ଗକୁ ଜିଆଇିର ମାନ୍ୟତା ମିଳିଛି । ତେବେ ରସଗୋଲା ଓଡିଶାରୁ ଉତ୍ପତ୍ତି ହୋଇଥିବା ବେଳେ ଏହାର ସଂସ୍କୃତି ଓ ପରମ୍ପରା ସହ ଜଡିତ ହୋଇ ରହିଛି । ତେଣୁ କୌଣସି ପରିସ୍ଥିତିରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଲାଗି ସରକାର ବଦ୍ଧପରିକର । ଏହାକୁ ଅକ୍ଷୁଣ୍ଣ ରଖିବା ଲାଗି ରାଜ୍ୟ ସରକାର ପୁଣି ଜିଆଇ ସଂସ୍ଥାନରେ ରସଗୋଲା ସମ୍ପର୍କିତ ତଥ୍ୟ ଆବେଦନ କରିବେ ଏବଂ ଓଡିଶାକୁ ମଧ୍ୟ ଖୁବଶୀଘ୍ର ଜିଆଇର ମାନ୍ୟତା ମିଳିବ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁସାରେ ଓଡିଶା ରସଗୋଲାର ଜିଆଇ ରେଜିଷ୍ଟ୍ରେସନ ପାଇଁ ଯଥାଶୀଘ୍ର ଦାବି ଉପସ୍ଥାପନ କରାଯିବ । ଓଡିଶାରେ ଉତ୍ପତ୍ତି ଲାଭ କରିଥିବା ରସଗୋଲା ଦ୍ୱାଦଶ ଶତାବ୍ଦୀରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଧର୍ମୀୟ ରୀତି ଅନୁଯାୟୀ ଅର୍ପଣ କରାଯାଇଆସୁଅଛି । ବାଂଲାର ରସୋଗୁଲ୍ଲାକୁ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଦରଖାସ୍ତକୁ ବିଚାରକୁ ନେଇ ଜିଆଇ ରେଜିଷ୍ଟ୍ରେସନ ପ୍ରଦାନ କରାଯାଇଥିବା ସମ୍ପର୍କରେ ଖବର ରାଜ୍ୟ ସରକାରଙ୍କ ନଜରକୁ ଆସିଛି । ଏହି ରେଜିଷ୍ଟ୍ରେସନ ପଶ୍ଚିମବଙ୍ଗ ରାଜ୍ୟର ପରିସୀମା ମଧ୍ୟରେ ବାଂଲାର ରସୋଗୁଲ୍ଲା ପାଇଁ ଉଦ୍ଦିଷ୍ଟ । ଆଠ ଶହ ବର୍ଷ ତଳୁ ଓଡିଶାରେ ପ୍ରସ୍ତୁତ ହୋଇଆସୁଥିବା ରସଗୋଲା ପାଇଁ ଜିଆଇ ରେଜିଷ୍ଟ୍ରେସନ ମାନ୍ୟତା ହାସଲ କରିବା ନିମନ୍ତେ ଓଡିଶା ସରକାର ତଥ୍ୟ ସମ୍ବଳିତ ଦାବି ଯଥାଶୀଘ୍ର ଦାଖଲ କରିବାକୁ ଯାଉଛନ୍ତି ବେଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ରସଗୋଲାର ଉତ୍ପତ୍ତି କେଉଁଠି ହୋଇଛି, ତାହାକୁ ନେଇ ପଶ୍ଚିମବଙ୍ଗ ଏବଂ ଓଡିଶା ମଧ୍ୟରେ ଦୁଇ ବର୍ଷ ଧରି ଟଣାଓଟରା ଜାରି ରହିଥିଲା । ରସଗୋଲା ପ୍ରଥମେ ବାଂଲାରେ ଉତ୍ପତ୍ତି ହୋଇଥିବା ପଶ୍ଚିମବଙ୍ଗ ସରକାର ଦାବି କରୁଆସୁଥିବା ବେଳେ ଶହ ଶହ ବର୍ଷ ଧରି ରସଗୋଲା ଜଗନ୍ନାଥ ସଂସ୍କୃତି ସ୍ଥାନ ପାଇଥିବା ପ୍ରମାଣ ରହିଛି । ରସଗୋଲା ଓଡିଶାରେ ଉତ୍ପତ୍ତି ହୋଇଥିବା ଉକ୍ରଳୀୟ ପରମ୍ପରାରେ ପ୍ରମାଣ ମଧ୍ୟ ରହିଛି । ଏହାର ଅଧିକ ଅନୁସନ୍ଧାନ ଓ ତର୍ଜମା ଲାଗି ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି । ତେବେ କମିଟି ପକ୍ଷରୁ ସଂଗୃହୀତ ରିପୋର୍ଟ ଏପର୍ଯ୍ୟନ୍ତ ଜିଆଇ କର୍ତ୍ତୃପକ୍ଷଙ୍କ ନିକଟରେ ରାଜ୍ୟ ସରକାର ଦାଖଲ କରିନାହାନ୍ତି । ଯାହାର ଫାଇଦା ନେଇଛି ପଶ୍ଚିମବଙ୍ଗ । ଚେନ୍ନାଇସ୍ଥିତ ଜିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରସଗୋଲାର ଉତ୍ପତ୍ତି ବାଂଲାରେ ହୋଇଛି ବୋଲି ପଶ୍ଚିମବଙ୍ଗ ସରକାର ଏହାର ଐତିହାସିକ ପୁଷ୍ଠଭୂମି ସମ୍ପର୍କିତ ତଥ୍ୟ ପ୍ରଦାନ କରିଛନ୍ତି । ଏହାକୁ ଅନୁଧ୍ୟାନ କରି ବାଂଲା ରସଗୋଲାକୁ ପଶ୍ଚିମବଙ୍ଗ ଜିଆଇ ଟ୍ୟାଗ୍ ପ୍ରଦାନ କରାଯାଇଛି । ତେବେ ଓଡିଶାରେ ରସଗୋଲାର ଉତ୍ପତ୍ତିକୁ ନେଇ ରାଜ୍ୟ ସରକାରଙ୍କ ଦାବିରେ ଯଥାର୍ଥତା ରହିଛି । ଓଡିଶା ସରକାର ଯଦି ଜିଆଇ ଟ୍ୟାଗ ପାଇଁ ଆବେଦନ କରନ୍ତି, ତେବେ ଏହା ଉପରେ ଜିଆଇ କର୍ତ୍ତୃପକ୍ଷ ତର୍ଜମା କରିବେ ବୋଲି କୁହାଯାଇଛି । ପ୍ରକାଶଥାଉ କି, ରସଗୋଲା କାହାର, ସେନେଇ ଦୁଇବର୍ଷ ଧରି ପଶ୍ଚିମବଙ୍ଗ ଓ ଓଡିଶା ସରକାରଙ୍କ ମଧ୍ୟରେ ବାଦବିବାଦ ଉପୁଜିଥିଲା । ରସଗୋଲା କେବଳ ଓଡିଶାର ନୁହେଁ, ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଓତପ୍ରୋତଃ ଭାବେ ଜଡିତ ରହିଛି । ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ସମୟରେ ରସଗୋଲା ଭୋଗ ଲାଗି କରାଯାଇଥାଏ । ଉକ୍ରଳୀୟ ପରମ୍ପରା ଉପରେ ଅଧିକ ଅନୁସନ୍ଧାନ ଓ ତର୍ଜମା କରିବା ଲାଗି ରାଜ୍ୟ ସରକାର ଗତ ଦେଢବର୍ଷ ତଳେ ଏକ କମିଟି ଗଠନ କରିଥିଲେ । ଏହି କମିଟି ରସଗୋଲା ଓ ଉକ୍ରଳୀୟ ପରମ୍ପରାର ତର୍ଜମା କରିବା ସହ ରିପୋର୍ଟ ସଂଗୃହୀତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ ମଧ୍ୟ କରିଛି । ହେଲେ ରାଜ୍ୟ ସରକାର ସଂଗୃହୀତ ରିପୋର୍ଟକୁ ଏପର୍ଯ୍ୟନ୍ତ ଜିଆଇ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାରେ ବିଫଳ ହୋଇଛନ୍ତି । ଯାହାର ଫାଇଦା ଏବେ ପଶ୍ଚିମବଙ୍ଗ ସରକାର ନେଇଛନ୍ତି । ଏହାକୁ ନେଇ ସଂସ୍କୃତି ଗବେଷକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।