ଜେଜେବାପା ଶବ ଦେଖିପାରିଲାନି ନାତି

ANUGUL-BALARAM-FAMILY

କଙ୍ଗାରୁ କୋର୍ଟର ଫଇସଲା
ଅନୁଗୁଳ (ଆପ୍ର): ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଶରଧାପୁର ଗ୍ରାମର ଜଣେ ଯୁବକଙ୍କୁ ଗ୍ରାମବାସୀ କଙ୍ଗାରୁକୋଟ ବସାଇ ଗାଁରୁ ବାସନ୍ଦ କରିଛନ୍ତି । ତିନିବର୍ଷ ହେଲା ଯୁବକ ଜଣକୁ ଅନ୍ୟଏକ ଗ୍ରାମରେ ଭଡ଼ାରେ ରହୁଥିବାବେଳେ ଜେଜେବାପାଙ୍କ ମୃତୁ୍ୟ ଖବରପାଇ ଗାଁକୁ ଯାଇଥିବାେବେଳ ମୃତଦେହକୁ ଦେଖିବାକୁ ବାରଣ କରାଯିବା ସହ ଅନ୍ତେଷ୍ଟିକ୍ରିୟାରେ ଯୋଗଦେବାକୁ ମନା କରାଯାଇଥିଲା । ଏନେଇ ନାତି ପୁଲିସ ନିକଟରେ ଅଭିଯୋଗ କରିଥିଲା । ପୁଲିସ ଆମେ କଣ କରିବୁ ବୋଲି ଉତ୍ତର ଦେଇ ଅଭିଯୋଗକାରୀଙ୍କୁ ଥାନାରୁ ଫେରାଇ ଦେଇଛି । ଶରଧାପୁର ଗ୍ରାମର ୩ବର୍ଷ ତଳେ ଦୁଇଭାଇ ବଳରାମ ଓ ଜଗନ୍ନାଥ ପ୍ରଧାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଜଗନ୍ନାଥଙ୍କ ସ୍ତ୍ରୀ ସୁଷମା ଗ୍ରାମସଭାରେ ଦେଢ଼ଶୂର ବଳରାମ ତାଙ୍କୁ ମାଡ଼ମାରିଥିବା ଅଭିଯୋଗ କରିଥିଲେ । ବଳରାମ ଭାଇବୋହୂକୁ ମାରିଥିବାରୁ ଜାତିହେବା ସହ ଅର୍ଥଦଣ୍ଡ ଜରିମନା ଦେବାକୁ ପଡ଼ିବ ବୋଲି ଗ୍ରାମସଭା ପକ୍ଷରୁ କୁହାଯାଇଥିଲା । ବଳରାମ ଆର୍ଥିକ ସ୍ୱଚ୍ଛଳ ନଥିବାରୁ ଅର୍ଥ ନଦେଇପାରିବାରୁ କଙ୍ଗାରୁକୋଟର ନିଷ୍ପତ୍ତି ଅନୁଯାୟୀ ତାଙ୍କୁ ବାସନ୍ଦ କରିଦିଆଗଲା । ଗାଁରେ ଏକୁଟିଆ ଚଳିବା କଷ୍ଟକର ହୋଇପଡ଼ିବାରୁ ସେ ବଡ଼କେରା ନିକଟସ୍ଥ ତୁବେ ଗ୍ରାମରେ ସ୍ତ୍ରୀ ଓ ପୁଅକୁ ଧରି ଏକ ଭଡ଼ାଘରେ ରହିଲେ । ମୃତୁ୍ୟଖବର ପାଇ ଜେଜେବାପାର ମୃତଦେହ ଦେଖିବାକୁ ଘରକୁ ଯାଇଥିଲେ । ମାତ୍ର ସେଠାରେ ଗ୍ରାମବାସୀ ବଳରାମକୁ ବାରଣ କରିବା ସହ ଅନ୍ତେଷ୍ଟିକ୍ରିୟାରେ ଯୋଗଦେବାତ ଦୂରର କଥା ଶବକୁ ଛୁଇଁ ପାରିବୁନାହିଁ ବୋଲି କହିଥିଲେ । ଏହା ଶୁଣିବାପରେ ସେ ଗ୍ରାମବାସୀଙ୍କୁ କାକୁତିମିନତୀ ହୋଇ ଗୁହାରୀ କରିଥିଲେ । ଫଳରେ ଗ୍ରାମ ମଣ୍ଡପରେ ସଭାପତି ପ୍ରହ୍ଲାଦ ସାହୁଙ୍କ ସଭାପତିତ୍ୱରେ କଙ୍ଗାରୁ କୋର୍ଟ ବସିଥିଲା । ଏଥିରେ ଗ୍ରାମର ସମ୍ପାଦକ ନାରଣ ପ୍ରଧାନ, ଦାଶରଥି ସାହୁ, ଗ୍ରାମର ପୂର୍ବତନ ସଭାପତି ଲୋକନାଥ ପ୍ରଧାନଙ୍କ ସମତେ ଗ୍ରାମର ପ୍ରାୟ ୩ଜଣ ଲୋକ ଉପସ୍ଥିତ ଥିଲେ । ନିଷ୍ପତ୍ତି ଅନୁଯାୟୀ ବଳରାମକୁ ୮୦ ହଜାର ଟଙ୍କା ଅର୍ଥଦଣ୍ଡ, ମୁହଁରେ ଚୂନ-କାଳି ଲଗାଇ ବୁଲିବା, ଭୋଜି ଦେଇ ଜାତିହେବା ପରେ ଯାଇ ଜେଜେବାପାର ଶୁଦ୍ଧିକ୍ରିୟାରେ ସାମିଲ ହୋଇପାରିବ ବୋଲି ଦଣ୍ଡାଦେଶ ଶୁଣାଇଛନ୍ତି ଓ ଗ୍ରାମସଭାର କଥାନମାନିଲେ ଜିଲ୍ଲାପାଳଙ୍କୁ ଜଣାଇ ସେ ପାଉଥିବା ସମସ୍ତ ସରକାରୀ ସୁବିଧାକୁ କାଟି ଦିଆଯିବବୋଲି ଧମକ ଦିଆଯାଇଛି । କଙ୍ଗାରୁକୋର୍ଟର ଏହି ରାୟରେ ଭାଙ୍ଗିପଡ଼ି ବଳରାମ ପୁରୁଣାକୋଟ ଥାନାକୁ ଯାଇ ଅଭିଯୋଗ କରିଛନ୍ତି । ମାତ୍ର ଥାନାରେ ଜଣେ ବାବୁ ମଦ୍ୟପାନ କରି ବସି ରହିଥିବାବେଳେ ଦରଖାସ୍ତକୁ ନେଇ ପାଖରେ ରଖିଥିଲେ ଓ ଆମେ କ’ଣ କରିପାରିବୁ ବୋଲି ଓଲଟି ପ୍ରଶ୍ନ ପଚାରି ଫେରାଇ ଦେଇଛନ୍ତି ବୋଲି ବଳରାମ ପ୍ରକାଶ କରିଛନ୍ତି । ତେବେ ପୁଲିସର ଏପରି ଉତ୍ତରରେ ସେ ଅଧିକ ଭାଙ୍ଗିପଡ଼ିବା ସହ ନ୍ୟାୟ ଅପେକ୍ଷାରେ ଚାହିଁ ବସିଛନ୍ତି ବଳରାମ ।