ସରକାରଙ୍କୁ ଦାୟୀ କଲେ ଶେଖାୱତ

Kendra-Krusi-Mantri-Gajendra-sing-sekhawat-Chasi-mananku-pachari-bujhuchanti

ସୁବର୍ଣ୍ଣପୁର/ବରଗଡ, ୧୩ା୧୧(ବୁ୍ୟରୋ): ଚକଡା ପୋକ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବାକୁ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓଡିଶା ଗସ୍ତରେ ଅଛନ୍ତି । ଆଜି ସେ ସୋନପୁର ଓ ବରଗଡ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବା ସହ ଚାଷୀଙ୍କୁ ଭେଟିଛନ୍ତି । ବରଗଡର ମୃତ ଚାଷୀ ବୃନ୍ଦା ସାହୁଙ୍କ ଘରକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରିଛନ୍ତି । ଚକଡା ପୋକ ଲାଗି ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଦାୟୀ କରିବା କରିବା ରାଜସ୍ଥାନରେ ଚାଷୀ ଆତ୍ମହତ୍ୟା କରନ୍ତିନାହିଁ ବୋଲି ସଫେଇ ଦେଇଛନ୍ତି । ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ କୃଷିମନ୍ତ୍ରୀ ଦାମୋଦର ରାଉତ କଟୂସମାଲୋଚନା କରିଛନ୍ତି । ଅଣ ବିଜେପିଶାସିତ ରାଜ୍ୟକୁ କେନ୍ଦ୍ରମନ୍ତ୍ରୀମାନେ ଆସି ଏହାକୁ ପ୍ରସଙ୍ଗ କରିବା ଆଦୌ ଗ୍ରହଣୀୟ ନୁହେଁ, କେନ୍ଦ୍ର ସରକାର ଦାନୀକର୍ଣ୍ଣ ନୁହନ୍ତି ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ ସୋନପୁର ଓ ବରଗଡରେ ଦୁଇଟି ପୃଥକ ପୃଥକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ କୃଷିଭିତ୍ତିକ ଯୋଜନାର ସଫଳ ରୂପାୟନ ହୋଇପାରିଲେ କୃଷକଙ୍କ ଆମଦାନୀ ୫ ବର୍ଷରେ ଦୁଇଗୁଣ ବଢିବ । ଅକ୍ଟୋବର ମାସର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଆଇସିସିଆର୍ ପକ୍ଷରୁ ଚକଡା ପୋକ ଲାଗିବା ସମ୍ପର୍କରେ ରାଜ୍ୟକୁ ସୂଚନା ଦିଆଯାଇଥିଲା । ସରକାର ସଚେତନ କରିଥିଲେ ଏଭଳି ପରିସ୍ଥିତି ଘଟିନଥାନ୍ତା । ଚାଷୀମାନେ ଯେଉଁ କୀଟନାଶକ ଥାଇମେଟ୍ ବ୍ୟବହାର କରୁଛନ୍ତି, ଏହାଦ୍ୱାରା ପୋକ ମରିବେ ନାହିଁ । ଚାଷୀଙ୍କୁ କୀଟନାଶକ ପ୍ରୟୋଗ ସମ୍ପର୍କରେ ସଚେତନତା କରାଯିବା କଥା । ନିମ୍ନମାନର କୀଟନାଶକ ପ୍ରୟୋଗ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି । ଯାହାଫଳରେ ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ସରକାରଙ୍କ ତରଫରୁ ଚକଡା କ୍ଷୟକ୍ଷତିର ଯେଉଁ ରିପୋର୍ଟ ଦିଆଯାଇଛି, ତାହା ବାସ୍ତବ ସ୍ଥିତିଠାରୁ ଭିନ୍ନ । ଠିକ୍ଭାବେ ସର୍ଭେ କରାଯାଇନାହିଁ । ଯେଉଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି, ସେହି ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ମାଧ୍ୟମରେ ସହାୟତା ଦିଆଯିବ । ରାଜ୍ୟର କୃଷକଙ୍କୁ ସହାୟତା ଦେବା ପାଇଁ ୮୪୭ କୋଟି ଟଙ୍କାରୁ କେନ୍ଦ୍ର ସରକାର ୪୦୦ କୋଟି ଟଙ୍କା ରାଜ୍ୟକୁ ପ୍ରଦାନ କରିସାରିଲେଣି । ସେଥିମଧ୍ୟରୁ ୧୧୭ କୋଟି ଟଙ୍କା ଜିଲ୍ଲାକୁ ଦିଆସାରିଛି । ଭାଗଚାଷୀ ଚିହ୍ନଟ କରିବା ରାଜ୍ୟ ସରକାରଙ୍କର କର୍ତ୍ତବ୍ୟ । ତାହା ସେ କରିପାରୁନାହାନ୍ତି ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟର ଜବାବ୍ ମନ୍ତ୍ରୀ ଶ୍ରୀ ରାଉତ ଦେଇଛନ୍ତି । ସେ କହିଛନ୍ତି ଯେ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ଯେଉଁ ଅନୁଦାନ ଦେଉଛନ୍ତି, ତାହା ରାଜ୍ୟର ହକ୍ । କେନ୍ଦ୍ର କାହାକୁ ଦୟା କରୁନି କି ସେମାନେ ଦାନୀ କର୍ଣ୍ଣ ନୁହନ୍ତି । ରାଜ୍ୟ ସରକାର ବି ଭିକାରୀ ନୁହନ୍ତି । ଜାତୀୟ ବିପର୍ଯ୍ୟୟ ପାଣ୍ଠିରେ କେନ୍ଦ୍ର ସରକାରଙ୍କର ୭୫% ଅଂଶଧନ ଥିଲାବେଳେ ରାଜ୍ୟ ସରକାରଙ୍କର ୨୫% ରହିଛି । ନିଜ ଅଂଶଧନକୁ କେନ୍ଦ୍ର ପ୍ରଦାନ କରିଛି । ବିନା ନିମନ୍ତ୍ରଣରେ କେନ୍ଦ୍ର ମନ୍ତ୍ରୀମାନେ ଯେଉଁଭଳି ଓଡିଶା ଆସି ରାଜ୍ୟ ସରକାରଙ୍କର ବିରୋଧରେ ମନ୍ତବ୍ୟ ଦେଉଛନ୍ତି, ତାହା ଅସାମ୍ବିଧାନିକ । ମୃତ ଚାଷୀ ବୃନ୍ଦାବନ ସାହୁଙ୍କ ପରିବାରକୁ କେନ୍ଦ୍ରମନ୍ତ୍ରୀ ଭେଟିବା ପ୍ରସଙ୍ଗରେ ଶ୍ରୀ ରାଉତ କହିଛନ୍ତି ଯେ ବୃନ୍ଦାବନ ବିଜେପିରେ ଥିଲେ । ତେଣୁ କେନ୍ଦ୍ରମନ୍ତ୍ରୀ ତାଙ୍କ ବିୟୋଗ ପରେ ତାଙ୍କ ପରିବାରକୁ ସାକ୍ଷାତ କରିବାକୁ ଯାଇଛନ୍ତି । ସେ କ’ଣ ଆମ ଦଳର ମୁଁ ଯାଇଥାନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ଶ୍ରୀ ରାଉତ କହିଛନ୍ତି ଯେ ବୃନ୍ଦାବନ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହାର ଅନୁଧ୍ୟାନ ଚାଲିଛି । ଫସଲ ପୋଡିବାର ୨୪ ଘଣ୍ଟା ନପୁରୁଣୁ ଶତାଧିକ ଲୋକ ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବୃନ୍ଦାବନ କିଭଳି ବିଷ ପିଇଲେ, ତାହାର ଅନୁସନ୍ଧାନ ଚାଲିଛି । ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ସହାୟତା ପ୍ରଦାନ ଲାଗି ସରକାର ଉଦ୍ୟମ କରିଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଏହାକୁ ନେଇ ରାଜନୀତି କରୁଛନ୍ତି । ପ୍ରଶାସନ ଅଧିକାରୀଙ୍କ ବୈଠକରେ ବିଜେପି ନେତା କିଭଳି ଉପସ୍ଥିତ ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।