ଜିଲ୍ଲାରେ ଖଟୁଛନ୍ତି ଶହଶହ ଶିଶୁ ଶ୍ରମିକ

NuaOdisha-171-child-labour

ଆଜି ଶିଶୁ ଦିବସ
କଟକ,୧୩ା୧୧(ବୁ୍ୟରୋ): ଆଜିର ଶିଶୁ କାଲିର ଭବିଷ୍ୟତ । ଶିଶୁଙ୍କ ପ୍ରତି ଚାଚା ନେହେରୁଙ୍କ ଭଲ ପାଇବା ଓ ତାଙ୍କ ଜନ୍ମ ଶତବାର୍ଷିକୀକୁ ମନେ ରଖିବା ଉଦେ୍ଦଶ୍ୟରେ ସମଗ୍ର ଦେଶରେ ନଭେମ୍ବର ୧୪ରେ ପାଳିତ ହେଉଛି ଶିଶୁ ଦିବସ । ଏହି ଦିବସରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଶିକ୍ଷକମାନେ ଶିଶୁଙ୍କ ସହ ହସଖୁସିରେ ସମୟ ବିତାଇଥାନ୍ତି । ନାଚ, ଗୀତ ସାଙ୍ଗକୁ ମିଷ୍ଟାନ୍ନ ବଣ୍ଟନରେ ବେଶ ଭଜା ନିଅନ୍ତି କୁନି କୁନି ପିଲାମାନେ । ପ୍ରତିଭା ସମ୍ପନ୍ନ ପିଲାଙ୍କୁ ପୁରଷ୍କୃତ କରାଯାଉଛି । ଅପରପକ୍ଷେ କଟକ ଜିଲ୍ଲାରେ ବିଭିନ୍ନ ହୋଟେଲ, ଅସୁରକ୍ଷିତ କାରଖାନା, ଇଟାଭାଟି ଏବଂ ଗୁପ୍ଚୁପ୍ ମାଲିକଙ୍କ ନିକଟରେ ସ୍ୱଳ୍ପ ଆୟରେ ଖଟୁଛନ୍ତି ଶିଶୁ ଶ୍ରମିକ । ସେମାନଙ୍କର ଶୈଶବ ବାଟ ହୁଡିଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ ।
ଧୂଳି ଧୂସର ଚେହେରା, ଚୁଟିରେ କାହିଁ କେତେଦିନରୁ ତେଲ ଟୋପାଏ ଲାଗିନି । ନାକୁରୁ ଧାର ଲମ୍ବିଛି । କାହା ଦେହରେ ବସ୍ତ୍ର ଅଛି, କାହା ଦେହରେ ନାହିଁ । କିଏ ଖାଇଛି କିଏ ପୁଣି ଭୋକିଲା । ଏସବୁ ଦୃଶ୍ୟ କଟକ ସହରର ଉପାନ୍ତ ଅଞ୍ଚଳ ୪୨ମୌଜା, ତ୍ରିଶୁଳିଆ, ଗୋପାଳପୁର ଆଦି ଅଞ୍ଚଳରେ ଗଢି ଉଠିଥିବା ଇଟାଭାଟିଗୁଡିକରେ କିମ୍ବା ଜଗତପୁର ଠାରୁ ମଙ୍ଗୁଳି ପର୍ଯ୍ୟନ୍ତ ଥିବା ଚୋଟ କାରଖାନା ଓ ଢାବାରେ ଦେଖିବାକୁ ମିଳିବ । ଆଉ କଟକ ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ପାଠ ଦି ଅକ୍ଷର ପଢି ନ ଥିବା ଏହି ପିଲାମାନେ ଯାହାକୁ ଦେଖିଲେ ହସି ପକାନ୍ତି । ସେମାନଙ୍କ କଅଁଳ ହାତକୁ ବଢାଇ ଦେଇ କିଛି ମାଗିବାକୁ ପଛାନ୍ତି ନାହିଁ । ଶୈଶବ ଏମାନଙ୍କ ପାଇଁ ଯଦିଓ ଯନ୍ତ୍ରଣା ତଥାପି ବାପା, ମା ଙ୍କ ପାଖରେ ଅନବରତ ରହି ଏମାନେ ଶୈଶବର ପୀଡାକୁ ଭୁଲିଯାଉଛନ୍ତି । ଆଉ ଏମାନଙ୍କ ପିତାମାତା ମଧ୍ୟ ସେମାନଙ୍କୁ ପାଠ ପଢାଇବା ପରିବର୍ତ୍ତେ ରୋଜଗାରର ମାଧ୍ୟମ ସଜାନ୍ତି । କଟକ ଭୁବନେଶ୍ୱର ରାଜରାସ୍ତାରେ ଏଭଳି ଅନେକଙ୍କୁ ଦେଖିବାକୁ ମିଳେ, ଯେଉଁମାନେ ନିଜ କୋମଳମତି ଶିଶୁଙ୍କୁ ରୋଜଗାରର ମାଧ୍ୟମ ସଜାଇଛନ୍ତି । କଟକର ରାଜରାସ୍ତାରେ ପାର୍ବଣ ଋତୁରେ ଦେଖିବାକୁ ମିଳେ ବହୁ ବାରବୁଲାଙ୍କୁ । ରାଜ୍ୟ ବାହାରୁ ପାର୍ବଣ ସମୟରେ କିଛି ବେନାର କରି ରୋଜଗାର ଆଶାରେ ଆସୁଥିବା ଏହି ବଞ୍ଜାରାଙ୍କ ସାଙ୍ଗରେ ଆସିଥାନ୍ତି ସେମାନଙ୍କ କୋମଳମତି ଶିଶୁମାନେ । ପିତାମାତା କାମରେ ବ୍ୟସ୍ତ ରହୁଥିବାବେଳେ ଏମାନେ ଏଣେତେଣେ ଘୂରି ବୁଲନ୍ତି । କେବଳ ଏମାନେ ନୁହନ୍ତି ବହୁ ଅନାଥ ମଧ୍ୟ ବଞ୍ଚିବାର ରାହା ଖୋଜୁଛନ୍ତି । କିଏ ହୋଟେଲ, ଗ୍ୟାରେଜ, ଛୋଟବଡ ବ୍ୟାବସାୟିକ ପ୍ରତିଷ୍ଠାନରେ ଶୈଶବରୁ ଶ୍ରମିକ ସାଜିଛିତ କିଏ ଆଉ ଅପରାଧିଙ୍କ ଅସ୍ତ୍ର ପାଲଟି ରାତିର ଘନ ଅନ୍ଧକାରରେ ଲୁଚି ଯାଉଛି । କେବଳ ଶିଶୁ ଦିବସ ନୁହେଁ ଶିଶୁ ସୁରକ୍ଷା ଆଇନ ମଧ୍ୟ ଏମାନଙ୍କ ପାଇଁ ନିରର୍ଥକ ପାଲଟିଛି । ଶିଶୁ ଦିବସକୁ ଆଡମ୍ବର ସହକାରେ ପାଳନ କରାଯାଉଛି । ଏହି ଦିବସରେ ଏମାନଙ୍କ କଥା ଚିନ୍ତା କରୁନି ଜିଲ୍ଲା ଶିଶୁ କଲ୍ୟାଣ ବିଭାଗ । ଏମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଶରୀରରେ କପଡା, କାନ୍ଧରେ ବସ୍ତାନି ଓ ହାତରେ ଖଡି, ସିଲଟ ଧରାଇ ଦିଆଯାନ୍ତା ତେବେ ସେମାନେ ମଧ୍ୟ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ଆସନ୍ତାକାଲିର ଭବିଷ୍ୟତ ହୋଇପାରନ୍ତେ ।