IMG-20171105-WA0085

ଫସଲରେ ରୋଗପୋକ ପ୍ରାକୃତିକ ବିପତ୍ତି

50

ଭୁବନେଶ୍ୱର, ୫ା୧୧(ବୁ୍ୟରୋ): ରୋଗପୋକ ଆକ୍ରମଣ ଏକ ପ୍ରାକୃତିକ ବିପତ୍ତି । ଅନିୟମିତ ବୃଷ୍ଟିପାତ, ତାପମାତ୍ରା ଓ ଜଳବାୟୁରେ ଅଧିକ ଆର୍ଦ୍ରତା ହେତୁ କେତେକ ଚାଷ ଜମିରେ ଚକଡା ପୋକ ଲାଗିଛନ୍ତି । ଚକଡା ପୋକ ଭୟରେ ଫସଲ ନପୋଡିବା ଲାଗି ଚାଷୀଙ୍କୁ ପରାମର୍ଶ ଦିଆଯିବା ସହ ଏହାର ନିରାକରଣ ପାଇଁ ଔଷଧ ପ୍ରୟୋଗର ବିଧି ସମ୍ପର୍କରେ ସେମାନଙ୍କୁ ସଚେତନତା କରାଯିବ ବୋଲି ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଓ ଚାଷୀମାନେ ଧୈର୍ଯ୍ୟ ଧରନ୍ତୁ । ଖୁବ୍ଶୀଘ୍ର ଇନ୍ପୁଟ୍ ସବ୍ସିଡି ପ୍ରଦାନ କରାଯିବ । ଆଜି ସଚିବାଳୟରେ ଚକଡା ପୋକ ପ୍ରଭାବିତ ୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଉନ୍ନୟନ କମିଶନର ଭିଡିଓ କନ୍ଫରେନ୍ସିଂ କରିଥିଲେ । ଏଥିରୁ ଜଣାପଡିଛି ଯେ ସଠିକ୍ ଢଙ୍ଗରେ ପୋକମରା ଔଷଧ ପ୍ରୟୋଗ ନକରିବା, ବିଭିନ୍ନ ପ୍ରକାର କୀଟନାଶକକୁ ମିଶାଇ ବ୍ୟବହାର କରିବା, ଗଛରୁ ଗଛ ମଧ୍ୟରେ ତଫାତ୍ ନରଖିବା, ଅତ୍ୟଧିକ ୟୁରିଆ ସାର ପ୍ରୟୋଗ ଆଦି ଏହି ରୋଗ ବ୍ୟାପୀବାର ଅନ୍ୟତମ କାରଣ । ପ୍ରାଥମିକ ଆକଳନରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୧ ଲକ୍ଷ ୧୦ ହଜାର ହେକ୍ଟର ଧାନଜମି ପ୍ରଭାବିତ ହୋଇଛି । ୮ ଜିଲ୍ଲାରେ ୩୪ ହେକ୍ଟର ଜମି ଅଧିକ କ୍ଷତିଗ୍ରସ୍ତ ହୋଇଛି । ମୁଖ୍ୟତଃ ବରଗଡ, ସମ୍ବଲପୁର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗିର ଆଦି ଜିଲ୍ଲାରେ ଏହି ରୋଗ ଯୋଗୁଁ ଫସଲ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳମାନେ ଜଣାଇଥିଲେ ଯେ ସବୁ ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସମୁଦାୟ ଖରିଫ୍ ଚାଷ ଜମି ତୁଳନାରେ ବହୁ କମ୍ ଅଞ୍ଚଳ ପୋକ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ନିମନ୍ତେ ପଦକ୍ଷେପ ନିଆଯାଉଛି । ପ୍ରଭାବିତ ଅଞ୍ଚଳରେ ଗ୍ରାମ ଓ ପଞ୍ଚାୟତସ୍ତରର ଚାଷୀମାନଙ୍କ ସହ ବୈଠକ ଓ ଆଲୋଚନା କରି ପଦକ୍ଷେପ ନେବା ପାଇଁ ଉନ୍ନୟନ କମିଶନର ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲାସ୍ତରରେ ଦାୟିତ୍ୱସମ୍ପନ୍ନ ଅଧିକାରୀଙ୍କୁ ନୋଡାଲ୍ ଅଫିସରଭାବେ ନିୟୋଜିତ କରି ସଚେତନତାମୂଳକ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଘନ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କୁ ୭ ଦିନ ମଧ୍ୟରେ ସହାୟତା ପ୍ରଦାନ କରାଯିବ । ନିଷ୍ପତ୍ତି ଅନୁଯାୟୀ ମରୁଡି ସହାୟତା ନିମନ୍ତେ ୨୧୬ କୋଟି ଟଙ୍କା ଜିଲ୍ଲାଗୁଡିକୁ ଯୋଗାଇ ଦିଆଯାଇଛି । ୬ ଓ ୭ ତାରିଖରେ ଗାଁ ଓ ପଞ୍ଚାୟତ ସ୍ତରରେ କୃଷକ ସଭା ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । କ୍ଷେତରେ ନିଆଁ ଲଗାଇରେ ଚକଡା ପୋକ ମରିବା ପରିବର୍ତ୍ତେ ଅନ୍ୟ ଜମିକୁ ମାଡିଯିବେ । ଜମିରେ ଥିବା ଉପକାରୀ ଜୀବାଣୁ ନଷ୍ଟ ହୋଇଯିବେ । ପରବର୍ତ୍ତୀ ଫସଲ ଉତ୍ପାଦନରେ ଏହା କ୍ଷତି ପହଞ୍ଚାଇବ । ଚାଷୀମାନେ କ’ଣ କରିବେ, କିପରି ସହାୟତା ପାଇବେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ହେବ । ଏହି କାର୍ଯ୍ୟକ୍ରମରେ ଫାର୍ମରସ୍ ଗ୍ରୁପ୍, ଜେଏଲ୍ଜି, ପ୍ରଡୁ୍ୟସର ଗ୍ରୁପ୍, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି, କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ପ୍ରତିନିଧି, ସମବାୟ ବିଭାଗର ଅଧିକାରୀମାନଙ୍କୁ ସାମିଲ କରିବା ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା । ସ୍ଥିତିର ଦୈନିକ ପରିଚାଳନା ପାଇଁ ରାଜ୍ୟସ୍ତରୀୟ ଏକ ହ୍ୱାଟ୍ସଅପ୍ ଗ୍ରୁପ୍ ଗଠନ କରାଯିବ । ତଦନୁଯାୟୀ ଦୈନିକ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଭେଜାଲ ଓ ନକଲୀ କୀଟନାଶ ଔଷଧ ବିକ୍ରି କରୁଥିବା ଲୋକମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ନିଦେ୍ର୍ଦଶ ଦିଆଯାଇଛି । କୀଟନାଶକ ଔଷଧ ଆଇନର ଧାରାଗୁଡିକୁ କଡାକଡିଭାବେ ଲାଗୁ କରିବା ପାଇଁ କୃଷି ବିଭାଗ ପ୍ରମୁଖ ସଚିବ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ଏହି ଭିଡିଓ କନ୍ଫରେନ୍ସିଂରେ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, ଅର୍ଥ ବିଭାଗ ସଚିବ ତୁହିନୀକାନ୍ତ ପାଣ୍ଡେ, ସମବାୟ ସଚିବ ରଞ୍ଜନା ଚୋପ୍ରା, ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀଙ୍କ ସମେତ ଓୟୁଏଟି କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ ଓ ଅନ୍ୟାନ୍ୟ ବରିଷ୍ଠ କୃଷି ବିଜ୍ଞାନୀମାନେ ଯୋଗଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com