malkangiri--10-dina-patha-padha-band

ହଷ୍ଟେଲ ଛାଡିଲେ ଶତାଧିକ ଛାତ୍ରଛାତ୍ରୀ

25

ପ୍ରଧାନଶିକ୍ଷକଙ୍କ ବଦଳିର ପ୍ରତିବାଦ ମାଲକାନଗିରି (ଆପ୍ର): ମାଲକାନଗିରି ଜିଲ୍ଲା ସଦର ମହକୁମା ନିକଟସ୍ଥ ମାଟାପାକା ଉନ୍ନିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅନ୍ୟତ୍ର ସ୍ଥାନାନ୍ତରକୁ ପ୍ରତିବାଦ କରି ୧୦୯ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି ଘରକୁ ଚାଲି ଯାଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ଗତ ୨୩ ତାରିଖରେ ଅଭିଭାବକ, ଛାତ୍ରଛାତ୍ରୀ, ଏସ୍ଏମସି କମିଟି ପ୍ରଧାନ ଶିକ୍ଷକ ସ୍ଥାନାନ୍ତର ବାତିଲ୍ ପାଇଁ ସ୍କୁଲରେ ତାଲା ପକାଇ ଦେଇଥିଲେ । ଏନେଇ କୋରୁକୋଣ୍ଡା ବ୍ଲକ୍ ଶିକ୍ଷାଧିକାରୀ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଗ୍ରାମବାସୀଙ୍କୁ ବୁଝାଇବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଅଭିଭାବକ ମାନେ ଏଥିରେ ସନ୍ତୁଷ୍ଟ ନହୋଇ ସ୍କୁଲର ତାଲା ଖୋଲି ନଥିଲେ । ଫଳରେ ୨୩ ତାରିଖରୁ ୪ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିଲା । କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ହଷ୍ଟେଲର ୧୦୯ ଛାତ୍ରଛାତ୍ରୀ ଘରକୁ ପଳାଇ ଯାଇଥିଲେ ।ଉକ୍ତ ବିଦ୍ୟାଳୟରେ ଏତେ ଦିନ ଧରି ପାଠପଢ଼ା ବନ୍ଦ ରହିଥିବା ବେଳେ ଏ ପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ଯାଇ ନଥିବାରୁ ଛାତ୍ରଛାତ୍ରୀମାନେ ଏପରି କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ପଚାରିବାରୁ ଏହାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯାଇଛି । ଅପରପକ୍ଷରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏ ସମ୍ବନ୍ଧରେ ଜାଣିବା ପରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲକୁ ଫେରାଇ ଆଣିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଉକ୍ତ ସମସ୍ୟାକୁ ଯଥାଶୀଘ୍ର ସମାଧାନ କରି ବିଦ୍ୟାଳୟ ଚାଲୁ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଚକବର୍ତ୍ତୀ କହିଛନ୍ତି । ସେହିପରି ଅଭିଭାବକଙ୍କ ସହ ଆଲୋଚନା ଜାରି ରହିଛି । ଖୁବ୍ଶୀଘ୍ର ସମସ୍ୟା ସମାଧାନ ହୋଇପାରେ ବୋଲି ପିଏଆଇଟିଡିଏ ରାମକୃଷ୍ଣ ଗଣ୍ଡ କହିଛନ୍ତି ।




Powered by odothemes.com