DSC_0171

ଐତିହାସିକ ବାଲିଯାତ୍ରା ଆରମ୍ଭ

29

ଯାତ୍ରା ଅବଧି ଦିନେ ବଢ଼ିଲା, ବାଲିଯାତ୍ରା ପାଇଁ ସ୍ୱତନ୍ତ୍ର ଆପ୍, କୋଟିଏ ଟଙ୍କାର ରାଜସ୍ୱ ଲକ୍ଷ୍ୟ
କଟକ (ବୁ୍ୟରୋ): କଟକ ସହର ଭାଇଚାରାର ସହର, ଓଡ଼ିଶାର ସାହିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର । ଏହା ହଜାର ବର୍ଷର ସହର ନୁହେଁ ଅଢେଇ ହଜାର ବର୍ଷର ସହର କୁହାଗଲେ କିଛି ଅତୁ୍ୟକ୍ତି ହେବ ନାହିଁ । ସଂସ୍କତି ସଂପନ୍ନ କଟକ ସହରର ସ୍ୱତନ୍ତ୍ର ବାଣିଜି୍ୟକ ପ୍ରସିଦ୍ଧି ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଆଜି ସନ୍ଧ୍ୟାରେ ଐତିହାସିକ କଟକର ବାଲିଯାତ୍ରାର ଉଦ୍ଘାଟନ କରି ଶ୍ରୀ ଜେନା କହିଲେ ଯେ, କଟକର ଐତିହାସିକ ବାଲିଯାତ୍ରା ସହ ବାଲି ଦ୍ୱୀପର ଗୌରବମୟ ସଂପର୍କ ରହିଥିବା ବେଳେ କଟକ ସହର ଉକ୍ରଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରାଣକେନ୍ଦ୍ର ବୋଲି ସେ କହିଛନ୍ତି । କଟକ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଚନ୍ଦ୍ରସାରଥି ବେହେରା, ରାଜ୍ୟ କୋଠାବାଡି ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ କୁଳମଣି ସାମଲ, ସାଂସଦ ନରେନ୍ଦ୍ର ସ୍ୱାଇଁ, ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡା. ପ୍ରମୋଦ କୁମାର ମଲ୍ଲିକ, କଟକ ଜିଲ୍ଲା ପରିଷଦ ସଭାପତି ଜ୍ୟୋତିରେଖା ନାୟକ, ଜିଲ୍ଲା ପରିଷଦ ଉପସଭାପତି ସୁନିଲ ପରିଡା, ସିଏମସି ମେୟର ମିନାକ୍ଷୀ ବେହେରା, ଡେପୁଟି ମେୟର ଅଜୟ ବାରିକ, ସିଏମସି କମିଶନର ବିକାଶ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଦେଇଥିଲେ । ଉତ୍ସବରେ ଅତିଥିମାନେ ବାଲିଯାତ୍ରା ପୁସ୍ତିକାକୁ ଉନ୍ମୋଚନ କରିଥିଲେ । କଟକର ‘ନବକଳିକା’ ପକ୍ଷରୁ ସ୍ୱାଗତ ସଂଗୀତ ଗାନ କରାଯାଇଥିବା ବେଳେ ଓଡିଶୀ ନୃତ୍ୟମଣ୍ଡଳ କଳାକାରମାନଙ୍କ ଦ୍ୱାରା ସମବେତ ଓଡିଶୀ ନୃତ୍ୟ, ପାୟଲ ଇନଷ୍ଟିଚୁ୍ୟଟ ପକ୍ଷରୁ ଫୁ୍ୟଜନ ନୃତ୍ୟ ଏବଂ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଯୋଡ଼ିଶଙ୍ଖ ଓ ରଣପା, ମୂର୍ଚ୍ଛନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଛଉ ନୃତ୍ୟ, ଆଠଗଡ଼ କୁଆଁଳୋ ସାଂସ୍କୃତିକ ପରିଷଦ ପକ୍ଷରୁ ପାଇକ ଆଖଡ଼ା ପରିବେଷଣ କରାଯାଇଥିଲା । ସିଏମସି କମିଶନର ବିକାଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବାଲିଯାତ୍ରାରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା, ଗାନ୍ଧି ଶିଳ୍ପବଜାର, ଭିନ୍ନକ୍ଷମ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡ଼ିକର ଏକ ପ୍ରଦର୍ଶନୀ ଏବଂ ବଜାର ଆୟୋଜିତ ହୋଇଛି । ଚଳିତବର୍ଷ ଜିଲ୍ଲା ପ୍ରଶାସନର ୩୬ଟି ସରକାରୀ, ୯୮୨ଟି ବେସରକାରୀ ଏବଂ ଓରମାସର ୪୦୦ଟି ଷ୍ଟଲ ରହିଛି । ଚଳିତବର୍ଷ ଉଠାଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୩ଟି ଭେଣ୍ଡିଂ ଜୋନ୍ର ବ୍ୟବସ୍ଥା କରାଯାଇଛି । ଏଥର ୪୩ଟି ଦୋଳି ପଡ଼ିଛି । ପ୍ରାୟ ୪୮.୯୮୩ ହେକ୍ଟର ପରିମିତ ଅଞ୍ଚଳରେ ବାଲିଯାତ୍ରାର ଆୟୋଜନ ହେଉଛି । ଗତବର୍ଷ ଜିଲ୍ଲା ପ୍ରଶାସନ ୮୯.୦୫ ଲକ୍ଷ ରାଜସ୍ୱ ଆଦାୟ କରିଥିବା ବେଳେ ଚଳିତବର୍ଷ ପ୍ରାୟ ୧ କୋଟି ଟଙ୍କାର ରାଜସ୍ୱ ଆୟ କରିବା ଲାଗି ଲକ୍ଷ୍ୟଧାର୍ଯ୍ୟ କରିଥିବା କଟକ ସହର ତହସିଲଦାର ସଂଜିବୀତା ରାୟ ତାଙ୍କର ବିବରଣୀ ପାଠ ଅବସରରେ ପ୍ରକାଶ କରିଥିଲେ । ରାଜ୍ୟର ବୃହତ ତଥା ସର୍ବପୁରାତନ ବାଣିଜ୍ୟମେଳା ପାଇଁ ଜିଲ୍ଲାପଡ଼ିଆ ଏବେ ନବବଧୂ ପରି ସଜେଇ ହୋଇଛି । ଦର୍ଶକଙ୍କ ସୁରକ୍ଷା ପାଇଁ ଉପର ଓ ତଳପଡ଼ିଆରେ ସିସିଟିଭି ଲାଗିବା ସହିତ ପୁଲିସ କଣ୍ଟ୍ରୋଲରୁମ୍ ଖୋଲାଯାଇଛି । ଉଭୟ ପଡ଼ିଆରେ ଅଗ୍ନି ସୁରକ୍ଷା ପାଇଁ ୫ଟି ସ୍ଥାନରେ ଅସ୍ଥାୟୀ ଦମକଳ କେନ୍ଦ୍ର ଖୋଲିଛି । ସବୁବର୍ଷ ଭଳି ବାଲିଯାତ୍ରା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶହଶହ ବ୍ୟବସାୟୀ, ଉଠାଦୋକାନୀ ଆସି ପଡ଼ିଆରେ ପହଞ୍ଚି ବ୍ୟବସାୟ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ପାଗ ଅନୁକୂଳ ରହିଥିବାରୁ ଲକ୍ଷାଧିକ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଏଥର ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଢ଼ାକାର ‘ବାଂଲାଦେଶ ନିତୋରଙ୍ଗ’, ମୁମ୍ବାଇର ‘ଅଥର୍ବ ସ୍କୁଲ୍ ଅଫ୍ ଫାଇନ୍ ଆଟର୍ସ’, ଆସାମର ‘ଧନଲକ୍ଷ୍ମୀ ସଂଗୀତ ବିଦ୍ୟାଳୟ’, ମଣିପୁରର ‘ସୋସିଆଲ୍ ଆଣ୍ଡ କଲଚରାଲ୍ ଟ୍ରେନିଂ ଇନ୍ଷ୍ଟିଚୁ୍ୟଟ୍’, କୋଲକାତାର ‘ଡିଭାଇନ୍ ଇନ୍ସ୍ପ୍ରେଶନ୍’ ଆଦି ସାଂସ୍କୃତିକ ସଂଗଠନ ସମେତ ରାଜ୍ୟର ବହୁ ଅନୁଷ୍ଠାନ ତଥା କଳାକାର ସେମାନଙ୍କର କଳାକୌଶଳ ପ୍ରଦର୍ଶନ କରିବେ । ଗତ କିଛିବର୍ଷ ଭଳି ଚଳିତବର୍ଷ ପଡ଼ିଆରେ ପଲିଥିନ୍ ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ଏଥର ସରକାରୀ ଭାବେ ୧୪୦୦ରୁ ଊଦ୍ଧ୍ୱର୍ ଷ୍ଟଲ୍ ଖୋଲିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ତିନି ହଜାର ଛୋଟ ବଡ଼ ଉଠା ବ୍ୟବସାୟୀ ଆସିଛନ୍ତି । ଧୂଳିକୁ ରୋକିବା ପାଇଁ ପଡ଼ିଆରେ ସିଏମ୍ସି ତରଫରୁ ପାଣି ସିଞ୍ଚନ କରାଯାଇଥିଲେ ବି ଧୂଳିକୁ ଅଟକା ଯାଇପାରି ନାହିଁ । ବାଲିଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ଲାଗି ୫୫ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି । ଏଥର ମୁଖ୍ୟ ଅତିଥିଙ୍କ ଦ୍ୱାରା ଏକ ଆଣ୍ଡ୍ରଏଡ୍ ଆପ୍ ଉନ୍ମୋଚିତ ହୋଇଛି । ଗୁଗୁଲି ପ୍ଲେ ଷ୍ଟୋର୍ରୁ ଏହାକୁ ଡାଉନ୍ଲୋଡ୍ କରି ବାଲିଯାତ୍ରାରେ କେଉଁଠି କ’ଣ ରହିଛି ଓ କ’ଣ ମିଳୁଛି ତାହା ଏହି ଆପ ଦ୍ୱାରା ଜାଣି ହେବ । ବାଲିଯାତ୍ରା ପାଇଁ ଆଜିିଠାରୁ ଟ୍ରାଫିକ୍ କଟକଣା ଲାଗୁ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି କଟକ ବାଲିଯାତ୍ରାର ଅବଧିକୁ ଆଉ ଗୋଟିଏ ଦିନ ବଢାଇବା ନେଇ ଘୋଷଣା କରିଛନ୍ତି । ସୁତରାଂ ଏଥର ବି ବାଲିଯାତ୍ରା ସାତଦିନ ପରିବର୍ତ୍ତେ ଆଠଦିନ ବ୍ୟାପୀ ଚାଲିବ । ଚଳିତବର୍ଷ ପାଗ ଅନୁକୂଳ ରହିଥିôବାରୁ କାରବାର ବେଶ୍ ଭଲ ହେବ ବୋଲି ବ୍ୟବସାୟୀମାନେ ଅଶା ବାନ୍ଧିଛନ୍ତି ।




Powered by odothemes.com