1

ଅସହାୟ ଚାଷୀ, ଫସଲ ଲାଗି ପୂଜାର୍ଚ୍ଚନା

34

ଚରିଗଲେ ମାଟିଆ ଗୁଣ୍ଡି ପୋକ
ସୋରଡ଼ା (ଆପ୍ର): ପରିବେଶ ଅନୁକୂଳ ଥିବାରୁ ଫସଲ ମଧ୍ୟ ବେଶ୍ ଭଲ ହେବ ବୋଲି ଚାଷୀଙ୍କ ମନରେ ଖୁସି ଓ ଉତ୍ସାହ ଥିଲା । ଭଲ ଅମଳ ହେଲେ ହାତକୁ ଦୁଇ ପଇସା ଆସିବ ବୋଲି ଚାଷୀ ଆଶାବାନ୍ଧି ବସିଥିଲା । ହେଲେ ଆଶା ମଉଳିଗଲା । ଧାନରେ ମାଟିଆ ଗୁଣ୍ଡି ପୋକ ଲାଗିବାରୁ ଫସଲ ନଷ୍ଟ ହୋଇଯାଇଛି । କିଛି ସ୍ଥାନରେ ଧାନରେ ପୋକ ଲାଗି ନଷ୍ଟ ହୋଇଯିବାରୁ ଚାଷୀମାନେ ଅତିଷ୍ଠ ହୋଇ ଫସଲରେ ନିଆଁ ଲଗାଇ ଆତ୍ମହତ୍ୟା କଲେଣି ତ ଆଉ କେତେକ ଜାଗାରେ ଚାଷୀ ଆନେ୍ଦାଳନ ମୁଣ୍ଡ ଟେକିଲାଣି । ଚାଷୀମାନେ ଧାନ କେଣ୍ଡା ଧରି ତହସିଲଦାର୍ଙ୍କ କାର୍ଯ୍ୟାଳୟ ଘେରାଉ କରିବା ଆରମ୍ଭ କଲେଣି । କ୍ଷୟକ୍ଷତି ଦାବି ଜୋର୍ ଧରୁଛି । ଅଧିକାଂଶ ଚାଷୀ ଚଳିତବର୍ଷ ଫସଲ ଅମଳ ଆଶା ଛାଡ଼ିଦେଲେଣି । ରାଜ୍ୟର ପଶ୍ଚିମାଞ୍ଚଳ ଓ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ମାଟିଆ ଗୁଣ୍ଡି ରୋଗ ପୋକର ପ୍ରଭାବରେ ଶହ ଶହ ଏକର ଫସଲ ନଷ୍ଟ ହୋଇଗଲାଣି । ସୋରଡ଼ା ବ୍ଲକ୍ରେ ବିଶେଷ ଭାବେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସୋରଡ଼ା ବ୍ଲକ୍ ସରାବଡ଼ି ପଞ୍ଚାୟତ ଗୁଣ୍ଡିରିବାଡ଼ି ଗ୍ରାମରେ ରହନ୍ତି ପ୍ରାୟ ୩ଶହ ପରିବାର । ସମସ୍ତଙ୍କର ଜୀବିକା କୃଷି । ବର୍ଷ ତମାମ ଏମାନେ ଚାଷ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାନ୍ତି । କିନ୍ତୁ ଚଳିତବର୍ଷ ଏଠାରେ ଧାନଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗ୍ରାମରେ ପ୍ରାୟ ୧୭ ଶହ ହେକ୍ଟର ଜମି ରହିଛି । ଦୀର୍ଘ ୧୦ ଦିନ ହେଲା ଶହେ ହେକ୍ଟର ଜମିରେ ରୋଗପୋକ ଲାଗି ଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ପ୍ରତିଦିନ ଭରଣ ଭରଣ ଫସଲ ନଷ୍ଟ ହେଉଛି, ଯାହା ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି । ଯେତେ ଔଷଧ ପକାଇଲେ ମଧ୍ୟ କୌଣସି ସୁଫଳ ମିଳୁନି । କୃଷି ଅଧିକାରୀ ମଧ୍ୟ ନାଚାର । ଏହି ରୋଗପୋକଙ୍କ ପ୍ରଭାବ ଦିନକୁ ଦିନ ବଢ଼ି ଏବେ ଆଖପାଖ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି । ମାଟିଆ ଗୁଣ୍ଡି ପୋକ ଦ୍ୱାରା ଫସଲ ନଷ୍ଟର ଯେଉଁ ଆକଳନ କରାଯାଇଛି ତାହା ଅନୁମାନ ଠାରୁ ଢ଼େର ଅଧିକ ହେବ । ଏହାର ନିରାକରଣ ପାଇଁ ବିଭାଗ ତରଫରୁ ମଧ୍ୟ କୌଣସି ସଚେତନତା କରାଯାଇନାହିଁ ବୋଲି ଅନେକ ଚାଷୀ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହାର ମୁକାବିଲା ପାଇଁ କୌଣସି କୀଟନାଶକ ଔଷଧ ସମ୍ପର୍କରେ ସୂଚନା ଦିଆଯାଇନାହିଁ କି ରିହାତି ଦରରେ ଚାଷୀଙ୍କୁ ରୋକପୋକ ନିୟନ୍ତ୍ରଣ ପାଇଁ ଔଷଧ ବଣ୍ଟାଯାଇନାହିଁ । ଉପାୟ ନପାଇ ଏବେ ଅନେକ ପଞ୍ଚାୟତରେ ଅନ୍ଧବିଶ୍ୱାସର ସାହାରା ନେଇ ଆରମ୍ଭ ହେଲାଣି ପୂଜାର୍ଚ୍ଚନା । ଗ୍ରାମଗୁଡ଼ିକରେ ଢୋଲ, ମହୁରୀ, ଘଣ୍ଟ ସହ ରୋଗପୋକ ନିୟନ୍ତ୍ରଣ ପାଇଁ ମହିଳାମାନେ କଳସଯାତ୍ରା କରୁଛନ୍ତି । କେତେକ ସ୍ଥାନରେ ମଧ୍ୟ ମାଟି ପୂଜା ଆରମ୍ଭ ହେଲାଣି । ଜମିଗୁଡ଼ିକରେ ମନ୍ଦାର ଫୁଲ ଦେଇ ପୂଜା ସହ ଝୁଣା ଫିଙ୍ଗା ହେଉଛି । ଏହିପରି ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି ବ୍ଲକ୍ର ସରାବାଡ଼ି ପଞ୍ଚାୟତ ଗୁଣ୍ଡିରିବାଡ଼ି ଗ୍ରାମରେ । ଗୁଣ୍ଡିରିବାଡ଼ି ଗ୍ରାମରେ ଶତାଧିକ ମହିଳା ଆରମ୍ଭ କରିଛନ୍ତି ଉପବାସ ବ୍ରତ । ନୂଆ ଲୁଗା ପିନ୍ଧି, ଢୋଲ, ମହୂୁରୀ, ଘଣ୍ଟ ବାଦ୍ୟର ତାଳେ ତାଳେ ଗ୍ରାମବାସୀମାନେ ବାହାରିଛନ୍ତି ଗ୍ରାମଦେବୀଙ୍କ ପୂଜା ପାଇଁ । ଗ୍ରାମଦେବତୀଙ୍କ ପାଇଁ ପ୍ରସ୍ତୁତ ହେଉଛି ପଣା ଓ ଗଜାମୁଆଁ । ଗ୍ରାମବାସୀଙ୍କ ମତରେ ପଶୁମାନଙ୍କୁ ଯେପରି ବସନ୍ତ ରୋଗ ହେଲେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଏ, ଧାନ ଫସଲର ମଧ୍ୟ ଏହା ସେଭଳି ଏକ ରୋଗ । ମା’ଙ୍କ ଆଶୀର୍ବାଦରୁ ଏହି ରୋଗ ଭଲ ହେବ ଏବଂ ପୁଣି ଥରେ ଧାନ ଫସଲ ପୂର୍ବାବସ୍ଥାକୁ ଫେରିଆସିବ ବୋଲି ଗ୍ରାମବାସୀଙ୍କ ଧାରଣା । ଅନେକ ଚାଷୀ କ୍ଷୟକ୍ଷତି ମିଳିବ ବୋଲି ଆଶା ମଧ୍ୟ ଛାଡ଼ିଦେଲେଣି । ବର୍ତ୍ତମାନ ସୁଦ୍ଧା କୌଣସି କୃଷି ବିଭାଗୀୟ ବିଶେଷଜ୍ଞ ଓ ରୋଗପୋକ ନିୟନ୍ତ୍ରଣ ବିଶେଷଜ୍ଞଙ୍କ ଦେଖାମିଳିନାହିଁ । କେବଳ ବିଭାଗୀୟ ଆକଳନ ଚାଲିଛି । ଫସଲ କ୍ଷୟକ୍ଷତିର ନିରପେକ୍ଷ ତଦନ୍ତ କରି ସଠିକ୍ ଆକଳନ କରା ନଯାଇ ଚାଷୀଙ୍କୁ ଶୀଘ୍ର କ୍ଷୟକ୍ଷତିର ପରିମାଣ ଦିଆନଗଲେ ଆଗାମୀ ଦିନରେ ଚାଷୀ ମୃତୁ୍ୟ ଘଟଣା ନିଶ୍ଚିତ ରୂପେ ବଢ଼ିବ, ଏଥିରେ କୌଣସି ଦ୍ୱିମତ ନାହିଁ ।




Powered by odothemes.com