ପ୍ରତି ତୀର୍ଥଯାତ୍ରୀ ଦଳରେ ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀଙ୍କୁ ପଠାଯିବ

56

ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର କାର୍ଯ୍ୟାନ୍ୱୟନ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରାଯାଇଛି । ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବୈଠକରେ ଏହି ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା । ପ୍ରତି ତୀର୍ଥଯାତ୍ରୀ ଦଳଙ୍କ ଦାୟିତ୍ୱରେ ଜଣେ ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ପଠାଇବା ପାଇଁ ଶ୍ରୀ ପାଢ଼ୀ ନିଦେ୍ର୍ଦଶ ଦେଇଥିଲେ । ସମୁଦାୟ ଯାତ୍ରାକୁ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ସହଜ ଲବ୍ଧ ଓ ସୁବିଧାଜନକ କରିବା ପାଇଁ ମଧ୍ୟ ଶ୍ରୀ ପାଢ଼ୀ ନିଦେ୍ର୍ଦଶ ଦେଇଥିଲେ । ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଡଃ ମୋନା ଶର୍ମା ତୀର୍ଥଯାତ୍ରା ସମ୍ବନ୍ଧିତ ପ୍ରଶାସନିକ ଏକ ଆର୍ଥିକ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ପର୍ଯ୍ୟଟନ ନିଦେ୍ର୍ଦଶକ ନିତୀନ୍ ଭାନୁଦାସ ଜାୱାଲେ କାର୍ଯ୍ୟକ୍ରମ ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୬-୧୭ ଆର୍ଥିକ ବର୍ଷରୁ ଆରମ୍ଭ କରାଯାଇଛି । ଚଳିତ ବର୍ଷ ପାଇଁ ବରିଷ୍ଠ ନାଗରିକ ମାନେ ଭୁବନେଶ୍ୱରରୁ ଆଜମେର-ପୁଷ୍କାର, ସମ୍ବଲପୁର-ସିରିଡି, ନାସିକ-ତୈମ୍ବକେଶ୍ୱର ଏବଂ ବ୍ରହ୍ମପୁରରୁ ତିରୁପତି-ଭେଲୋର ଆଦି ସ୍ଥାନକୁ ତୀର୍ଥଯାତ୍ରାରେ ଯିବେ ବୋଲି ବୈଠକରେ ସ୍ଥିର ହୋଇଥିଲା । ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଳାସ୍ତରୀୟ କମିଟି ଏବଂ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । ଚଳିତବର୍ଷ ନଭେମ୍ବର ମାସଠାରୁ ପ୍ରଥମ ଦଳ ଯାତ୍ରା ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ମଧ୍ୟରେ ବିଜ୍ଞାପନ ମାଧ୍ୟମରେ ଆଗ୍ରହୀ ବରିଷ୍ଠ ନାଗରିକଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ମୁଖ୍ୟତଃ ୬୦ରୁ ୭୫ବର୍ଷ ବୟସ୍କ ନାଗରିକମାନେ ଏହି ଯାତ୍ରା କରିପାରିବେ । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ନାଗରିକମାନଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ମାଗଣା ହେବ । ଦାରିଦ୍ର୍ୟ ସୀମାରେଖା ଉପରେ ଥିବା ବ୍ୟକ୍ତିଙ୍କ ନିମନ୍ତେ ୫୦% ଦେୟ ରହିବ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯାତ୍ରାକାଳରେ ଖାଦ୍ୟ, ରାତିରହଣୀ, ବିଭିନ୍ନ ସ୍ଥାନ ଦର୍ଶନ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଆଦିର ବ୍ୟବସ୍ଥା କରାଯିବ । ଗୋଟିଏ ଦଳରେ ୭୫୦ରୁୂ ୧୦୦୦ ପର୍ଯ୍ୟନ୍ତ ଯାତ୍ରୀ ଯିବେ । ତୀର୍ଥଯାତ୍ରା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ଭାରତୀୟ ରେଳସେବା ସହ ବୁଝାମଣା ସ୍ୱାକ୍ଷରିତ କରିଛନ୍ତି । ଚଳିତବର୍ଷ ସମୁଦାୟ ୩ଟି ବରିଷ୍ଠ ନାଗରିକ ଦଳ ତୀର୍ଥ ଯାତ୍ରା କରିବେ । ପ୍ରତି ଯାତ୍ରାର ଅବଧି ୭ରୁ ୮ ଦିନ ମଧ୍ୟରେ ହେବ । ତେବେ ଯାତ୍ରା ସ୍ଥଳରେ ଉପଯୁକ୍ତ ଖାଦ୍ୟ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ରହଣୀ ଆଦିର ବ୍ୟବସ୍ଥା କରିବା ପାଇଁ ଶ୍ରୀ ପାଢ଼ୀ ନିଦେ୍ର୍ଦଶ ଦେଇଛନ୍ତି । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ତୁହୀନ କାନ୍ତ ପାଣ୍ଡେ, ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ମିଶ୍ର, ପର୍ଯ୍ୟଟନ ନିଦେ୍ର୍ଦଶକ ନିତୀନ୍ ଭାନୁଦାସ ଜାୱାଲେ, ଯୋଜନା ସମନ୍ୱୟ ବିଭାଗ ସ୍ୱତନ୍ତ୍ର ସଚିବ ଦେବେନ୍ଦ୍ର କୁମାର ଜେନାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com