ଧାନଫସଲରେ ମାଟିଆଗୁଣ୍ଡି ପୋକ, ଚିନ୍ତାରେ ଚାଷୀ

39

ଆସିକା (ଆପ୍ର) : ଆସିକା ବ୍ଳକ ପରିସରଭୁକ୍ତ ଖଣ୍ଡଦେଉଳୀ, ଦେବଭୂମି, ନଳବଣ୍ଟା, ଗୁଣ୍ଠପଡ଼ା, ବାଲିସିରା, ମୁନିଗାଡ଼ି ପଞ୍ଚାୟତ ସମେତ ଆଖପାଖ କେତେକ ଗ୍ରାମାଞ୍ଚଳର କ୍ଷେତରେ ହୋଇଥିବା ଖରିଫ୍ ଧାନ ଫସଲରେ ଗତ କିଛି ଦିନ ହେଲା ମାଟିଆଗୁଣ୍ଡି ପୋକଙ୍କ ପ୍ରାଦୁର୍ଭାବ ଦେଖାଦେଇଛି । ଏଥିଯୋଗୁଁ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି । ମାଟିଆଗୁଣ୍ଡି ପୋକଙ୍କ ପ୍ରାଦୁର୍ଭାବ ଯୋଗୁଁ ଧାନଗଛ ମରିଯାଉଛି । ଆଉ କେତେକ କ୍ଷେତରେ ଧାନକେଣ୍ଡା ସବୁ ଅଗାଡ଼ି ହୋଇଯାଉଛି ବୋଲି ବହୁ ଚାଷୀ ପ୍ରକାଶ କରିଛନ୍ତି । ମାଟିଆଗୁଣ୍ଡି ପୋକ ଯୋଗୁଁ ଚାଷୀଙ୍କ ଚିନ୍ତା ଦିନକୁ ଦିନ ବଢ଼ିଚାଲିଛି । ବର୍ଷକର ଧାନହାଣ୍ଡି ଉଜୁଡ଼ି ଯିବାକୁ ବସିଛି । ଆସିକା ବ୍ଳକର ଖଣ୍ଡଦେଉଳୀ ପଞ୍ଚାୟତର କର୍ଣ୍ଣୋଳୀ ଗ୍ରାମର ଗାଣ୍ଡୁ ଗୌଡ, ନୀଳ ବିଷୋୟୀ, ଦିବାକର ବିଷୋୟୀ, ଶିବରାମ ଭୂୟାଁ, ବଂଶୀଧର ଗୌଡ଼, ଅଭି ନାହାକ, ଅଶୋକ କୁମାର ସ୍ୱାଇଁ, ଖଣ୍ଡଦେଉଳୀ ଗ୍ରାମର ସନ୍ତୋଷ ସ୍ୱାଇଁ, ଲିଟୁ ସ୍ୱାଇଁ, ମୂରଲୀ ସ୍ୱାଇଁ, ଅରକ୍ଷିତ ସ୍ୱାଇଁ, ଲିଙ୍ଗରାଜ ଗୌଡ, ଅନନ୍ତ ଗୌଡ଼, ନଳବଣ୍ଟା ଗ୍ରାମର ସୁବାସ ଦଳେଇ, ଗୌର ପ୍ରଧାନ, ସନ୍ତୋଷ ପୋଲାଇ, ବଟକୃଷ୍ଣ ପ୍ରଧାନ, ସୂର୍ଯ୍ୟ ପ୍ରଧାନ, ଅଭିମନୁ୍ୟ ଦଳେଇଙ୍କ ଭଳି ବହୁ ଚାଷୀଙ୍କ ଖରିଫ୍ ଧାନ ଫସଲରେ ମାଟିଆଗୁଣ୍ଡି ପୋକଙ୍କ ପ୍ରାଦୁର୍ଭାବ ଦେଖାଦେଇଛି । ଖରିଫ୍ ଧାନ ଫସଲରେ ମାଟିଆଗୁଣ୍ଡି ପୋକଙ୍କ ପ୍ରାଦୁର୍ଭାବ ସଂକ୍ରାନ୍ତରେ କୃଷି ଅଧିକାରୀ ଦୀପକ କୁମାର ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି ଯେ, ଆସିକା ବ୍ଳକର ୨୭ଟି ପଞ୍ଚାୟତ ଓ ଏନ୍ଏସି ଅଧିନସ୍ଥ ୧୮ଟି ୱାର୍ଡ ଅଞ୍ଚଳରେ ଥିବା ପ୍ରାୟ ୧୭ ହଜାରରୁ ଊଦ୍ଧ୍ୱର୍ ଚାଷ ଜମି ମଧ୍ୟରୁ ଚଳିତ ଖରିଫ୍ ଋତୁରେ ସମୁଦାୟ ୮ ହଜାର ୨ ଶହ ହେକ୍ଟର ଜମିରେ ଧାନଚାଷ ହୋଇଛି । କେତେକ ଅଞ୍ଚଳରେ ଖରିଫ୍ ଧାନ ଫସଲରେ ମାଟିଆଗୁଣ୍ଡି ପୋକ ଲାଗିଥିବା ଖବର ଆସିବା ପରେ ପରିସ୍ଥିତି ଅନୁଧ୍ୟାନ କରାଯାଉଛି । ବର୍ତ୍ତମାନ ଥଣ୍ଡାର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ତେଣୁ ମାଟିଆଗୁଣ୍ଡି ପୋକ ଆପେ ଆପେ ନିୟନ୍ତ୍ରଣ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି । ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସହାୟତା ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

ସେଆର କରନ୍ତୁ:



Powered by odothemes.com