ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ

38

ହିଞ୍ଜିଳିକାଟୁ (ଆପ୍ର): ସମରଝୋଳ ଗ୍ରାମରେ ସିରିଜ୍ ଚୋରି ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ସୋମବାର ସାରା ରାତି ଚୋର ଓ ପୁଲିସକୁ ଗ୍ରାମବାସୀ ଅଟକ ରଖିବା ପରେ ମଙ୍ଗଳବାର ପୂର୍ବାହ୍ନରେ ଟାୟାର ଜାଳି ୫୯ ନଂ ଜାତୀୟ ରାଜପଥ ୫ ଘଣ୍ଟା ଧରି ଅବରୋଧ କରିଥିଲେ । ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ନିକଟରେ ଥିବା ଦେଶୀ ମଦ ଭାଟି ଓ ବିଦେଶୀ ଦୋକାନ ଭାଙ୍ଗି ମଦ ନଷ୍ଟ କରିଛନ୍ତି । ଘଟଣାରେ ସ୍ଥାନୀୟ ପୁଲିସ ୨ ଜଣଙ୍କୁ ଥାନାରେ ଅଟକ ରଖି ସେମାନଙ୍କ ନିକଟରୁ ଗୋଟିଏ ମୋଟରସାଇକେଲ୍ (ଓଡି ୦୭ଜେ ୮୧୪୧) ଜବତ କରିଛି । ତେବେ ଅନ୍ୟ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ହେବାରେ ସକ୍ଷମ ହୋଇଛି । ଗତ କିଛି ଦିନ ଧରି ହିଞ୍ଜିଳିକାଟୁ ଥାନା ସମରଝୋଳ ଛକରେ ସିରିଜ୍ ଚୋରି ହୋଇଥିଲା । ଚୋରଙ୍କୁ କାବୁ କରିବା ନିମନ୍ତେ ଗ୍ରାମବାସୀ ଯୋଜନା ପ୍ରସ୍ତୁତ କରିଥିଲେ । ସୋମବାର ରାତି ପ୍ରାୟ ୯ଟାରେ ୩ ଜଣ ଦୁର୍ବୃତ୍ତ ଚୋରି କରିବା ନିମନ୍ତେ ସମରଝୋଳ ଛକ ସ୍ଥିତ ଜନୈକ ବ୍ୟକ୍ତିଙ୍କ ଘର ମଧ୍ୟରେ ପଶିବାକୁ ଉଦ୍ୟମ କରିଥିଲେ । ଗ୍ରାମବାସୀ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ବାଇକ୍ ଯୋଗେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଜଣଙ୍କୁ କାବୁ କରି ଗ୍ରାମବାସୀ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚôଥିଲା । ଅଟକ ଅଭିଯୁକ୍ତକୁ ଥାନା ନେବା ପାଇଁ ପୁଲିସ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ ଉଭୟ ଅଭିଯୁକ୍ତ ଓ ପୁଲିସଙ୍କୁ ଅଟକ ରଖିଥିଲେ । ସାରା ରାତି ଅଟକ ରହିବା ପରେ ମଙ୍ଗଳବାର ଭୋର ୪ଟାରେ କୌଶଳକ୍ରମେ ପୁଲିସ ଅଭିଯୁକ୍ତକୁ ଥାନାକୁ ନେବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତକୁ ଜେରା ସମୟରେ ଅନ୍ୟ ଦୁଇ ଜଣଙ୍କ ଠିକଣା ପାଇଥିଲା ପୁଲିସ । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ କୁକୁଡ଼ାଖଣ୍ଡିରୁ ପୁଲିସ କାବୁ କରିଥିବାବେଳେ ଅନ୍ୟ ଜଣେ ଚମ୍ପଟ ମାରିଥିଲା । ପୁଲିସର ଏଭଳି କାର୍ଯ୍ୟକଳାପରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ । ମଙ୍ଗଳବାର ଭୋର ୪ଟାରେ ଗ୍ରାମର ୫ ଶହରୁ ଊଦ୍ଧ୍ୱର୍ ପୁରୁଷ ଓ ମହିଳା ଟାୟାର ଜାଳି ୫୯ ନଂ ଜାତୀୟ ରାଜପଥ ଅବରୋଧ ସହ ଧରାପଡ଼ିଥିବା ୨ ଅଭିଯୁକ୍ତଙ୍କୁ ଗ୍ରାମବାସୀଙ୍କୁ ପ୍ରଦାନ ସକାଶେ ଜିଦ୍ରେ ଅଟକ ରହିଥିଲେ । ମଦ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଦୂର୍ଘଟଣା ଏବଂ ଚୋରି ବୃଦ୍ଧି ପାଉଥିବାକୁ ଗ୍ରାମ ନିକଟସ୍ଥ ବିଦେଶୀ ମଦ ଦୋକାନ ଏବଂ ବଡ଼ଖଣ୍ଡି ଗ୍ରାମରେ ଥିବା ଦେଶୀ ମଦ ଭାଟିକୁ ଭାଙ୍ଗି ଗଚ୍ଛିତ ମଦକୁ ନଷ୍ଟ କରିଦେଇଥିଲେ । ଜାତୀୟ ରାଜପଥ ଅବରୋଧ ଫଳରେ ଉଭୟ ପାଶ୍ୱର୍ରେ ବହୁ ଯାନବାହନ ଅଟକି ରହିଥିଲା । ଖବର ପାଇ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ମହାପାତ୍ର, ତହସିଲଦାର ପ୍ରିୟ ରଞ୍ଜନ ପୃଷ୍ଟି, ବିଡିଓ ଦେବବ୍ରତ ସାହୁ, ଆସିକା ପୁଲିସ ଉପଖଣ୍ଠ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା, ପାଟପୂୁର ଥାନା ଅଧିକାରୀ ଅଜୟ କୁମାର ବାରିକ, ଶେରଗଡ଼ ଥାନା ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଆସିକା ଥାନା ଅଧିକାରୀ ବାଲେଶ୍ୱର ଗିଧି ଓ ପାଞ୍ଚ ପ୍ଲାଟୁନ୍ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚô ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ସକାଳ ପ୍ରାୟ ୯ଟାରେ ରାସ୍ତା ଅବରୋଧ ହଟିଥିଲା । ସମ୍ପୃକ୍ତ ଗ୍ରାମରେ ଚାପା ଉତ୍ତେଜନା ଲାଗିଥିବାରୁ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିଛନ୍ତି । ସୋମବାର ରାତିରେ ଖବର ସଂଗ୍ରହ ନିମନ୍ତେ ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳକୁ ଯାଇଥିବାବେଳେ ଉତ୍ତେଜିତ ଗ୍ରାମବାସୀ ସେମାନଙ୍କ କ୍ୟାମେରା ଛଡ଼ାଇବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ସ୍ଥାନୀୟ ଥାନାରେ ମାମଲା ରୁଜୁ କରାଯାଇଛି । ତଦନ୍ତରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ଗିରଫ ବ୍ୟକ୍ତିଙ୍କ ନାମ ପ୍ରକାଶ କରାଯାଇନାହିଁ ।

ସେଆର କରନ୍ତୁ:



Powered by odothemes.com