କୃଷି ବିକାଶ ଯୋଜନାରେ ୨୬ ପ୍ରସ୍ତାବ

RASTRIYA-KRUSHI-BIKASHA-YAJANA-MEETING--AT-SECRETARIAT(2)

ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ କୃଷି ଉତ୍ପାଦକୀୟତା ଏବଂ କୃଷକର ଆୟ ବଢ଼ାଇବା ନିମନ୍ତେ ବିଭିନ୍ନ ବିଭାଗ ଏବଂ ନିଗମଗୁଡ଼ିକ ୨୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ୨୬ ନୂତନ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି । ୨୩ ପ୍ରକଳ୍ପକୁ ସରକାର ଅନୁମୋଦନ କରିଛନ୍ତି । ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆର୍କେଭିୱାଇ)ର ମଞ୍ଜୁରୀ କମିଟି ବୈଠକରେ ଏହାକୁ ଅନୁମୋଦନ ଓ ମଞ୍ଜୁର କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ପ୍ରକଳ୍ପ ମଞ୍ଜୁରୀ ଓ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ବିଭାଗୀୟ ସ୍ୱତନ୍ତ୍ର ସଚିବ ଭାସ୍କର ଜ୍ୟୋତି ଶର୍ମା ପ୍ରକଳ୍ପର ବୈଷୟିକ ପ୍ରଶାସନିକ ଏବଂ ଆର୍ଥିକ ଦିଗ ଉପସ୍ଥାପନ କରିଥିଲେ । ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ପ୍ରକଳ୍ପକୁ କୃଷକଙ୍କ ନିମନ୍ତେ ଅଧିକ ଫଳପ୍ରସୂ ଏବଂ ଲାଭଦାୟୀ କରିବା ପାଇଁ ସଂପୃକ୍ତ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ପଛୁଆ ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଧିକ ପୁଷ୍ଟିଯୁକ୍ତ ଛୋଟ ମାଛ ଚାଷକୁ ପ୍ରୋତ୍ସାହିତ କରିବା ନିମନ୍ତେ ମଧ୍ୟ ଶ୍ରୀ ପାଢ଼ୀ ନିଦେ୍ର୍ଦଶ ଦେଇଥିଲେ । ବୋର୍ୱେଲ୍ ଏବଂ ନଦୀରୁ ଲିଫ୍ଟ ପଏଣ୍ଟ ମାଧ୍ୟମରେ ଅଧିକ ଜଳସେଚନ ସୁବିଧା ସୃଷ୍ଟି ପ୍ରକଳ୍ପ ଆଧୁନିକ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର, ବତକଙ୍କୁ ସଂକ୍ରମିତ ହେଉଥିବା ରୋଗ ନିରୀକ୍ଷଣ ଓ ପରିଚାଳନା, ଚାଷୀଙ୍କ ନିକଟରେ ପଶୁ ଚିକିତ୍ସା ସୁବିଧା ଯୋଗାଣ, କାଜୁ ନର୍ସରୀର ଦୃଢ଼ୀକରଣ, ସଘନ ଚିଙ୍ଗୁଡ଼ି ଚାଷ, ଉନ୍ନତମାନର ମାଛ ଯାଅାଁଳ ଉତ୍ପାଦନ, ସ୍ୱୟଂକ୍ରିୟ ଦୁଗ୍ଧ ସଂଗ୍ରହ ୟୁନିଟ୍ ସ୍ଥାପନ, କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କ ନିମନ୍ତେ ସମନ୍ୱିତ ଚାଷ ପଦ୍ଧତିର ବିକାଶ ଆଦି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ଦିଆଯାଇଥିଲା । ସୂଚନାଯୋଗ୍ୟ, ୨୦୦୭-୦୮ରୁ ରାଜ୍ୟରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ସମୁଦାୟ ୬୧୫ ମୁଖ୍ୟ ପ୍ରକଳ୍ପ ହାତକୁ ନିଆଯାଇଛି । ତନ୍ମଧ୍ୟରୁ ୪୧୭ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି । ଅବଶିଷ୍ଟ ୧୯୮ ପ୍ରକଳ୍ପ କାର୍ଯ୍ୟ ବର୍ଷୱାରୀ ଚାଲୁରହିଛି । ଏହି ଯୋଜନା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ପାଣ୍ଠି ଯୋଗାଇଥାଆନ୍ତି । ୨୦୧୭-୧୮ ବର୍ଷ ନିମନ୍ତେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ୨୦୫.୧୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି ଏବଂ ରାଜ୍ୟ ସରକାର ୧୩୬.୭୯ କୋଟି ଟଙ୍କା ଯୋଗାଇଛନ୍ତି । ଚଳିତବର୍ଷ ନିମନ୍ତେ ରାଜ୍ୟ ସରକାର ମୋଟ ୭୦୭.୫୫ କୋଟି ଟଙ୍କା ବଜେଟ୍ ବ୍ୟୟ ବରାଦ କରିଛନ୍ତି । କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ତୁହିନ କାନ୍ତ ପାଣ୍ଡେ, କେନ୍ଦ୍ରୀୟ କୃଷି ଓ କୃଷକ ମଙ୍ଗଳ ବିଭାଗ ଯୁଗ୍ମ ଶାସନ ସଚିବ ପ୍ରଶାନ୍ତ କୁମାର ସ୍ୱାଇଁ, ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା, ସମବାୟ ସଚିବ ରଂଜନା ଚୋପ୍ରା, ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ଶାସନ ସଚିବ ବିଶାଳ ଗଗନ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।