ଶକ୍ତି ସଂଗ୍ରହ ପରେ ଲଢ଼େଇ କରିବ ବିଜେପି

36

ଭୁବନେଶ୍ୱର, ୯ା୫ (ବୁ୍ୟରୋ): ରାଜ୍ୟରେ ଅତ୍ୟନ୍ତ ଦୁର୍ବଳ ସାଙ୍ଗଠନିକ ସ୍ଥିତିରେ ଥିବା ବିଜେପି ଏବେ ଶକ୍ତି ସଂଗ୍ରହକୁ ଗୁରୁତ୍ୱ ଦେବା ଆରମ୍ଭ କରିଛି । ଏଥିପାଇଁ ଦଳ ପକ୍ଷରୁ ମହାସଂପର୍କ ଅଭିଯାନ ଯୋଜନା ଆରମ୍ଭ କରାଯାଇଛି । ସ୍ଥିତି ଦୃଢ ହେଲାପରେ ବିଜେଡ଼ି ସରକାର ବିରୋଧରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଛି । ଇତି ମଧ୍ୟରେ ଦଳର ସଦସ୍ୟ ସଂଖ୍ୟା ୩୦ ଲକ୍ଷ ଟପିଛି । ଆଉ ତିନିମାସ ମଧ୍ୟରେ ଏହାକୁ ୪୦ଲକ୍ଷରେ ପହଞ୍ଚାଇବାକୁ ଦଳ ଲକ୍ଷ୍ୟ ରଖାଯାଇଛି । ସେହିଭଳି ଗ୍ରହଣ କରାଯାଇଥିବା ରାଜନୈତିକ ପ୍ରସ୍ତାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳତା, ରାଜ୍ୟ ସରକାରଙ୍କ ଜମି ଦୁର୍ନୀତି, ଆଇନଶ୍ୃଙ୍ଖଳା, ଆର୍ଥିକ ପରିଚାଳନାରେ ତୃଟି, ରୋଜଗାର ସୃଷ୍ଟି କରିବାରେ ଅକ୍ଷମତାକୁ ଆଗାମୀ ଦିନରେ ପ୍ରସଙ୍ଗ କରି ଲୋକଙ୍କ ନିକଟକୁ ଯିବା ପାଇଁ ସ୍ଥିର କରାଯାଇଛି । ଗତକାଲି ଠାରୁ ରାଜ୍ୟ ବିଜେପି ପଦାଧିକାରୀଙ୍କ ବୈଠକ ଆରମ୍ଭ ହୋଇଛି । ଆଜିଠାରୁ ଦଳର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ କରାଯାଇଛି । ବିଜେପି ରାଜ୍ୟ ଶାଖା ସଭାପତି କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିବା ବୈଠକରେ ମହାସଂପର୍କ ଅଭିଯାନକୁ ଉଦ୍ଘାଟନ କରାଯାଇଥିଲା । ଏହି ଅବସରରେ ଶ୍ରୀ ସିଂହଦେଓ କହିଥିଲେ, ଦଳୀୟ କର୍ମୀମାନେ ଅକ୍ଲାନ୍ତ ପରିଶ୍ରମ କରି ବିଜେପି ସଦସ୍ୟ ସଂଖ୍ୟା ୩ଲକ୍ଷରୁ ୩୦ଲକ୍ଷରେ ପହଞ୍ଚାଇଛନ୍ତି । ମହାସଂପର୍କ ଅଭିଯାନକୁ ସଫଳ କରିବାକୁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ବିଜେପି ପ୍ରଭାରୀ ଅରୁଣ ସିଂହ କହିଲେ, ବିଜେପିର ପଦାଧିକାରୀ ଓ କର୍ମୀମାନେ ଗତ ତିନିମାସ ମଧ୍ୟରେ ବିଜେପିର ହୋଇଥିବା ନୂଆ ସଦସ୍ୟଙ୍କୁ ଦ୍ୱାରଦ୍ୱାର ବୁଲି ସାକ୍ଷତ କରିବେ । ସେମନେଙ୍କୁ ଦଳର ଆଦର୍ଶ ସଂପର୍କରେ ବୁଝାଯିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ସଂପର୍କରେ ଅବଗତ କରାଯିବ । ଦଳରେ ସେମାନଙ୍କ କଣ ଭୂମିକା ରହିବ ସେଥିପାଇଁ ଅଗଷ୍ଟରୁ ଅକ୍ଟେବର ମଧ୍ୟରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହାଦ୍ୱାରା ଦଳ ତୃଣମୂଳ ସ୍ତରରୁ ସୁଦୃଢ ହେବ । କେନ୍ଦ୍ରୀୟ ସମିତି ସଦସ୍ୟ କୈଳାଶ ବିଜୟବର୍ଗିୟ କହିଲେ ଯେ ଯେଉଁମାନେ ନୂତନ ସଦସ୍ୟ ହୋଇଛନ୍ତି ସେମାନଙ୍କ ସଂପର୍କରେ ଯାଞ୍ଚ କରାଯାଇ ସତ୍ୟାସତ୍ୟ ଅନୁସଂଧାନ କରାଯିବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, କଂଗ୍ରେସର ଦୋଦୁଲ୍ୟମାନ ସ୍ଥିତି ଓ ବିଜେଡ଼ିର ଦୁର୍ନୀତି, ଅପାରଗତା ଏବଂ ଅରାଜକତାର ମୁକାବିଲା କରିବା ପାଇଁ କର୍ମୀମାନେ ସଂପର୍କ ଅଭିଯାନ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚିବେ । କେନ୍ଦ୍ର ସରକାରଙ୍କର ବିଭନ୍ନ ଜନହିତକର କାର୍ଯ୍ୟର ପ୍ରଭାବ ଅନୁଭୂତ ହେବାରେ ଲାଗିଛି । ରାଜ୍ୟରେ ଥିବା ଦଳୀୟ କର୍ମକର୍ତ୍ତାମାନେ ସଙ୍ଗଠନକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ମହାସଂପର୍କ ଅଭିଯାନର ରାଜ୍ୟ ପ୍ରଭାରୀ ସୁରେନ୍ଦ୍ର ଲାଠ ମହାସଂପର୍କ ଅଭିଯାନର କାର୍ଯ୍ୟଶୈଳୀ ସଂପର୍କରେ ଆଲୋକପାତ କରିଥିଲେ । ଅଭିଯାନର ସହସଂପର୍କ ପ୍ରମୁଖ ଛୋଟେଲାଲ ମହନ୍ତ ଆଗମୀ ଦିନରେ ହେବାକୁ ଥିବା ଜିଲ୍ଲା ଓ ମଣ୍ଡଳ କର୍ମଶାଳା ମାଧ୍ୟମରେ ବୁଥ୍ସ୍ତରରେ ଥିବା ନୂତନ ସଦସ୍ୟ ମାନଙ୍କୁ ସଂପର୍କ କରିବା ପାଇଁ ନିବେଦନ କରିଥିଲେ । ଆସନ୍ତା ୧୫ରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରରେ କର୍ମଶାଳା, ମେ ୩୦ ତାରିଖ ମଧ୍ୟରେ ମଣ୍ଡଳ ସ୍ତରରେ କର୍ମଶାଳା ଅନୁଷ୍ଠିତ ହେବ । ଏହି ଅବସରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା, ବିଜୟ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, ସୁରେଶ ପୂଜାରୀ, ମନମୋହନ ସାମଲ, ସମୀର ଦେ, ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com