chalachanchal-bandar-nagari____PARADEEP

ବୋଇତବନ୍ଦାଣ, ବାଲିଯାତ୍ରା ପାଇଁ ଚଳଚଞ୍ଚଳ ପାରାଦୀପ

29

ଚାଲିଛି ତାଳିପକା ରାସ୍ତା ମରାମତି
ପାରାଦୀପ (ଆପ୍ର): ବନ୍ଦର ନଗରୀ ପାରାଦୀପରେ ବୋଇତବନ୍ଦାଣ ଓ କଳିଙ୍ଗ ବାଲିଯାତ୍ରା ପାଇଁ କିଛିଦିନ ହେବ ବେଶ୍ ତତ୍ପରତା ଦେଖିବାକୁ ମିଳୁଛି । ଏନେଇ ବନ୍ଦରାଞ୍ଚଳ ଚଳଚଞ୍ଚଳ ହୋଇପଡିଛି । ଆସନ୍ତା ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ବାଲିଯାତ୍ରାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଦୀର୍ଘ ୫୦ବର୍ଷ ଧରି ବନ୍ଦର ପ୍ରଶାସନ ତରଫରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହୋଇଆସୁଛି । ସାଧବପୁଅ ଜାଭା, ସୁମିତ୍ରା ଓ ବିଭିନ୍ନ ଦେଶରୁ ବେପାର କରି ଘରକୁ ଫେରିବା ପରେ ବୋହୂମାନେ ବନ୍ଦାପନା କରି ଘରକୁ ନେଉଥିଲେ । ଏହି କିମ୍ବଦନ୍ତୀକୁ ମନେ ପକାଇବା ପାଇଁ ପ୍ରତି ବର୍ଷ ବନ୍ଦର ତରଫରୁ ବୋଇତ ବନ୍ଦାଣ କରାଯାଏ । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ବୋଇତ ବନ୍ଦାଣ କରିଥାନ୍ତି । ଆସନ୍ତା ୪ରେ ଏହା ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷେ ପାରାଦୀପର ରାସ୍ତାଘାଟ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଓଡିଶାର ମୁଖଶାଳା କୁହାଯାଉଥିବା ପାରାଦୀପ ବନ୍ଦରର ବିଭିନ୍ନ ସମସ୍ୟା ସମ୍ପର୍କରେ ଗଣମାଧ୍ୟମରେ ଯେତେ ପ୍ରକାଶ ପାଇଲେ ବି ବନ୍ଦର କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । ଅଠରବାଙ୍କୀରୁ ୪ନଂ ଗେଟ୍ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି । ଏହାଛଡା ଅଠରବାଙ୍କୀରୁ ସବ୍ଷ୍ଟେସନ୍ ଛକ ପର୍ଯ୍ୟନ୍ତ ରାସ୍ତାକାର୍ଯ୍ୟ କରିବା ନେଇ ଏକ ସଂସ୍ଥାକୁ ଠିକା ଦିଆଯାଇଥିଲା । ହେଲେ ୮ମାସ ବିତିଯାଇଥିଲେ ମଧ୍ୟ ଗୋଟିଏ ପାଶ୍ୱର୍ କାମ ସରିପାରିନାହିଁ । ଆଉ ଦିନ କେଇଟାରେ ବୋଇତବନ୍ଦାଣ ଓ ବାଲିଯାତ୍ରା ।ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବାରୁ ବନ୍ଦର ପ୍ରଶାସନ ତାଳିପକା କାମ କରୁଛି । ପ୍ରଶାସନର ଏଭଳି ଖାମଖିଆଲି କାର୍ଯ୍ୟକୁ ନେଇ ବନ୍ଦର ଅନ୍ତେବାସୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । କାରଣ ପାରାଦୀପ ବନ୍ଦର ବର୍ଷକୁ ଶହଶହ କୋଟି ଟଙ୍କା ଲାଭ କରୁଥିବାବେଳେ ଅଞ୍ଚଳବାସୀ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଦୀର୍ଘଦିନ ଧରି ଲାଗି ରହିଥିବା ପାଣି ସମସ୍ୟାର ସମାଧାନ ହେଉନଥିବା ବେଳେ, ବନ୍ଦର କର୍ମଚାରୀ ରହୁଥିବା କ୍ୱାର୍ଟର, ରାସ୍ତାଘାଟ ଠିକ୍ ଭାବେ ମରାମତି କରାଯାଉନାହିଁ । କାହାର ଛାତ ଗଳି ପଡିଲାଣି ତ’ କାହାର କବାଟ ଝରକା ନାହିଁ । ଯେତେ ଅଭିଯୋଗ କଲେ ମଧ୍ୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ସାଧାରଣରେ ଅଭିଯୋଗ ହୋଇଛି ।

ସେଆର କରନ୍ତୁ:



Powered by odothemes.com