cement

ଏକ୍ସପାରୀ ସିମେଣ୍ଟରେ ନିର୍ମାଣ, ସ୍ଥାୟିତ୍ୱ ନେଇ ସନେ୍ଦହ

25

ନିଶ୍ଚିନ୍ତକୋଇଲି (ଆପ୍ର): ନିଶ୍ଚିନ୍ତକୋଇଲି ବ୍ଲକ୍ ନତକାଇ ଗ୍ରାମ ପଞ୍ଚାୟତ ବାଣୀ ନଗରସ୍ଥିତ ବଲ୍ଲଭୀଦେବୀ ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ଅବଧି ଶେଷ ହୋଇସାରିଥିବା ସିମେଣ୍ଟରେ ଗୃହ ନିର୍ମାଣ କାର୍ଯ୍ୟ କରାଯାଉଥିବାର ଅଭିଯୋଗ ହୋଇଛି । ଫଳରେ ଏହି ଗୃହର ସ୍ଥାୟୀତ୍ୱକୁ ନେଇ ସାଧାରଣରେ ସନେ୍ଦହ ପ୍ରକାଶ ପାଇଛି । ବଲ୍ଲଭୀ ଦେବୀ ମହିଳା ଡିଗ୍ରୀ କଲେଜର ନୂତନ ଗୃହ ନିର୍ମାଣ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କା ପ୍ରଦାନ କଲେଜକୁ ମିଳିଥିଲା । ମହାବିଦ୍ୟାଳୟ ପକ୍ଷରୁ ଆଉ ୨ ଲକ୍ଷ ଟଙ୍କା ମିଶାଇ ମୋଟ ୧୨ ଲକ୍ଷ ଟଙ୍କା ମୂଲ୍ୟରେ ମହାବିଦ୍ୟାଳୟର ଗୃହ ନିର୍ମାଣ କରାଯିବା ନିମନ୍ତେ ନିଦେ୍ର୍ଦଶ ରହିଛି । ପ୍ରଥମ ୫ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରାଯିବା ପରେ ଅବଶିଷ୍ଟ ୫ ଲକ୍ଷ ଟଙ୍କା ମଞ୍ଜୁର କରାଯିବ । ତେବେ ୧୨ ଲକ୍ଷ ଟଙ୍କା ବ୍ୟୟରେ ପ୍ରାୟ ୪ମାସ ହେବ କଲେଜର ନୂତନ ଗୃହ ନିର୍ମାଣ ଚାଲିଥିବା ବେଳେ ନିଶ୍ଚିନ୍ତକୋଇଲି ବ୍ଲକ୍ର ଜଣେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏହି କାର୍ଯ୍ୟର ତଦାରଖ କରୁଛନ୍ତି । ମହାବିଦ୍ୟାଳୟ କର୍ତ୍ତୃପକ୍ଷ କିନ୍ତୁ ଗୃହ ନିର୍ମାଣରେ ଅବଧି ଶେଷ ହୋଇଥିବା ଡାଲମିଆଁ ସିମେଣ୍ଟ ବ୍ରବହାର କରୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି । ଏପରିକି ଏହି ସିମେଣ୍ଟ ମଧ୍ୟରୁ ବହୁ ସିମେଣ୍ଟ ବିଣ୍ଡା ହେବା ସହ ନଷ୍ଟ ହୋଇଯାଉଥିବା ଦେଖିବାକୁ ମିଳୁଛି । ଏଥିସହ ଗୃହ ନିର୍ମାଣରେ କେବଳ ସିମେଣ୍ଟ ନୁହେଁ ନିମ୍ନମାନର ଲୁହା ଛଡ଼ ବ୍ୟବହାର କରାଯାଉଥିବାରୁ କଲେଜ ଗୃହର ସ୍ଥାୟୀତ୍ୱକୁ ନେଇ ଏବେ ବରିଷ୍ଠ ମହଲରେ ସନେ୍ଦହ ଉପୁଜିଛି । ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରି ଅସାମାଜିକ ଓ ଏହି ଘୋଟାଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି ।




Powered by odothemes.com