arun

୯ ଲକ୍ଷ କୋଟିର ପ୍ୟାକେଜ୍

35

ବିରୋଧୀଙ୍କ ସମାଲୋଚନାରୁ ବର୍ତ୍ତିବା ପ୍ରୟାସ
ନୂଆଦିଲ୍ଲୀ, ୨୪ା୧୦: ଆର୍ଥôକ କ୍ଷେତ୍ରରେ ଅଭିବୃଦ୍ଧି ହାର କମିବା ନେଇ ବିରୋଧୀ ଦଳର ସମାଲୋଚନା ମୁକାବିଲା ଲାଗି କେନ୍ଦ୍ର ସରକାର ଅର୍ଥନୀତିକୁ ସୁଦୃଢ କରିବା ଲାଗି ୯ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ବିମୁଦ୍ରୀକରଣ ଓ ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ଯୋଗୁଁ ଆର୍ଥôକ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେବାରୁ ଅଭିବୃଦ୍ଧି ହାର ୭.୫%ରୁ ୫.୭% ହ୍ରାସ ପାଇଥିଲା । ଅର୍ଥନୀତିକୁ ସୁଦୃଢ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଆଜି ଏହି ବିସ୍ତୃତ ଧନରାଶିର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏଥିମଧ୍ୟରୁ ୬.୯୨ ଲକ୍ଷ କୋଟି ଟଙ୍କା ଭିତ୍ତିଭୂମି କ୍ଷେତ୍ରରେ ବିନିଯୋଗ ହେବାକୁ ଥିବାବେଳେ ୨.୧୧ ଲକ୍ଷ କୋଟି ଟଙ୍କା ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକର ପୁନର୍ଗଠନ ପାଇଁ ଖର୍ଚ୍ଚ ହେବ । ଅର୍ଥମନ୍ତ୍ରୀ ଶ୍ରୀ ଜେଟ୍ଲୀ କହିଛନ୍ତି ଯେ ଅର୍ଥନୀତି କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ହାସଲ କରିବା ହେଉଛି ଆମର ଲକ୍ଷ୍ୟ । ଏହି ସ୍ଥିତି ବଜାୟ ରଖିବା ପାଇଁ ସରକାର ଯନôବାନ୍ ଅଛନ୍ତି । ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଅଧିକ ଅର୍ଥ ବିନିଯୋଗ ଓ ମୁଦ୍ରା ଋଣ ଉପରେ ସରକାର ଦୃଷ୍ଟିନିବନ୍ଧ କରିଛନ୍ତି । ବିଜେପି କ୍ଷମତାସୀନ ହେବା ପୂର୍ବରୁ ୨୦୧୪ରେ ଅଭିବୃଦ୍ଧି ହାର ୭.୫% ଥିଲା । ୩ ବର୍ଷ ମଧ୍ୟରେ ଏହା ହ୍ରାସ ପାଇଛି । ଚଳିତ ଏପ୍ରିଲ ଓ ଜୁନ୍ ମଧ୍ୟରେ ଏହା ୫.୭%କୁ ଖସିଛି । ବିମୁଦ୍ରୀକରଣ ଯୋଗୁଁ ୮୬% ନୋଟ୍ର କାରବାର ବନ୍ଦ ହେବା ଫଳରେ ବ୍ୟବସାୟ ହ୍ରାସ ହୋଇଛି । ସେହିଭଳି ଜୁଲାଇ ପହିଲାରୁ ଜିଏସ୍ଟି ଲାଗୁ ହେବା ଫଳରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକ କ୍ଷତିଗ୍ରସ୍ତ ହୋଇଛି । ମାତ୍ର ଏହାର ପ୍ରଭାବ ସାମୟିକ । ଅବଶିଷ୍ଟ ଦୁଇ ତ୍ରୟମାସିକରେ ଅଭିବୃଦ୍ଧି ହାର ବୃଦ୍ଧି ପାଇବ । ସେହିଭଳି ଉତ୍ପାଦନ ଶିଳ୍ପ, ଅଟୋମୋବାଇଲ୍ ଓ ଉପଭୋକ୍ତାଙ୍କ ବ୍ୟୟକୁ ମଧ୍ୟ ଫୋକସ୍ କରାଯିବ । ଯେତେବେଳେ କୌଣସି ସାଙ୍ଗଠନିକ ଢାଞ୍ଚାରେ ସଂସ୍କାର ଆସେ ସ୍ୱାଭାବିକଭାବେ କିଛି ସମୟ ପାଇଁ ଏହାର ପ୍ରଭାବ ଦେଖିବାକୁ ମିଳେ । ଏହା ଦୀର୍ଘସ୍ଥାୟୀ ନୁହେଁ, ଆଗକୁ ଏଥିରୁ ବହୁତ ସୁବିଧା ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଗାମୀ ୫ ବର୍ଷରେ ୮୩,୬୭୭ କି.ମି. ରାସ୍ତା ନିର୍ମାଣ ପାଇଁ ୬.୯୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଫଳରେ ୧୪.୨ କୋଟି ଶ୍ରମ ଦିବସ ସୃଷ୍ଟି ହୋଇପାରିବ । ଅର୍ଥ ସଚିବ ଅଶୋକ ଲାପ୍ସା କହିଛନ୍ତି ଯେ ଭିତ୍ତିଭୂମି କ୍ଷେତ୍ରରେ ୧୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଛଡା ବ୍ୟାଙ୍କଗୁଡିକର ପୁନର୍ଗଠନ ଯୋଜନାକୁ ଅନୁମୋଦନ କରାଯାଇଛି । ୨.୧୧ ଲକ୍ଷ କୋଟି ଟଙ୍କା ଏଥିପାଇଁ ବ୍ୟୟ କରାଯିବା ସହ ୧.୩୫ ଲକ୍ଷ କୋଟି ଟଙ୍କାର ପୁନଃପୁଞ୍ଜି ବଣ୍ଡ ପ୍ରଚଳନ ହେବ । ୭୬ ହଜାର କୋଟି ଟଙ୍କା ବଜେଟ୍ରୁ ଦିଆଯିବ । ଆର୍ଥôକ ସେବା ସଚିବ ରାଜୀବ କୁମାର କହିଛନ୍ତି ଯେ ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ଲାଗି ମୁଖ୍ୟ ସମସ୍ୟା ହେଉଛି ଏନ୍ପିଏ ଓ ପରିଶୋଧ ହେଉନଥିବା ଋଣ । ୨.୭୮ ଲକ୍ଷ କୋଟି ଟଙ୍କାର ଏହି ପରିମାଣ ମାର୍ଚ୍ଚ ୨୦୧୫ରେ ଥିବାବେଳେ ଚଳିତ ବର୍ଷ ଜୁନ୍ ସୁଦ୍ଧା ଏହା ୭.୩୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚôଛି । ବ୍ୟାଙ୍କଗୁଡିକୁ ପୁଞ୍ଜି ଲଗାଣରେ ପ୍ରୋତ୍ସାହନରେ ଦିଆଗଲେ ଏହି ପରିସ୍ଥିତିର ସୁଧାର ଆସିବ । ଭିତ୍ତିଭୂମି କ୍ଷେତ୍ରରେ ଅଧିକ ବ୍ୟୟ କରାଗଲେ ଅଣୁ ଅର୍ଥନୀତି ସୁଦୃଢ ରହିବ । ବିଶେଷକରି ଗ୍ରାମ୍ୟ ରାସ୍ତା, ରାଜପଥ, ଭାରତମାଳା, ଗୃହ ନିର୍ମାଣ ଓ ରେଳବାଇ କ୍ଷେତ୍ରରେ ଅଧିକ ଅର୍ଥ ବିନିଯୋଗ ଅର୍ଥନୀତିକୁ ସୁଦୃଢ କରିବ ।




Powered by odothemes.com