Hockey5

ଦଶନ୍ଧି ପରେ ମହାଦେଶୀୟ ମୁକୁଟ

18

ବାଂଲାରେ ଉଡ଼ିଲା ତ୍ରିରଙ୍ଗା
ଢାକା/ନୂଆଦିଲ୍ଲୀ, ୨୨ା୧୦ (ଏଜେନ୍ସି): ମହାଦେଶୀୟ ଟାଇଟଲ୍ ପାଇଁ ଭାରତର ୧୦ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ଢାକାରେ ମାଲେସିଆକୁ ୨-୧ରେ ହରାଇ ଭାରତ ତୃତୀୟ ଥର ଏସିଆ କପ୍ ଟାଇଟଲ୍ ଜିତିଛି । ଏଥିପୂର୍ବରୁ ଭାରତ ୨୦୦୩ ଓ ୨୦୦୭ ସଂସ୍କରଣରେ ଏହି ଟାଇଟଲ୍ ହାସଲ କରିଥିଲା । ଏତଦ୍ଭିନ୍ନ ୨୦୧୧ ଫାଇନାଲ୍ରେ ଦକ୍ଷିଣ କୋରିଆଠାରୁ ହାରି ଭାରତକୁ ରନର୍ସଅପ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଶେଷରେ ଚାମ୍ପିଅନ୍ ହୋଇଥିବା ମନପ୍ରୀତ ସିଂହଙ୍କ ଦଳ ପାଖକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ବିଭିନ୍ନ ମହଲରୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିଛି । ସୁପର୍-୪ ମୁକାବିଲା ଭଳି ଫାଇନାଲ୍ ଲଢ଼େଇ ଏକତରଫା ହୋଇ ନ ଥିଲା, ଯେଉଁଥିରେ ଭାରତ ୬-୨ରେ ମାଲେସିଆକୁ ହରାଇଥିଲା । ଶେଷ ମିନିଟ୍ଗୁଡ଼ିକରେ ଭାରତୀୟ ଦଳ କେତେକ ବିପଦରୁ ବର୍ତ୍ତିଯାଇ ଗୋଟିଏ ଗୋଲ୍ର ଅଗ୍ରଣୀକୁ ବଜାୟ ରଖିପାରିଥିଲା । ଭାରତ ପକ୍ଷରୁ ରମଣଦୀପ ସିଂହ (୩ୟ) ଓ ଲଳିତ ଉପାଧ୍ୟାୟ (୨୯ତମ) ଗୋଲ୍ ସ୍କୋର୍ କରିଥିବାବେଳେ ମାଲେସିଆ ପକ୍ଷରୁ ଶାହରିଲ୍ ସାବା (୫୦ତମ) ଏକମାତ୍ର ଗୋଲ୍ ଦେଇଥିଲେ । ଉତ୍ତମ ପ୍ରଦର୍ଶନ ପାଇଁ ଆକାଶଦୀପ ସିଂହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ମ୍ୟାଚ୍ ଶେଷ ହେବାକୁ ୧୧ ମିନିଟ୍ ବାକି ଥିବାବେଳେ ଭାରତୀୟ ଦଳ ୨-୦ରେ ଆଗରେ ଥିଲା । ସାହରିଲ୍ ଏକ ଚିତ୍ତାକର୍ଷକ ଗୋଲ୍ କରି ସ୍କୋର୍ ବ୍ୟବଧାନ ହ୍ରାସ କରିଥିଲେ । ଭାରତ ଆକ୍ରମଣାତ୍ମକ ଶୈ÷ଳୀରେ ଖେଳ ଆରମ୍ଭ କରିଥିଲା । ମ୍ୟାଚ୍ର ତୃତୀୟ ମିନିଟ୍ରେ ରମଣଦୀପ ସିଂହକୁ ଏକ ସୁନ୍ଦର ପାସ୍ ଦେଇଥିଲେ ଏସ୍ଭି ସୁନୀଲ୍ । ରମଣଦୀପ ଏହାକୁ ଗୋଲ୍ରେ ପରିଣତ କରିବାରେ ବିଳମ୍ବ କରି ନ ଥିଲେ । ପ୍ରଥମରୁ ଅଗ୍ରଣୀ ଲାଭ ପରେ ଭାରତୀୟ ଦଳର ଉତ୍ସାହ ବଢ଼ିଯାଇଥିଲା ଏବଂ ମାଲେସିଆ ଉପରେ ଚାପ ବଢ଼ାଇବା ଉଦେ୍ଦଶ୍ୟରେ ଆକ୍ରମଣରେ କ୍ଷିପ୍ରତା ଆଣିଥିଲେ ଖେଳାଳି । ୫ମ ମିନିଟ୍ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର୍ ମିଳିଥିଲା, କିନ୍ତୁ ମାଲେସିଆ ଏହା ଉପରେ ରେଫରାଲ୍ ମାଗିଥିଲା ଏବଂ ଟିଭି କ୍ୟାମେରାରୁ ସ୍ପଷ୍ଟ ହୋଇଥିଲା ଯେ ମାଲେସିଆ ଦଳ ଏଭଳି କୌଣସି ତ୍ରୁଟି କରିନାହିଁ, ଯାହା ଫଳରେ ଭାରତକୁ ପିସି ମିଳିବ । ୦-୧ରେ ପଛରେ ରହିବା ପରେ ମାଲେସିଆ ଦଳ ଗୋଲ୍ କରିବା ପାଇଁ ବାରମ୍ବାର ସୁଯୋଗ ସନ୍ଧାନରେ ଥିଲା, କିନ୍ତୁ ତୃତୀୟ କ୍ୱାର୍ଟର୍ ଶେଷ ଯାଏ ଭାରତ ସ୍କୋର୍କୁ ବରାବର ହେବାକୁ ଦେଇ ନ ଥିଲା । ୧୪ତମ ମିନିଟ୍ରେ ମାଲେସିଆକୁ ପେନାଲ୍ଟି କର୍ଣ୍ଣର୍ ମଧ୍ୟ ମିଳିଥିଲା, ହେଲେ ମାଲେସୀୟ ଖେଳାଳି ବଲ୍କୁ ଟ୍ରାପ୍ କରିପାରି ନ ଥିଲେ ଏବଂ ଭାରତର ବିପଦ ଟଳି ଯାଇଥିଲା । ଦ୍ୱିତୀୟ କ୍ୱାର୍ଟର୍ରେ ମାଲେସିଆକୁ ୨୦ତମ ମିନିଟ୍ରେ ଆଉ ଏକ ସୁଯୋଗ ମିଳିଥିଲା । କିନ୍ତୁ ମାଲେସିଆର ଦୁଇ ଫର୍ୱାର୍ଡ ଖେଳାଳି ବଲ୍ ଉପରେ ନିୟନ୍ତ୍ରଣ ରଖିପାରି ନ ଥିଲେ ଏବଂ ପୁଣିଥରେ ସୁଯୋଗ ହାତରୁ ଖସି ଯାଇଥିଲା । ଏହାର ଦୁଇ ମିନିଟ୍ ପରେ ଭାରତ ମ୍ୟାଚ୍ର ପ୍ରଥମ ପେନାଲ୍ଟି କର୍ଣ୍ଣର୍ ପାଇଥିଲା, ହେଲେ ଏଥିରୁ ଗୋଲ୍ ହୋଇ ନ ଥିଲା । ଅବଶ୍ୟ ମାଲେସିଆ ଉପରେ ଆକ୍ରମଣ ବଢ଼ାଇ ଦେଇଥିଲା ଭାରତ । ମାଲେସିଆ ଗୋଲ୍କିପର୍ ମଧ୍ୟ କେତେକ ଗୋଲ୍ ପ୍ରୟାସକୁ ବିଫଳ କରିଦେଇଥିଲେ । ଇତ୍ୟବସରେ ୨୯ତମ ମିନିଟ୍ରେ ଭାରତୀୟଙ୍କ ପ୍ରୟାସରେ ମାଲେସିଆ ଡି’ରେ ପହଞ୍ଚିଥିଲା ବଲ୍ । ଗୁରଜନ୍ତ ସିଂହ ବଲ୍କୁ ନିୟନ୍ତ୍ରଣକୁ ଆଣି ଆକାଶଦୀପଙ୍କୁ ପାସ୍ ଦେଇଥିଲେ । ଆକାଶଙ୍କଠାରୁ ପାସ୍ ପାଇ ଲଳିତ ଉପାଧ୍ୟାୟ ଏହାକୁ ଗୋଲ୍ରେ ପରିଣତ କରିଥିଲେ । ମଧ୍ୟାନ୍ତର ସୁଦ୍ଧା ଭାରତ ୨-୦ରେ ଆଗରେ ଥିଲା । ମଧ୍ୟାନ୍ତର ପରେ ବି ଭାରତୀୟ ଦଳ ମାଲେସିଆ ଉପରେ ଆକ୍ରମଣ ଜାରି ରଖିଥିଲା, କିନ୍ତୁ ଗୋଲ୍ କରିପାରି ନ ଥିଲା । ତୃତୀୟ କ୍ୱାର୍ଟର୍ ଗୋଲ୍ଶୂନ୍ୟ ରହିଥିଲା ।ଚତୁର୍ଥ କ୍ୱାର୍ଟର୍ରେ ମାଲେସିଆ ଚାପଗ୍ରସ୍ତ ଜଣାପଡ଼ୁଥିଲା ଏବଂ କ୍ରମାଗତ ସଂଘର୍ଷ ପରେ ୫୦ତମ ମିନିଟ୍ରେ ଦଳକୁ ଆଉ ଏକ ସୁଯୋଗ ମିଳିଥିଲା । ଏଥର ସାହରିଲ୍ ଏହାକୁ ଗୋଲ୍ରେ ପରିଣତ କରି ସ୍କୋର୍କୁ ୧-୨ରେ ପହଞ୍ଚାଇଥିଲେ । ୫୫ତମ ମିନିଟ୍ରେ ମାଲେସିଆ ପିସି ପାଇଥିଲା, ହେଲେ ସ୍କୋର୍କୁ ବରାବର କରିପାରି ନ ଥିଲା ।




Powered by odothemes.com