ଏନ୍ଏଚ୍ଏମ୍ରେ କେନ୍ଦ୍ର-ରାଜ୍ୟ ଅଂଶ ପୂର୍ବଭଳି ରହୁ

43

ଭୁବନେଶ୍ୱର, ୮ା୫ (ବୁ୍ୟରୋ): ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ଏଚ୍ଏମ୍)ରେ ୨୦୧୫-୧୬ ଆର୍ଥିକବର୍ଷରେ ପୂର୍ବଭଳି କେନ୍ଦ୍ର-ରାଜ୍ୟ ଅଂଶର ଅନୁପାତ ୭୫ : ୨୫ ରଖାଯାଉ । ଏଥିରେ କୌଣସି ପରିବର୍ତ୍ତନ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ୍ ପ୍ରସାଦ ନଡାଙ୍କ ନିକଟରେ ଦାବି କରିଛନ୍ତି । ଏତଦ୍ଭିନ୍ନ କଟକରେ ବାଙ୍ଗାଲୋରରେ ଥିବା ଏନ୍ଆଇଏମ୍ଏଚ୍ଏଏନ୍ଏସ୍ ଢାଞ୍ଚାରେ ଏକ ସୁପର ସ୍ପେଶାଲିଟି ମେଣ୍ଟାଲ ହ୍ଲେଥ୍ ଆଣ୍ଡ ନୁ୍ୟରୋ ସାଇନ୍ସ ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ସହ ୫ଟି ନୂଆ ମେଡ଼ିକାଲ କଲେଜ ଖୋଲିବା ପାଇଁ ରାଜ୍ୟ ପକ୍ଷରୁ ଦିଆଯାଇଥିବା ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡ଼ିପିଆର)କୁ ଅନୁମୋଦିତ କରିବାକୁ ମଧ୍ୟ ଦାବି କରିଛନ୍ତି । ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ଼ାଙ୍କୁ ଭେଟି କହିଛନ୍ତି ଯେ, ମେଣ୍ଟାଲ ହ୍ଲେଥ୍ ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ୧୮.୩୩ ଏକର ଜମି କଟକ ନିକଟସ୍ଥ ବାରଙ୍ଗ ତହସିଲ ଅନ୍ତର୍ଗତ ରାମଦାସପୁରରେ ଚିହ୍ନଟ କରିଛନ୍ତି । ପୁରୀ, କୋରାପୁଟ, ବଲାଙ୍ଗୀର, ବାଲେଶ୍ୱର, ଓ ବାରିପଦାରେ ୫ଟି ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାର ୨୪୫୦ କୋଟିଟଙ୍କାର ଡ଼ିପିଆର କେନ୍ଦ୍ର ନିକଯରେ ଦାଖଲ କରି ସାରିଛନ୍ତି । ରାଜ୍ୟରେ ଔଷଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢୀକରଣ କରିବା ପାଇଁ ସମ୍ବଲପୁରରେ ଏକ ଡ଼୍ରଗ୍ ଟେଷ୍ଟିଂ ଲାବ୍ରୋଟୋରି ପ୍ରତିଷ୍ଠା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ । ପୂର୍ବରୁ କେନ୍ଦ୍ର ସରକାର ୫୬କୋଟି ୩୫ ଲକ୍ଷଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରି ସାରିଛନ୍ତି । ସେହିଭଳି ପୂର୍ବରୁ ଅନୁମୋଦନ ହୋଇଥିବା ଖୋର୍ଦ୍ଧାରେ ଏକ ସେଣ୍ଟ୍ରାଲ କସ୍ମେଟିକ୍ ଟେଷ୍ଟିଂ ଲାବ୍ରୋଟୋରି ପ୍ରତିଷ୍ଠା ପାଇଁ ସରକାର ଏକ ଏକର ଜମି ଚିହ୍ନଟ କରିଛନ୍ତି । ଏହା ପ୍ରତିଷ୍ଠା ହେଲେ ପୂର୍ବଞ୍ଚଳର ସମସ୍ତ ରାଜ୍ୟ ଓଡ଼ିଶା, ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆସାମରେ ପ୍ରସ୍ତୁତ ହେଉଥିବା ସମସ୍ତ କସ୍ମେଟିକ୍ର ପରୀକ୍ଷା କରାଯାଇ ପାରିବ । ଭୁବନେଶ୍ୱରରେ ଏକ ରିଜିଓନାଲ ପାରା ମେଡ଼ିକାଲ ସାଇନ୍ସ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ୧୦ ଏକର ଜମି ହିନ୍ଦୁସ୍ଥାନ ଲାଇଫ୍ କେୟାର ସଂସ୍ଥାକୁ ଗୃହ ନିର୍ମାଣ ପାଇଁ ହସ୍ତାନ୍ତାର କରାଯାଇ ସାରିଛି । ଏହି ପ୍ରତିଷ୍ଠାନର ସଂଶୋଧିତ ଅଟକଳ ମୂଲ୍ୟ ୧୫୦ରୁ ୧୮୦ କୋଟି ଟଙ୍କା କରାଯାଇଛି । ଏହି କାର୍ଯ୍ୟ ତ୍ୱରାନିତ୍ୱ କରାଯାଉ । କଟକ ସ୍ଥିତ କ୍ୟାନସର୍ ପ୍ରତିଷ୍ଠାନକୁ ଉନ୍ନତିକରଣ କରିବା ସହ ବ୍ରହ୍ମପୁରର ଏମକେସିଜି ମେଡ଼ିକାଲା କଲେଜ, ବୁର୍ଲା ମେଡ଼ିକାଲ କଲେଜ, ଭବାନୀପାଟଣା ଜିଲ୍ଲା ହସ୍ପିଟାଲରେ କଷନସର ଚିକିତ୍ସା ଲାଗି ସୁବିଧା ଉପଲବ୍ଧ କରାଯାଉ । ଏବାବଦରେ ସବିଶେଷ ପ୍ରସ୍ତାବ କେନ୍ଦ୍ର ନିକଟରେ ଉପସ୍ଥାପନ କରାଯାଇଛି । ସେଣ୍ଟ୍ରାଲ ଇନ୍ଷ୍ଟିଚୁ୍ୟଟ୍ ଅଫ ଯୋଗ, ନେଚ୍ରପ୍ୟାଥି ପାଇଁ ଖୋର୍ଦ୍ଧାରେ ୨୦ ଏକର ଜମି ପ୍ରଦାନ କରାଯାଇ ସାରିଛି । ଏହି କାର୍ଯ୍ୟକୁ ତ୍ୱାରାନିତ୍ୱ କରିବା ପାଇଁ ପଦକ୍ଷେପ ନିଆଯାଉ । ରାଷ୍ଟ୍ରୀୟ ଆରୋଗ୍ୟ ନିଧି ପାଣ୍ଠିରୁ ତୁରନ୍ତ ୫କୋଟିଟଙ୍କା ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ସୋସାଇଟ୍କୁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଗରିବ ଲୋକଙ୍କ ଚିକତ୍ସା ପାଇଁ ଏହି ପାଣ୍ଠିରୁ ଅର୍ଥ ପ୍ରଦାନ କରାଯାଇଛି । ଦିନକୁ ଦିନ ଏହି ପାଣ୍ଠିରୁ ଅର୍ଥନେବା ପାଇଁ ଅଧିକରୁ ଅଧିକ ଲୋକ ଆବେଦନ କରୁଛନ୍ତି । ଏହି ପାଣ୍ଠି ଲାଗି ବାର୍ଷିକ ଅନୁଦାନ ୧୦ କୋଟିଟଙ୍କାକୁ ବୃଦ୍ଧି କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ରାଜ୍ୟର ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇ ଅଗ୍ରାଧିକାର ଭିତ୍ତିରେ ବିଚାର କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।




Powered by odothemes.com