କେନ୍ଦ୍ରମନ୍ତ୍ରୀ ମିଛର ସୌଦାଗର: ବିଜେଡି

bjd-press-meet-(3)

ପାଇପ୍‌ ଯୋଗେ ରନ୍ଧନ ଗ୍ୟାସ୍‌ ବିତରଣ ପ୍ରସଙ୍ଗ
ଭୁବନେଶ୍ୱର, (ବୁ୍ୟରୋ): କଟକ-ଭୁବନେଶ୍ୱରରେ ଖୁବଶୀଘ୍ର ପାଇପ୍‌ ଯୋଗେ ରନ୍ଧନ ଗ୍ୟାସ୍‌ ଯୋଗାଇ ଦେବା ନେଇ କେନ୍ଦ୍ରମନ୍ତ୍ରୀ ଯେଉଁ ଘୋଷଣା କଲେ ତାହା ସତ୍ୟର ଅପଳାପ । ସେ ହେଉଛନ୍ତି ମିଛର ସୌଦାଗର । ମିଛ କହି ଓଡ଼ିଶାବାସୀଙ୍କୁ ଭକୁଆ ବନାଇବାକୁ ଚେଷ୍ଟା କରୁଛନ୍ତି । ତରବରିଆ ଭାବରେ ଏକ କଲୋନୀରୁ ପ୍ରକଳ୍ପ ଆରମ୍ଭ କରି ବାହାବା ନେବାକୁ ଚେଷ୍ଟା କରୁଛନ୍ତି । ଭୁବନେଶ୍ୱରର କୌଣସି ଏକ ବସ୍ତିରୁ ଏହି ପ୍ରକଳ୍ପ ଆରମ୍ଭ କରିଥିଲେ କ’ଣ ଅସୁବିଧା ଥିଲା ବୋଲି ବିଜେଡି ପ୍ରଶ୍ନ ଉଠିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ୨୦୦୯ ଅକ୍ଟୋବରରେ ତକ୍ରାଳୀନ ପ୍ରଧାନମନ୍ତ୍ରୀଙ୍କୁ କଟକ-ଭୁବନେଶ୍ୱର ପାଇଁ ପାଇପ୍‌ ଯୋଗେ ରନ୍ଧନ ଗ୍ୟାସ୍‌ ଯୋଗାଇ ଦେବାକୁ ଚିଠି ଲେଖିଥିଲେ । ଗୋଦାବରୀ ବେସିନ୍‌ରୁ ଉତ୍ପାଦିତ ଗ୍ୟାସ୍କୁ ଓଡ଼ିଶା ସହିତ ଲିଙ୍କ୍‌ କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଥିଲେ । ଏହାପରେ ଗେଲ୍‌ ଅଧିକାରୀ, ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଇଡ୍‌କଲ ଅଧିକାରୀମାନଙ୍କ ମଧ୍ୟରେ ଏ ସଂପର୍କରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ଧାମରାରେ ଗ୍ୟାସ୍‌ ଟର୍ମିନାଲ୍‌ ପାଇଁ ଏକ ଜାଗା ଦେବେ ଏବଂ ସେଠାରେ ଗ୍ୟାସ୍‌ ଟର୍ମିନାଲ୍‌ ହେବା ପରେ କଟକ-ଭୁବନେଶ୍ୱରକୁ ସୁବିଧାରେ ପାଇପ୍‌ ଯୋଗେ ରନ୍ଧନ ଗ୍ୟାସ୍‌ ଯୋଗାଣ ହୋଇପାରିବ ବୋଲି ନିଷ୍ପତ୍ତି ହୋଇଥିଲା । ଡିସେମ୍ବର ୨୦୧୨ରେ ହୋଇଥିବା ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାର ଆଉ ଆଗକୁ ନେଇନଥିଲେ । ପରେ ୨୦୧୭ ଜାନୁଆରୀରେ କ୍ୟାବିନେଟ୍‌ କମିଟି ଅଫ୍‌ ଇକୋନୋମିକ୍‌ ଆଫାୟାର୍ସ ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିବା କେନ୍ଦ୍ର ଶିଳ୍ପ ସଚିବ ଚିଠି ମାଧ୍ୟମରେ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଜଣାଇଥିଲେ । ଅକ୍ଟୋବର ୨୦୧୬ରେ ମଞ୍ଜୁରୀ ପାଇଥିବା ଏହି ପ୍ରକଳ୍ପ ପାଇଁ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ବିଭାଗ ୪ଟି ପର୍ଯ୍ୟାୟରେ ୫୧୭୬ କୋଟି ଟଙ୍କା ଖର୍ଚ୍ଚ କରିବେ ଚିଠିରେ ଉଲ୍ଲେଖ ଥିଲା । ଏହି ପ୍ରକଳ୍ପ ୨୫୭୬ କିମି ଅତିକ୍ରମ କରି ହଳଦିଆ-ଜଗଦିଶପୁର ଓ ଧାମରା-ବୋକାରୋ ସର୍କିଟ୍‌କୁ ସଂଯୋଗ କରିବ ବୋଲି ପ୍ରସ୍ତାବ ଥିଲା । ପ୍ରଥମ ପର୍ଯ୍ୟାୟରେ ପାରାଦୀପ ଠାରୁ କଟକ-ଭୁବନେଶ୍ୱର ଦେଇ ୪୦୦ କିମି ଓ ପରେ ଅନୁଗୁଳ ଠାରୁ ୩୭୩ କିମି ଅତିକ୍ରମ କରି ଝାଡ଼ଖଣ୍ଡରେ ପ୍ରବେଶ କରିବାର ଯୋଜନା ରହିଥିଲା । ବିଭାଗର ରିପୋର୍ଟ ଅନୁସାରେ ଏହି ପ୍ରକଳ୍ପ ୨୦୨୦ରେ ସରିବ ବୋଲି ଧାର୍ଯ୍ୟ ହୋଇଛି । ତେଣୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁବ୍‌ଶୀଘ୍ର କଟକ-ଭୁବନେଶ୍ୱରରେ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଇଦେବା କଥା କହି ଯେଉଁ ବାହାସ୍ପୋଟ ମାରିଛନ୍ତି ତାହା କେବଳ ଲୋକଙ୍କୁ ଭୂଆଁ ବୁଲାଇବା ସଦୃଶ । ବାସ୍ତବରେ କିଏ ରାଧୁଆ ଓ କିଏ ମିଛଆ ଲୋକଙ୍କ ସାମ୍ନାରେ ପରିଷ୍କାର ହୋଇଯାଇଛି ବୋଲି ଶ୍ରୀ ଦେବ କହିଛନ୍ତି । ଏହି ସମ୍ମିଳନୀରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜୟ କୁମାର ମହାନ୍ତି ଉପସ୍ଥିତ ଥିଲେ ।