ବାହାରେ ଥିବା ଶ୍ରମିକଙ୍କ ପରିବାର ପଞ୍ଜିକୃତ ହେବେ

24

ଭୁୁବନେଶ୍ୱର (ବୁ୍ୟରୋ): ଓଡ଼ିଶା ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡ଼ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବର୍ତ୍ତମାନ ସୁଦ୍ଧା ୨୦.୬୯ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଇଛି । ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାପଡ଼ିଛି । ବୈଠକରେ ଶ୍ରମ ଏବଂ ଇଏସ୍ଆଇ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆଲୋଚନା ନିମନ୍ତେ ବିଷୟବସ୍ତୁ ଉପସ୍ଥାପନ କରିଥିଲେ । ନିର୍ମାଣ ଶ୍ରମିକ ମଙ୍ଗଳ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା କରି ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କ୍ୟାମ୍ପ ମୋଡ୍ରେ ପଞ୍ଜୀକରଣକୁ ଅଧିକ ସହଜ ଓ ସୁଗମ କରିବା ସହ ସ୍ଥାନାନ୍ତର ଗମନ କରି କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ପଞ୍ଜୀକରଣ ନିମନ୍ତେ ସ୍ୱତନ୍ତ୍ର କ୍ୟାମ୍ପ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଶ୍ରମିକ ପଞ୍ଜୀକରଣ ଏବଂ ବିଭିନ୍ନ ସୁବିଧା ସୁଯୋଗ ବଣ୍ଟନର ଏକ ଜିଆଇଏସ୍ ଭିତ୍ତିକ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ଉନ୍ନୟନ କମିଶନର ଆର୍ ବାଲାକ୍ରିଷ୍ଣନ୍ ପରାମର୍ଶ ଦେଇଥିଲେ । ପଞ୍ଜୀକରଣ ଏବଂ ସୁବିଧାସୁଯୋଗ ବଣ୍ଟନ ପ୍ରକି୍ରୟାରେ ମଧ୍ୟସ୍ଥ ଲୋକ ଯେପରି ଶ୍ରମିକଙ୍କୁ ଶୋଷଣ ନକରନ୍ତି, ସେ ଦିଗରେ ପ୍ରତିରୋଧମୂଳକ ପଦକ୍ଷେପ ନେବା ପାଇଁ ମୁଖ୍ୟ ସଚିବ ନିଦେ୍ର୍ଦଶ ଦେଇଥିଲେ । ବାହାର ରାଜ୍ୟରେ ବେଶି ଓଡ଼ିଆ ନିର୍ମାଣ ଶ୍ରମିକ କାମ କରୁଥିବା ସ୍ଥାନରେ ହେଲ୍ପ ଡେସ୍କ୍ ପ୍ରତିଷ୍ଠା କରିବା ସହ ଶ୍ରମିକଙ୍କୁ ଚିହ୍ନଟ କରି ଓଡ଼ିଶାରେ ରହୁଥିବା ସେମାନଙ୍କ ପରିବାରଙ୍କୁ ପଞ୍ଜୀକରଣ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା । ନିର୍ମାଣ ଶ୍ରମିକ ପିଲାଙ୍କ ନିମନ୍ତେ ଋତୁକାଳୀନ ଛାତ୍ରାବାସ ନିର୍ମାଣ ଏବଂ ସହରାଞ୍ଚଳ ନିର୍ମାଣ ଶ୍ରମିକଙ୍କ ପାଇଁ ଭଡ଼ାଘର କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ନିଦେ୍ର୍ଦଶ ଦେଇଥିଲେ । ଶ୍ରମ କମିଶନର ସଚ୍ଚିନ ଯାଦବ ଜଣାଇଥିଲେ ଯେ, ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ ହୋଇଥିବା ଶ୍ରମିକଙ୍କୁ ବିଭିନ୍ନ ଯୋଜନାରେ ୪୪୦.୨୫ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ ୫୦୦ କୋଟି ଟଙ୍କାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଯିବାର ପ୍ରାବଧାନ କରାଯାଇଛି । ବିବେଚିତ ଶ୍ରମିକଙ୍କୁ ଶିକ୍ଷା, ବିବାହ, ମାତୃତ୍ୱ, ଯନ୍ତ୍ରପାତି ଏବଂ ସରଞ୍ଜାମ କ୍ରୟ, ସାଇକେଲ, ଦୁର୍ଘଟଣାଜନିତ ଚିକିତ୍ସା, ସ୍ୱାସ୍ଥ୍ୟ ସହାୟତା, ମୃତୁ୍ୟକାଳୀନ ସହାୟତା, କୌଶଳ ବିକାଶ ତାଲିମ, ପକ୍କାଘର ନିର୍ମାଣ ପାଇଁ ସହାୟତା, ଶ୍ରମିକ ସନ୍ତାନସନ୍ତତିଙ୍କ ଆଇଟିଆଇ ଓ ଡିପ୍ଲୋମା ଶିକ୍ଷା ପାଇଁ ସହାୟତା ଆଦି ୧୭ଟି ସହାୟତା ଦିଆଯାଉଛି ବୋଲି ଶ୍ରୀ ଯାଦବ ଜଣାଇଥିଲେ । ନଭେମ୍ବର ସୁଦ୍ଧା ୩୨ଟି ଶ୍ରମ ଜିଲ୍ଲାରେ ୧୧୮ଟି ସଚେତନତା, ପଞ୍ଜୀକରଣ ଏବଂ ସହାୟତା ପ୍ରଦାନ କ୍ୟାମ୍ପ ଆୟୋଜନ କରିବାକୁ ବୈଠକରେ ସ୍ଥିର ହୋଇଥିଲା । ଏହାଛଡ଼ା ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଅଧିକ ୧୦ ହଜାର ନିର୍ମାଣ ଶ୍ରମିକଙ୍କୁ ପକ୍କାଘର ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଯୋଜନାରେ ଆଇଏପି ଜିଲ୍ଲାରେ ଘରପିଛା ୧.୩ ଲକ୍ଷ ଏବଂ ଅଣଆଇଏପି ଜିଲ୍ଲାରେ ଘରପିଛା ୧.୨ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୮୭୦୦ରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ପକ୍କାଘର ଯୋଜନାରେ ସାମିଲ କରାଯାଇଛି । ସୂଚନା ଅନୁଯାୟୀ, ନିର୍ମାଣ ଶ୍ରମିକଙ୍କ ପାଇଁ ସହରାଞ୍ଚଳର ‘ଆଶ୍ରୟ’ ଯୋଜନାରେ ଭଡ଼ାଘର କମ୍ପ୍ଲେକ୍ସ ନିର୍ମାଣ ପ୍ରକଳ୍ପ ଆରମ୍ଭ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୦ଟି ସହରାଞ୍ଚଳରେ ୨୧ଟି ପ୍ରକଳ୍ପ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୁଳ, ପାରାଦୀପ, ଢେଙ୍କାନାଳ, ବ୍ୟାସନଗର, ଝାରସୁଗୁଡ଼ା ସହର ସାମିଲ ହୋଇଛନ୍ତି । ପର୍ଯ୍ୟାୟକ୍ରମେ ୪୫ଟି ସହରାଞ୍ଚଳକୁ ଯୋଜନାରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଉନ୍ନୟନ କମିଶନର ଆର୍ ବାଲାକ୍ରିଷ୍ଣନ୍, ଶ୍ରମ ଓ ଇଏସ୍ଆଇ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ଶ୍ରମ କମିଶନର ସଚ୍ଚିନ ଯାଦବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।




Powered by odothemes.com