dhanteras-abasara-re-rajadhani-ra-bivina-gahana-dokan-re-grahaka-nkn-bhida-(4)

ବୋହିନେଲେ ୧୧ଠ କୋଟିର ସୁନା

53

ଭୁବନେଶ୍ୱର, (ବୁ୍ୟରୋ): ରାଜଧାନୀବାସୀଙ୍କ ପାଇଁ ସୁନା କେତେ ପ୍ରିୟ ତାହା ମଙ୍ଗଳବାର ପରିଲକ୍ଷିତ ହୋଇଛି । ଧନ୍ତେରାସ୍ ଅବସରରେ ବୋହିନେଲେ କୋଟି କୋଟି ଟଙ୍କାର ସୁନାଗହଣା । କେବଳ ସୁନା ନୁହେଁ, ରୂପା, ପ୍ଲାଟିନମ୍ ଓ ହୀରା ଖୋଦିତ ଅଳଙ୍କାର ମଧ୍ୟ ବହୁ ପରିମାଣରେ ବିକ୍ରି ହୋଇଛି । ଦିନ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସୁନା ଦୋକାନରେ ଲୋକଙ୍କ ଗହଳି ଲାଗିଥିଲା । ଭିଡ଼ ଏପରି ଥିଲା ଯେ, ବ୍ୟବସାୟୀଙ୍କୁ ଖାଇବାକୁ ମଧ୍ୟ ତର ନଥିଲା । ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ବିବାହ ତଥି ଥିବାରୁ ଲୋକେ ଆଗୁଆ ସୁନା କିଣି ନେଇଥିଲେ । ମଙ୍ଗଳବାର ରାଜଧାନୀର ସମସ୍ତ ଛୋଟବଡ଼ ଦୋକାନକୁ ମିଶାଇ ୧୦୦ କୋଟିରୁ ଅଧିକ ବ୍ୟବସାୟ ହୋଇଥିବା ଆକଳନ କରାଯାଉଛି ।ଧନ୍ତେରାସ୍ରେ ଘରକୁ ସୁନା, ରୂପା ଆଦି ମୂଲ୍ୟମାନ ବସ୍ତୁ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ଓ ଧନ ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ମଙ୍ଗଳବାର ସକାଳୁ ରାଜଧାନୀରେ ଥିବା ଛୋଟ ବଡ଼ ୧୫୦ରୁ ଅଧିକ ସୁନା ଦୋକାନରେ ଲାଗିଥିଲା ଅସମ୍ଭାଳ ଭିଡ଼ । ଆଗକୁ ବିବାହ ଋତୁ ଥିବା ବେଳେ ଏବେଠୁ ସେଥିପାଇଁ କିଣାକିଣି କରିବାକୁ ଅଧିକାଂଶ ଲୋକ ପସନ୍ଦ କରୁଥିଲେ । ଗତବର୍ଷ ତୁଳନାରେ ଚଳିତ ବର୍ଷ ସୁନା ଦର ଉଚ୍ଚା ଥିଲେ ସୁଦ୍ଧା ଏହା ବ୍ୟବସାୟରେ କୌଣସି ପ୍ରଭାବ ପକାଇ ନଥିଲା । ମଙ୍ଗଳବାର ରାଜଧାନୀରେ ୧୦ଗ୍ରାମ୍ ୨୨କ୍ୟାରେଟ୍ ସୁନାର ମୂଲ୍ୟ ୩୦,୧୩୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୩୧,୧୬୦ ଟଙ୍କା ରହିଥିଲା । ଗତବର୍ଷ ଏହି ସମୟରେ ୧୦ଗ୍ରାମ୍ ୨୨ କ୍ୟାରେଟ ସୁନା ମୂଲ୍ୟ ୨୮,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୩୦,୫୫୦ ଟଙ୍କା ରହିଥିଲା । ଯାହା ଗତବର୍ଷ ତୁଳନାରେ ସାମାନ୍ୟ ଅଧିକ । ଅନ୍ୟପଟେ ଗତବର୍ଷ ଅପେକ୍ଷା ଏଥର ରୂପା ଦର କରିଛି । ଆଜି ରୂପା କିଲୋପିଛା ୪୧ ହଜାର ଟଙ୍କା ରହିଥିଲା । ପାଗ ଅନୁକୂଳ ଥିବା ବେଳେ ଦିନ ତମାମ ସୁନା ଦୋକାନରେ ଗହଳି ଲାଗିଥିଲା । ଏପେଟେ ସୁନା ଦୋକାନୀଙ୍କ ଜବରଦସ୍ତ ଅଫର୍ ଗ୍ରାହକଙ୍କୁ ଆକୃଷ୍ଟ କରିଥିଲା । ଚଳିତବର୍ଷ ପରି ଅଫର କେବେ ଦିଆଯାଇନଥିବା ମଧ୍ୟ ସୁନା ଦୋକାନୀମାନେ କହୁଛନ୍ତି । ବିଭିନ୍ନ ଜୁଏଲର୍ସରେ ସୁନା ମୂଲ୍ୟ ଉପରେ ୪ରୁ ୭% ରିହାତି ଦିଆଯାଉଥିବା ବେଳେ କିଛି ସ୍ଥାନରେ ସୁନା, ରୂପାର ଗଢ଼ା ମୂଲ୍ୟ ଉପରେ ରିହାତି ଦିଆଯାଉଥିଲା । ହୀରା ଓ ପ୍ଲାଟିନମ୍ ଗହଣା ଉପରେ ୨୫ରୁ ୪୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । କିଛି ସ୍ଥାନରେ ଲୋକଙ୍କୁ ଲକି କୁପନ ପ୍ରଦାନ କରାଯାଉଛି । ଏହାବ୍ୟତୀତ କେୱାଇସି ନିୟମ ବଦଳିବା ପରେ ଗହଣା କିଣିବା ସହଜ ହୋଇଛି । ଏହି ନିୟମ ଅନୁସାରେ ପୂର୍ବରୁ ୫୦ହଜାର ଟଙ୍କାରୁ ଅଧିକ ମୂଲ୍ୟର ଗହଣା କିଣିବା ପାଇଁ ପ୍ୟାନ୍ କାର୍ଡ ଆବଶ୍ୟକ ହେଉଥିଲା । କିନ୍ତୁ ଏବେ ଏହି ସୀମାକୁ ୨ଲକ୍ଷ ଟଙ୍କାକୁ ଘୁଞ୍ଚାଇ ଦିଆଯାଇଛି । ଯାହାଫଳରେ ଗ୍ରାହକ ବିନା ଚାପରେ ଗହଣା କିଣିଛନ୍ତି । ଅନ୍ୟପଟେ ଜିଏସ୍ଟି ବ୍ୟବସାୟରେ କୌଣସି ଫରକ୍ ପକାଇ ନାହିଁ । ଆଉ ପାଗ ମଧ୍ୟ ସାଥ୍ ଦେଇଛି । ତେଣୁ ଚଳିତ ବର୍ଷ ୨୦ରୁ ୩୦% ଅଧିକ ବ୍ୟବସାୟ ହୋଇଥିବା କୁହାଯାଉଛି ।
ଗ୍ରାହକଙ୍କ ପାଇଁ ବ୍ୟବସାୟୀମାନେ ମଧ୍ୟ ନୂତନ ଡିଜାଇନ୍ର କଲେକସନ୍ ରଖିଥିଲେ । ବିବାହ ପାଇଁ ଲୋକମାନେ ଆଗରୁ ନିଜ ପସନ୍ଦର ସୁନା ହାର, ଚେନ୍, ଲକେଟ୍, କାନଫୁଲ, ମଙ୍ଗଳସୂତ୍ର, ମୁଦି, ବ୍ରେସ୍ଲେଟ୍ ଆଦି କିଣୁଥିବା ଦେଖାଯାଇଥିଲା । ଏହା ବ୍ୟତୀତ କିଛି ଲୋକ ସୁନା ଓ ରୂପା କଏନ୍ ମଧ୍ୟ କିଣିଛନ୍ତି । କଏନ୍ରେ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ଚିତ୍ର ଥିବା ବେଳେ ବିନା ଚିତ୍ରରେ ମଧ୍ୟ କଏନ୍ ବିକ୍ରି ହୋଇଛି । ୧ଗ୍ରାମ୍ରୁ ଆରମ୍ଭ କରି ୫୦ ଗ୍ରାମ୍ର ସୁନା କଏନ୍ ଓ ୫ଗ୍ରାମ୍ରୁ ଆରମ୍ଭ କରି ୧୦୦ଗ୍ରାମ୍ ପର୍ଯ୍ୟନ୍ତର ରୂପା କଏନ୍ ବିକ୍ରି ହୋଇଥିବା ବ୍ୟବସାୟୀ କହିଛନ୍ତି । ଗତବର୍ଷ ରାଜଧାନୀରେ ପ୍ରାୟ ୯୦ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଏଥର ୧୧୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ ହେବା ନେଇ ସୁନା ବ୍ୟବସାୟୀ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com