Iran

ମେକ୍ସିକୋଙ୍କୁ ହରାଇ ଇରାନ୍ କ୍ୱାର୍ଟର୍ରେ

35

ଫିଫା ୧୭ବର୍ଷରୁ କମ୍ ବିଶ୍ୱକପ୍
ମାର୍ଗାଓ, ୧୭ା୧୦ (ଏଜେନ୍ସି): ଇରାନ୍ କୌଶଳପୂର୍ଣ୍ଣ ପ୍ର୍ରଦର୍ଶନ କରି ମେକ୍ସିକୋକୁ ୨-୧ରେ ହରାଇବା ସହ ଫିଫା ୧୭ବର୍ଷରୁ ବିଶ୍ୱକପ୍ର କ୍ୱାର୍ଟର୍-ଫାଇନାଲ୍ରେ ପ୍ରବେଶ କରିଛି । ଇରାନ୍ ଅନ୍ତିମ-୮ରେ କୋଚିଠାରେ ସ୍ପେନ୍କୁ ଭେଟିବ ।ଇରାନ୍ ପ୍ରତିପକ୍ଷର ଦୁର୍ବଳ ରକ୍ଷଣଭାଗକୁ ଭେଦକରି ପ୍ରଥମ ୧୧ ମିନିଟ୍ ମଧ୍ୟରେ ଦୁଇଟି ଗୋଲ୍ ସ୍କୋର୍ କରିଥିଲା । ମହମ୍ମଦ ଶରିଫି ସପ୍ତମ ଓ ଆଲ୍ଲାୟାର ସୟଦ ୧୧ତମ ମିନିଟ୍ରେ ଗୋଲ୍ ଦେଇଥିଲେ । ମେକ୍ସିକୋ ଅନେକ ସୁଯୋଗ ସୃଷ୍ଟି କରିଥିଲେ ହେଁ କେତେକ ଲକ୍ଷ୍ୟଚୁୁ୍ୟତ ହୋଇଥିଲା ଆଉ କେତେକ ପ୍ରୟାସକୁ ପ୍ରତିପକ୍ଷ ଗୋଲ୍ରକ୍ଷକ ଅଲ୍ଲୀ ଘୋଲାମ୍ ଜାଦେ ବିଫଳ କରିଦେଇଥିଲେ । ଅବଶ୍ୟ ୩୭ତମ ମିନିଟ୍ରେ ମେକ୍ସିକୋ ରବର୍ଟୋ ଡି’ ଲା’ ରୋସାଙ୍କ ଗୋଲ୍ ବଳରେ ସ୍କୋର୍ ବ୍ୟବଧାନ ହ୍ରାସ କରିଥିଲା । ମେକ୍ସିକୋ ଦୁଇଟି ଗୋଲ୍ରେ ପଛରେ ରହିବା ପରେ ଇରାନ୍ର ରକ୍ଷଣଭାଗକୁ ବିଗାଡ଼ିବା ପାଇଁ ଦ୍ରୁତ ସଟ୍ ପାସ୍ ଖେଳିଥିଲା । ଇରାନ୍ ପାଞ୍ଚଜଣ ଡିଫେଣ୍ଡର୍ଙ୍କୁ ନେଇ ଖେଳିଥିଲା । ବିଶେଷକରି ଦ୍ୱିତୀୟାର୍ଦ୍ଧରେ ଇରାନ୍ର ରକ୍ଷଣଭାଗ ବିଭିନ୍ନ ସମୟରେ ବିଫଳ ହେଉଥିଲା, ତେବେ ଗୋଲ୍କିପର୍ ଜାଦେଙ୍କ ଯୋଗୁଁ ଦଳ ବର୍ତ୍ତିଯାଇଥିଲା । ଇରାନ୍ ଜାଣିଥିଲା ଯେ ଆକ୍ରମଣରେ ମେକ୍ସିକୋର ଦକ୍ଷତା ଅଛି । ସେଥିଲାଗି ଦଳ ସତର୍କତା ଅବଲମ୍ବନ କରିବା ସହ ମେକ୍ସିକୋର ଦୁର୍ବଳ ରକ୍ଷଣଭାଗର ଫାଇଦା ଉଠାଇବା ସୁଯୋଗରେ ଥିଲା ।ଇରାନ୍ ସପ୍ତମ ମିିନିଟ୍ରେ ପେନାଲ୍ଟି ପାଇଥିଲା । ମେକ୍ସିକୋ ଡିଫେଣ୍ଡର୍ ଆଦ୍ରିଆନ୍ ଭାଜକ୍ୱେଜ୍ ବକ୍ସ ଭିତରେ ବଲ୍ ଆଣିବାକୁ ପ୍ରୟାସ କଲାବେଳେ ମହମ୍ମଦ ଘାଦେରୀଙ୍କୁ ତଳେ ପକାଇଦେବା ଯୋଗୁଁ ରେଫରୀ ଆନ୍ଥୋନୀ ଟେଲର୍ ପେନାଲ୍ଟି ଦେବାପାଇଁ ଆଦୌ ବିଳମ୍ବ କରି ନ ଥିଲେ । ଶରିଫି ଏହାକୁ ସଫଳତାର ସହ ଗୋଲ୍ରେ ପରିଣତ କରିଥିଲେ । ଏହାର ଚାରି ମିନିଟ୍ ପରେ ମେକ୍ସିକୋର ରକ୍ଷଣଭାଗ ପୁନର୍ବାର ଭେଦ କରିଥିଲା ଇରାନ୍ । ସୟଦ ପ୍ରତିପକ୍ଷ ଗୋଲ୍ରକ୍ଷକ ସେସାର ଲୋପେଜ୍ଙ୍କୁ ହତଚକିତ କରି ଏହି ଗୋଲ୍ ସ୍କୋର୍ କରିଥିଲେ । ଏହାପରେ ରୋସାଙ୍କ ଗୋଲ୍ ଯାଏ ମେକ୍ସିକୋ କ୍ରମାଗତ ଆକ୍ରମଣ କରିଥିଲେହେଁ ବିଫଳ ହୋଇଥିଲା । ରୋସା ରିବାଉଣ୍ଡ ହୋଇ ଆସୁଥିବା ସଟ୍ରୁ ଗୋଲ୍ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ଏବଂ ଉଭୟ ଗୋଲ୍ରକ୍ଷକ ନିଜ ନିଜ ଦଳ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ । ମେକ୍ସିକୋ ଷ୍ଟ୍ରାଇକର୍ ଲୋପେଜ୍ ଓ ଲା’ ରୋସା ସେମାନଙ୍କ ମିଡ୍ଫିଲ୍ଡର୍ଙ୍କ ସହାୟତାରେ କେତେକ ପ୍ରୟାସ କରିଥିଲେ, କିନ୍ତୁ ଇରାନୀ ଗୋଲ୍ରକ୍ଷକଙ୍କୁ ଅତିକ୍ରମ କରିପାରି ନ ଥିଲେ । ଇରାନ୍ ମଧ୍ୟ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲା । ତେବେ ପ୍ରତିପକ୍ଷ ଗୋଲ୍ରକ୍ଷକ ଲୋପେଜ୍ ପ୍ରଥମେ ୟୁନିସ୍ ଡେଲ୍ଫି ଓ ଏହାପରେ ସୟଦଙ୍କ ପ୍ରୟାସକୁ ବିଫଳ କରିଦେଇଥିଲେ । ୮୦ତମ ମିନିଟ୍ରେ ଇରାନ୍ର ୟୁନିସ୍ ଡେଲ୍ଫିଙ୍କୁ ୟେଲୋ କାର୍ଡ ମିଳିଥିଲା, ଯାହାଫଳରେ ସେ ସ୍ପେନ୍ ବିପକ୍ଷ କ୍ୱାର୍ଟର୍-ଫାଇନାଲ୍ରେ ଖେଳିପାରିବେ ନାହିଁ ।




Powered by odothemes.com