ବିବାଦ ଓ ବିତର୍କ ଊଦ୍ଧ୍ୱର୍ରେ ମହାନଦୀ

1

ସରିଲା ୨ୟ ଭୁବନେଶ୍ୱର କବିତା ଉତ୍ସବ
ଭୁବନେଶ୍ୱର,(ବୁ୍ୟରୋ): ମହାନଦୀ ମୋର ଶୈଶବ ସ୍ୱପ୍ନ, କୈଶୋରର କ୍ରୀଡ଼ାଭୂମି, ତାରୁଣ୍ୟର ତୂର୍ଯ୍ୟନାଦ ଓ ବର୍ଷୀୟାନ ବିଚାରର ପୃଷ୍ଠଭୂମି । ମୁଁ କେବଳ ନୁହେଁ, ମୋ ଭଳି ରାଜ୍ୟର ଅଗଣିତ ମଣିଷ ମହାନଦୀ କୂଳ ଓ କୋଳରେ ଜନ୍ମଲାଭ କରିଛନ୍ତି ଏବଂ ଓଡ଼ିଶାର ଅନ୍ୟମାନଙ୍କୁ ମଧ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ମହାନଦୀ ଆପଣାପଣରେ ବନ୍ଧିରଖିଛି । ମହାନଦୀ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପ୍ରଥା ଓ ପରମ୍ପରାର ପ୍ରମୁଖ ଦସ୍ତାବିଜ୍ । କେବଳ ରାଜନେତାମାନେ ନୁହନ୍ତି, ସାହିତ୍ୟକାରମାନେ ମଧ୍ୟ ମହାନଦୀ ସମସ୍ୟାର ସମାଧାନର ସୂତ୍ର ସନ୍ଧାନରେ ସହାୟକ ହେବା ଆବଶ୍ୟକ ବୋଲି ପୂର୍ବତନ ମନ୍ତ୍ରୀ ତଥା କବି ଡ. ଅରୁଣ ସାହୁ ମତପ୍ରକାଶ କରିଛନ୍ତି । ଦୁଇଦିନ ଧରି ଚାଲିଥିବା ଦ୍ୱିତୀୟ ଭୁବନେଶ୍ୱର କବିତା ଉତ୍ସବ (ବିପିଏଫ୍ ୨୦୧୭) ରବିବାର ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ଦିବସରେ ଓଡ଼ିଶାର ସ୍ପର୍ଶକାତର ଓ ସମ୍ବେଦନଶୀଳ ପ୍ରସଙ୍ଗ ‘ମହାନଦୀ ମହାବିତର୍କ’ ଶୀର୍ଷକ ଆଲୋଚନା ସହିତ ଓଡ଼ିଶାର ବିକାଶରେ ଦଳ, ବ୍ୟକ୍ତିତ୍ୱ ଓ ପ୍ରସଙ୍ଗର ଭୂମିକା ସମ୍ପର୍କିତ ବିମର୍ଶ ଅନୁଷ୍ଠିତ ହୋଇଥିଲା । ମହାନଦୀ ବିତର୍କ କି ବିସମ୍ବାଦ ନୁହେଁ, ବିବାଦର କଥାବସ୍ତୁ ନୁହେଁ; ମହାନଦୀ ଆମ ସମୟର ଦାରୁଣ ଦୁସମ୍ବାଦ । ମହାନଦୀ ଓଡ଼ିଆ ଜାତିର ଜୀବନରେଖା । ଦଳମତ ବିଚାରଧାରା ତଥା ବିବାଦ ଓ ବିତର୍କର ଊଦ୍ଧ୍ୱର୍ରେ ମହାନଦୀ ମହାସମସ୍ୟାର ସୂତ୍ର ଓ ସିଦ୍ଧାନ୍ତ ନିର୍ଣ୍ଣୟ କରିବା ସାମ୍ପ୍ରତିକ ସମୟର ସବୁଠୁ ବଡ଼ ଆହ୍ୱାନ ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା । ଉକ୍ରଳ ଭାରତର ସଭାପତି ଐର ଖାରବେଳ ସ୍ୱାଇଁ କହିଲେ, ରାଜନୈତିକ ସ୍ୱାର୍ଥ ପାଇଁ ମହାନଦୀ ଏକ ଉତ୍ପାଦିତ ସମସ୍ୟା । ରାଜନୈତିକ ଦଳମାନେ ସଂପୃକ୍ତ ପ୍ରସଙ୍ଗରେ ଉଭୟ ଡାଆଣୀ ଓ ଗୁଣିଆ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି କହିଥିବା ବେଳେ ପ୍ରାକ୍ତନ ବାଚସ୍ପତି ଶରତ କୁମାର କର ମହାନଦୀ ସମସ୍ୟାର ସମାଧାନ ପାଇଁ ଦଳ, ମତ, ଗୋଷ୍ଠୀ, ବ୍ୟକ୍ତିବିଚାରର ଊଦ୍ଧ୍ୱର୍ରେ ଏକ ମିଳିତ ପ୍ରୟାସ ପାଇଁ ଆହ୍ୱାନ କରିଥିଲେ । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓଡ଼ିଶାର ଅବହେଳା ଓ ଛତିଶଗଡ଼ର ଅତିକ୍ରମଣ ସମ୍ପର୍କରେ ନିଜର ମନ୍ତବ୍ୟ ରଖିଥିଲେ । ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଓଡ଼ିଶା ସରକାରଙ୍କ ଦୀର୍ଘଦିନର ନିରବତାକୁ ନାପସନ୍ଦ କରିଥିବା ବେଳେ ଛତିଶଗଡ଼ ସରକାରଙ୍କ ଅନୁପ୍ରବେଶକୁ ଦୃଢ଼ କଣ୍ଠରେ ନିନ୍ଦା କରିଥିଲେ । ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା କହିଲେ, ମହାନଦୀ ପ୍ରସଙ୍ଗକୁ ରାଜନୈତିକ ଦଳମାନେ ରାଜ୍ୟର ସ୍ୱାର୍ଥ ଓ ଜନମତକୁ ବିଭ୍ରାନ୍ତ କରୁଛନ୍ତି । ଅସଲରେ ଏ ସମସ୍ୟାର ସମାଧାନ ପାଇଁ କୌଣସି ଦଳର ଆଗ୍ରହ ନାହିଁ । ଓଡ଼ିଆ ଯୁବ ଲେଖକ ସମ୍ମିଳନୀ ସଭପତି ତଥା କବି ଓ ରାଜନେତା ଶଙ୍କର୍ଷଣ ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ସଂପାନକୁ ରାଜନୀତି ବିଜ୍ଞାନ ଅଧ୍ୟାପକ ନେତାଜୀ ଅଭିନନ୍ଦନ ସଞ୍ଚାଳନ କରିଥିଲେ । ଶେଷରେ ବରିଷ୍ଠ ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବ୍ୟଙ୍ଗ କବିତା ଆସରରେ ଗିରୀଶ ରଞ୍ଜନ, କୁଳାଙ୍ଗାର, ଶ୍ରୀ ଶ୍ରୀ ହୁଗୁଳା ଓ ଶ୍ରୀ ଦୁର୍ବଳିଆ କବିତା ପାଠ କରିଥିଲେ ।