News-5

ଭୁଲ୍ ମାଗିବା ଦୃଶ୍ୟକୁ ଭାଇରାଲ୍ କରି ସିଂ ଦମ୍ପତି ଅଡ଼ୁଆରେ

18

ଘଟଗାଁ, ୧୫ା୧୦(ଆପ୍ର): ଗତ କିଛିଦିନ ତଳେ ଘଟଗାଁ ବ୍ଲକ୍ର ଦୁଇ ବିଜେପି ନେତା ତଥା ଦମ୍ପତି ନିଜର ରାଜନୈତିକ ପଦର ଅପବ୍ୟବହାର କରି ମମତା ସିଂଙ୍କ ଭାଇର ବନ୍ଧୁ ଢ଼େଙ୍କିକୋଟର ରାକେଶ ମଣ୍ଡଳଙ୍କୁ କଙ୍ଗାରୁ କୋର୍ଟ ଜରିଆରେ ସର୍ବସମ୍ମୁଖରେ ଗୋଡ଼ ଧରି ଭୁଲ ମଗାଇଥିଲେ । ତେବେ ଏହି ଭୁଲ ମାଗିବାର ଦୃଶ୍ୟକୁ ମୋବାଇଲ୍ରେ ରେକଡିଂ କରି ଭାଇରାଲ୍ କରି ରାକେଶଙ୍କ ମାନବାଧିକାରକୁ କ୍ଷୁର୍ଣ୍ଣ କରିଥିଲେ । ଏନେଇ ସର୍ବସାଧାରଣରେ ଖବର ପ୍ରକାଶ ପାଇବାରେ ସାଧାରଣରେ ନେତା ଦମ୍ପତିଙ୍କ ଏତାଦୃଶ କାର୍ଯ୍ୟ ପାଇଁ ଘୋର ନିନ୍ଦା କରାଯିବା ସହ ଦଳକୁ ମଧ୍ୟ ନିନ୍ଦା କରାଯାଇଛି । ତେବେ ଆଗାମୀ ନିର୍ବାଚନରେ ଦଳ ପ୍ରତି ଏହା ସାଧାରଣରେ ନକାରାତ୍ମକ ମନୋଭାବ ପ୍ରକାଶ କରିବା ଆଶଙ୍କାରେ ଦଳ ପକ୍ଷରୁ ନେତା ଦମ୍ପତିଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ନେତା ଦମ୍ପତିଙ୍କୁ ନିଲମ୍ବନ କରାଯିବାର ଆଶଙ୍କା ଏକପ୍ରକାର ସ୍ଥିର ହୋଇଯାଇଥିବା ଶୁଣିବାକୁ ମିଳିଛି । ସୂଚନା ମୁତାବକ, ରାକେଶ କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଫେସ୍ବୁକ୍ରେ ଛାଡ଼ିଥିଲେ । ମାତ୍ର ତାଙ୍କ ବନ୍ଧୁ ଏହି ଫଟୋରେ ନକାରାତ୍ମକ ମନ୍ତବ୍ୟ ଦେବାରେ ଉଭୟଙ୍କ ମଧ୍ୟରେ ପ୍ରଥମେ ଚାଟିଂରେ ଓ ପରେ ଫୋନ୍ରେ ପରସ୍ପରର ପରିବାରକୁ ଆକ୍ଷେପ କରି ଝଗଡ଼ା ଲାଗିଥିଲା । ମାତ୍ର ରାକେଶଙ୍କର ମନ୍ତବ୍ୟକୁ ଚତୁରତାର ସହ ବନ୍ଧୁ ରେକଡିଂ କରି ବ୍ଲାକମେଲ୍ କରିଥିଲେ । କଥା ପୁଲିସ ନିକଟରେ ପହଞ୍ଚିବାରେ ପୁଲିସ ଏହାର ଆପୋସ ବୁଝାମଣା ପାଇଁ ରାକେଶଙ୍କୁ ପରାମର୍ଶ ଦେଇଥିଲା । ରାକେଶ ଏଥିରେ ରାଜି ହୋଇ ସର୍ବସମ୍ମୁଖରେ କଙ୍ଗାରୁ କୋର୍ଟ ଜରିଆରେ ବିଜେପି ନାରୀ ନେତ୍ରୀ ମମତା ସିଂଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ, ପୁର୍ବତନ ସାଂସଦ ଅନନ୍ତ ନାଏକଙ୍କ ସମେତ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଭୁଲ୍ ମାଗିଥିଲେ । ଏହାକୁ ମୋବାଇଲ୍ରେ ରେକଡିଂ କରି ଅମର ସିଂ ଭାଇରାଲ୍ କରିବା ପରେ ରାକେଶ ମାନସିକ ସ୍ତରରେ ଦୁର୍ବଳ ହୋଇପଡ଼ିବା ସହ ତାଙ୍କର ମାନବାଧିକାର କ୍ଷୁର୍ଣ୍ଣ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ବିଜେପି ଦଳକୁ ଘୋର ନିନ୍ଦା କରାଯାଇଥିବା ଜଣାପଡ଼ିଛି । ତେଣୁ ଦଳର ସ୍ୱଚ୍ଛ ଭାବମୁର୍ତ୍ତିକୁ କ୍ଷୁର୍ଣ୍ଣ ନକରିବା ପାଇଁ ଦଳ ଏପରି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛି ଓ ଏହା ବିଜେପିର ଭାବମୁର୍ତ୍ତିକୁ ନଷ୍ଟ କରିଛି ବୋଲି ଜିଲ୍ଲାର ବହୁ ବରିଷ୍ଠ ବିଜେପି ନେତା ପ୍ରକାଶ କରିଛନ୍ତି । ତେବେ ଏହିପରି କିଛି ଅହଙ୍କାରୀ ବିଜେପି ସଦସ୍ୟଙ୍କ ପାଇଁ ସମ୍ପୁର୍ଣ୍ଣ ଦଳ ସାଧାରଣରେ ନିନ୍ଦିତ ହେଉଛି ଓ ଲୋକ ମାନଙ୍କ ମନ ଭିତରେ ଦଳ ପ୍ରତି ଖରାପ ମନୋଭାବ ସୃଷ୍ଟି କରୁଛି ବୋଲି ଉପର ମହଲରେ ଆଲୋଚନା ହେଉଥିବା ଶୁଣାଯାଉଛି । ଅନ୍ୟ ପକ୍ଷରେ ଶ୍ରୀ ନାଏକ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ସେ ନିଜକୁ ବଞ୍ଚାଇବାକୁ ଯାଇ ଘଟଣାରେ ତାଙ୍କର କିଛି ସମ୍ପୃକ୍ତି ନଥିବା କହି ସିଂ ଦମ୍ପତିଙ୍କ ମୁଣ୍ଡରେ ସବୁ ଦୋଷ ଲଦିଦେଇଛନ୍ତି । ଏମିତିକି ଶ୍ରୀ ନାଏକ ସେଦିନ ସେହି ସ୍ଥାନରେ ଉପସ୍ଥିତ ଥିଲେ କିନ୍ତୁ ଏମିତି ଘଟଣା ଘଟୁଥିବାର ଦେଖି ସେଠାରୁ ପଳାଇଥିଲେ ବୋଲି କହିଛନ୍ତି । ଆହୁରି ମଧ୍ୟ ସିଂ ଦମ୍ପତିଙ୍କ ଏଭଳି କାର୍ଯ୍ୟକୁ ସେ ନିନ୍ଦା କରିବା ସହ ସିଂ ଦମ୍ପତି ସୋସିଆଲ ମିଡିଆର ଅପବ୍ୟବହାର କରିଥିବା କହିଛନ୍ତି । ତେବେ ଘଟଣାଟି ବିଜେପିର ଉପର ମହଲରେ ବେଶ ପ୍ରଭାବ ପକାଇଥିବା ଜଣାପଡିଥିବା ବେଳେ ଖୁବ୍ଶୀର୍ଘ ଉଭୟ ସିଂ ଦମ୍ପତିଙ୍କ ବିରୁଦ୍ଧରେ ଦଳ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବ ବୋଲି ଖବର ମିଳିଛି । ଦଳରେ ରହି ଦଳର ଭାବମୁର୍ତ୍ତିକୁ କ୍ଷର୍ଣ୍ଣ କରିଥିବାରୁ ଉଭୟ ଅମର ଓ ମମତାଙ୍କୁ ବିଜେପିରୁ ନିଲମ୍ବନ କରାଯିବା ପାଇଁ ମଧ୍ୟ ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବିଶେଷ ସୁତ୍ରରୁ ସୁଚନା ମିଳିଛି । ତେବେ ବିଜେପିର ଦୁଇ ନେତାଙ୍କ ଏତାଦୃଶ କାର୍ଯ୍ୟ ଏବେ ସ୍ଥାନୀୟ ବିଜେଡି ଓ କଂଗ୍ରେସକୁ ବିଜେପିର ନିନ୍ଦା କରିବା ପାଇଁ ଖୋରାକ ଯୋଗାଇ ଦେଇଛି । ଶାସନରେ ନଥାଇ ବିଜେପି ଦଳର ସଦସ୍ୟ ଯଦି ଏମିତି କରୁଛି ତେବେ ଶାସନକୁ ଆସିଲେ ବିଜେପି ନେତା ମାନେ ଲୋକଙ୍କ ସହ କଣ କରିବେ ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ବୋଲି ଘଟଗାଁ ବ୍ଲକ୍ ବିଜେଡି ସଭାପତି ଦୋଳଗୋବିନ୍ଦ ବେହେରା ପ୍ରକାଶ କରିଛନ୍ତି ।




Powered by odothemes.com