Medical,-Lamba-Dhadire-Rogi

୪୬ ପଦ ସମ୍ଭାଳିଛନ୍ତି ୧୪ଜଣ

17

-ଡାକ୍ତର ଅଭାବ ଦୂର ହେଉନି -ଧାଡ଼ି ବାନ୍ଧୁଛନ୍ତି ରୋଗୀ -ତଳେ ଶୋଉଛନ୍ତି ପ୍ରସୂତି
ଫୁଲବାଣୀ(ବୁ୍ୟରୋ): ଆଦିବାସୀ ଅଧ୍ୟୁସିତ କନ୍ଧମାଳ ଜିଲ୍ଲାରେ ନାଁକୁ ମାତ୍ର ଚାଲିଛି ସ୍ୱାସ୍ଥ୍ୟସେବା । ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । କନ୍ଧମାଳ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ ଠାରେ ରହିଛି । ରୋଗୀଙ୍କ ଚିକିତ୍ସା ନିମନ୍ତେ ଏଠାରେ ବର୍ହର୍ି ବିଭାଗ, ଅନ୍ତଃ ବିଭାଗ ସମେତ ସମସ୍ତ ଗୁରୁତ୍ୱ ପୂର୍ଣ୍ଣ ବିଭାଗ ମଧ୍ୟ ରହିଛି । ହେଲେ ଏତେ ସବୁ ସୁବିଧା ଥାଇ ମଧ୍ୟ କନ୍ଧମାଳବାସିନ୍ଦା ଡାକ୍ତର ଅଭାବରୁ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । କେବଳ ସେତିକି ନୁହେଁ ବର୍ହି ବିଭାଗ ଖୋଲା ରହିଲେ ମଧ୍ୟ ଡାକ୍ତର ଅନେକ ଗୁରୁତର ରୋଗୀଙ୍କୁ ମେଡିକାଲ୍ରେ ଆଡ୍ମିସନ୍ କରିବା ତ ଦୂରର କଥା ଚିକିତ୍ସା ନକରି ଫେରାଇଦେଉଥିବା ବହୁବାର ଅଭିଯୋଗ ହେଉଛି । ଦିର୍ଘ ଦିନ ଧରି କାଜୁଆଲିଟିରେ ଜଣେ ଡାକ୍ତର ରହୁଥିବାରୁ ଘଣ୍ଟା ଘଣ୍ଟା ଧରି ରୋଗୀଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି । ଏପରିକି ଗର୍ଭବତୀଙ୍କୁ ମଧ୍ୟ ତଳେ ବସି ଅପେକ୍ଷା କରିବାକୁ ପଡ଼ୁଛି । ସୂଚନାନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମୁଦାୟ ୪୬ ଜଣ ଡାକ୍ତର ଓ ବିଶେଷଜ୍ଞ ରହିବାର ବ୍ୟବସ୍ଥା ରହିଛି । ଏବେ ମାତ୍ର ୧୪ଜଣରେ ଚାଲିଛି ସ୍ୱାସ୍ଥ୍ୟସେବା । ସେହିପରି ଜୁନିୟର୍ ବିଭାଗ ଲିଭେଲ୍-୧ ରେ ମେଡିସିନ, ପେଡିଆଟିକ୍ ଓ ଆନାଇସ୍ଥେସିଆ ବିଭାଗରେ ଗୋଟିଏ ଲେଖାଏଁ ପଦ ଖାଲି ପଡିଛି । ଜୁନିୟର୍ ବିଭାଗ ଲିଭେଲ୍-୨ ରେ ସର୍ଜରୀ, ଆନାଇସ୍ଥେସିଅ. ଆଖି, ଅର୍ଥୋ, ରେଡିଓଲୋଜୀ, ସ୍କିନ୍ ଓ ଭିଡି, ଟିବି ଓ ସିଡି ଏବଂ ପାଥୋଲୋଜି ବିଭାଗରେ ଗୋଟିଏ ଲେଖାଏଁ ପଦ ଖାଲି ପଡିଛି । ସିନିୟର୍ କ୍ଲାସ-୧ (ସ୍ପେସାଲିଷ୍ଟ) ରେ ମେଡିସିନ୍, ସିନିୟର୍ କ୍ଲାସ୍-୧ (ଏମ୍.ଓ.) ରେ ୧୨ ଜଣରୁ ୨ଟି ପଦବୀ ଖାଲି ପଡ଼ିଛି । ଏ ବିଷୟରେ ସିଡିଏମ୍ଓ ଡଃ ଗଡ଼ନାୟକ କୁହନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେତେଗୁଡ଼ିଏ ଡାକ୍ତରୀ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି । ଆମେ ଏ ବିଷୟରେ ସରକାରଙ୍କୁ ପ୍ରତି ୭ଦିନରେ ରିପୋର୍ଟ ଦଉଛୁ । ଯେଉଁ ଡାକ୍ତର ଜଏନ୍ କରୁନାହାନ୍ତି ସେ ବିଷୟରେ ବିହୀତ ପଦକ୍ଷେପ ଗ୍ରହଣ କରି ଆମେ ସରକାରଙ୍କୁ ସବୁବେଳେ ଜଣାଉଛୁ । ତେଣୁ ପ୍ରାୟ ୱାର୍ଡରେ ଆମେ ଏମ୍ବିବିଏସ୍ ଡାକ୍ତରଙ୍କୁ ନେଇ କାମ କରାଉଛୁ । ଅନ୍ୟ ପଟେ ବେଡ୍ କମ୍ ଥିବାରୁ ବହୁରୋଗୀ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଥିବା ଦେଖାଯାଇଛି । ଯଦି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏପରି ଅବସ୍ଥା ତେବେ ଜିଲ୍ଲାର ଅନ୍ୟ ଅଞ୍ଚଳର ଗୁଡ଼ିକରେ ଥିବା ଏସ୍ଡିଏଚ୍, ସିଏଚ୍ସି କଥା ନକହିବା ଭଲ । ଜିଲ୍ଲାରେ ୧୬୦ ଜଣ ଡ଼ାକ୍ଟର ଆବଶ୍ୟକ ଥିଲାବେଳେ୧୦୫ ଜଣ ଡ଼ାକ୍ଟର ଅଛନ୍ତି । କନ୍ତୁ ଏହି ୧୦୦ଜଣଙ୍କ ମଧ୍ୟରୁ କିଏ କେତେ ବେଳେ ଛୁଟିରେ ପଳାନ୍ତି କାହାକୁ ଜଣା ପଡ଼େ ନାହିଁ । ସରକାର ଆଦିବାସୀଙ୍କ ପାଇଁ ବହୁତ ଯୋଜନା କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି, କିନ୍ତୁ ବାସ୍ତବରେ ତାହା ପରିପ୍ରକାଶ ପାଉନାହିଁ । ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହୋଇଛି ।




Powered by odothemes.com