cm-11-10-2017=2

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋକୁଳପୁର ସେତୁ ଉଦ୍ଘାଟିତ

24

ଭୁବନେଶ୍ୱର,ପୁରୀ (ବୁ୍ୟରୋ): ଭିତ୍ତିଭୂମି ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଭିତ୍ତିଭୂମିର ବିକାଶ ହେଲେ ରାଜ୍ୟର ବିକାଶ ହୋଇପାରିବ, ଗାଁ ଓ ସହର ମଧ୍ୟରେ ପାର୍ଥକ୍ୟ ନାହିଁ । ସହରରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଗ୍ରାମରେ ମିଳିପାରୁଛି । ସମସ୍ତଙ୍କୁ ପକ୍କାଘର ଓ ପିଇବା ପାଣି ଯୋଗାଇଦେବା ଆମର ମୁଖ୍ୟ କର୍ତ୍ତବ୍ୟ, ଏ ଦିଗରେ ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବୁଧବାର ପୂର୍ବାହ୍ନରେ ପୁରୀ ସଦର ବ୍ଲକ ବାସୁଦେବପୁର ଠାରେ ୩୩/୧୧ କେଭି ଗ୍ରୀଡ୍ର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି । ଗୋକୁଳପୁରଠାରେ ଭାର୍ଗବୀ ନଦୀ ଉପରେ ନିର୍ମିତ ବ୍ରିଜ୍କୁ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ବ୍ରହ୍ମଗିରି ଅଞ୍ଚଳରେ ଗମନାଗମନ ପାଇଁ ଏହି ପୋଲ ସହାୟକ ହେବ । ସେହିପରି ବିଦୁ୍ୟତ୍ ସମସ୍ୟା ମଧ୍ୟ ଏହି ଗ୍ରୀଡ୍ ମାଧ୍ୟମରେ ସୁଧୁରି ପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଉତ୍ସବରେ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ରହି ବିକାଶ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ବ୍ରିଜ୍ ନିର୍ମାଣ ଫଳରେ ୫୬ଟି ଗାଁର ଲୋକ ଉପକୃତ ହୋଇପାରିବେ । ୮୨ମିଟର ଲମ୍ବ ଓ ୭.୫୦ମିଟର ଚଉଡ଼ା ଏହି ବ୍ରିଜ୍ ନିର୍ମାଣରେ ୬କୋଟି ୩୫ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ସେହିଭଳି ୩କୋଟି ୮୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବାସୁଦେବପୁର ଗ୍ରୀଡ୍ରେ ୭ ପଞ୍ଚାୟତବାସୀ ଉପକୃତ ହୋଇପାରିବେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ବିଧାୟକ ଶ୍ରୀ ଦାସବର୍ମା, ମନ୍ତ୍ରୀ ଶ୍ରୀ ମଲ୍ଲିକ ଉଦ୍ବୋଧନ ଦେଇ କହିଲେ ଯେ ୧୭ବର୍ଷ ହେଲା ସରକାର ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି । ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନବୀନବାବୁ କାର୍ଯ୍ୟ କରୁଛନ୍ତି । ଆଗାମୀ ଦିନରେ ମଧ୍ୟ ରାଜ୍ୟର ବିକାଶର ଧାରା ଜାରି ରହିବ । ପ୍ରକାଶ ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ଦିବାକର ପାତ୍ର, କୈଳାସ ପରିଡ଼ା, ସରପଞ୍ଚ ହରିହର ଉପାଧ୍ୟାୟ, ସମିତିସଭ୍ୟ ବିଦ୍ୟାଧର ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷା ସରୋଜିନୀ ବେହେରା, ଉପାଧ୍ୟକ୍ଷା ଗୁଞ୍ଜନ ପ୍ରଧାନ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ନଳିନୀ ବରାଳ, ବିଦ୍ୟାଧର ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତ ଯୁବ ଓ ମହିଳାମାନେ ଉତ୍ସବରେ ଯୋଗ ଦେଇଥିଲେ ।
ସଚିବାଳୟଠାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଶକ୍ତି ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com