Spl

ଦାଦନ ସମସ୍ୟା ସମାଧାନ ପାଇଁ ଯୋଜନା ହେବ

25

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ବଲାଙ୍ଗିର ଗସ୍ତ
ବଲାଙ୍ଗୀର, (ଆପ୍ର): ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ପଶ୍ଚିମ ଓଡ଼ିଶାରେ ଦେଖାଦେଇଛି ମରୁଡି ପରିସ୍ଥିତି । ଚାଷ ଜମି ଫାଟି ଆଁ କରିଥିବା ବେଳେ ଚାଷୀ ଚାଷ ଜମିରେ ଗାଈଗୋରୁ ଛାଡ଼ି ଦେଲେଣି । ଧାର ଉଧାର ଓ ବ୍ୟାଙ୍କରୁ କୃଷି ଋଣ ନେଇ ଚାଷୀ କରିଥିବା ଚାଷ ଉଜୁଡ଼ି ଯାଇଛି । ଗରିବ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ମରୁଡ଼ି ପରିସ୍ଥିତି ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି । ସରକାର ବଲାଙ୍ଗିର ଜିଲ୍ଲାକୁ ସମ୍ପୁର୍ଣ୍ଣ ଭାବେ ମରୁଡ଼ି ଅଞ୍ଚଳ ଘୋଷଣା କରିବା ପାଇଁ ଏବେ ଚାଷୀ ସଂଗଠନ ରାସ୍ତାରୋକ, ଘେରାଉ ଭଳି ଆନେ୍ଦାଳନାତ୍ମକ ପଦକ୍ଷେପ ନେଉଛନ୍ତି । ବଲାଙ୍ଗିର ଜିଲ୍ଲା ସଦର ମହକୁମା ସମେତ ସଇଁତଲା, ବଙ୍ଗୋମୁଣ୍ଡା, ଟିଟିଲାଗଡ଼, ଗୁଡଭେଲା ଇତ୍ୟାଦି ଅନେକ ଅଞ୍ଚଳରେ ଚାଷୀ ଆନେ୍ଦାଳନ କରାଯାଇ ସାରିଲାଣି । ଏଭଳି ପରିସ୍ଥିତି ଉପୁଜିଥିବା ବେଳେ ବୁଧବାର ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ବଲାଙ୍ଗିର ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାର ମରୁଡି ପରିସ୍ଥିତି ସମ୍ପର୍କରେ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଜିଲ୍ଲାପାଳ ଆଶିଷ କୁମାର ଠାକ୍ରେ, ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ, ଉପଜିଲ୍ଲାପାଳ, କୃଷି ବିଭାଗ ଡେପୁଟୀ ଡାଇରେକ୍ଟର ଶ୍ରୀଧର ଦାସ, ଜିଲ୍ଲା କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଶେଷରେ ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ସଇଁତଳା ଇତ୍ୟାଦି ଅଞ୍ଚଳ ଗସ୍ତ କରି ପରିସ୍ଥିତି ନିରୀକ୍ଷଣ କରିଛନ୍ତି । କ୍ଷେତ୍ର ପରିଦର୍ଶନ କରିବା ପରେ ବଲାଙ୍ଗିର ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଉପୁଜିଥିବା ସ୍ୱୀକାର କରିଛନ୍ତି । ମୁଖ୍ୟତଃ ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ ପରିଚିତ । ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଦାଦନ ବାହାର ରାଜ୍ୟକୁ କାମଧନ୍ଦା ଅନ୍ୱେଷଣରେ ଯାଇ ନିର୍ଯାତିତ ହେଉଥିବା ଅନେକ ନଜିର ରହିଛି । ଚଳିତ ବର୍ଷ କୃଷି କାର୍ଯ୍ୟ ଉଜୁଡି ଯାଇଥିବାରୁ ଦାଦନ ସଂଖ୍ୟା ଆଶାତିତ ଭାବେ ବୃଦ୍ଧି ପାଇବା ସମ୍ଭାବନା ରହିଛି । ତେଣୁ କିଭଳି ଭାବେ ଦାଦନ ସମସ୍ୟାକୁ ବନ୍ଦ କରାଯାଇ ପାରିବ ସେ ଉପରେ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ସେଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜିଲ୍ଲାର ଦାଦନ ସମସ୍ୟାକୁ ରୋକିବା ପାଇଁ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନାହିଁ । ମନରେଗା ଯୋଜନାରେ କାମ ଯୋଗାଇବାରେ ପ୍ରଶାସନ ବିଫଳ ହୋଇଥିବା ବେଳେ ଯେଉଁମାନେ ଏହି ଯୋଜନାରେ କାମ କରିଛନ୍ତି ବର୍ଷ ବର୍ଷ ଧରି ସେମାନେ ପାଉଣା ପାଇନଥିବା ଜଣାଯାଇଛି । ଏଭଳି ପରିସ୍ଥିତିରେ କେଉଁ ଯୋଜନା ଦ୍ୱାରା ଦାଦନ ସମସ୍ୟା ରୋକାଯାଇ ପାରିବ ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।




Powered by odothemes.com