maoist

ମାଓ ଟାର୍ଗେଟ୍ରେ କିଶୋର

59

ୟୁଏନ୍ ରିପୋର୍ଟ
ଭୁବନେଶ୍ୱର, ୭ା୧୦(ବୁ୍ୟରୋ): ମାଓବାଦୀମାନେ କିଶୋରମାନଙ୍କୁ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ନେଇ ବ୍ୟବହାର କରୁଛନ୍ତି । ସେମାନେ ଏବେ ମୁଖ୍ୟତଃ ସ୍କୁଲ ଯାଉଥିବା କିଶୋରମାନଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀ ନେବାଆଣିବା କରିବା ସହ ସେମାନଙ୍କ ମାଓ କାର୍ଯ୍ୟକ୍ରମରେ ସାମିଲ କରୁଥିବା ନେଇ ଜାତିସଂଘ (ୟୁଏନ୍) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁ୍ୟଟର୍ସଙ୍କ ମତରେ ଏଭଳି ଘଟଣା ଜାତିସଂଘର ଦୃଷ୍ଟିକୁ ଆସିଛି । କେବଳ ଛତିଶଗଡ଼ ଝାଡ଼ଖଣ୍ଡ ନୁହେଁ ଜମ୍ମୁକାଶ୍ମୀରରେ ସନ୍ତ୍ରାସବାଦୀମାନେ ମଧ୍ୟ ସ୍କୁଲପିଲାଙ୍କୁ ଟାର୍ଗେଟ୍ କରୁଛନ୍ତି । ଗତ ବର୍ଷ ୩୦ଟି ସ୍କୁଲ ସନ୍ତ୍ରାସବାଦୀମାନେ ଜାଳି ଦେଇଥିବାର ସୂଚନା ମିଳିଛି । ସଶସ୍ତ୍ର ସଂଗ୍ରାମରେ ଶିଶୁ ସଂକ୍ରାନ୍ତ ବାର୍ଷିକ ରିପୋର୍ଟକୁ ଉଲ୍ଲେଖ କରି ଶ୍ରୀ ଗୁ୍ୟଟର୍ସ କହିଛନ୍ତି ଯେ, ସନ୍ତ୍ରାସବାଦୀ ଓ ସରକାର ମଧ୍ୟରେ ଘଟୁଥିବା ହିଂସା ଘଟଣାରେ କିଶୋରମାନେ କ୍ରମାଗତ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । ବିଶେଷକରି ଛତିଶଗଡ଼, ଝାଡ଼ଖଣ୍ଡ ଓ ଜମ୍ମୁକାଶ୍ମୀରରେ ଏଭଳି ଘଟଣା ଘଟୁଥିବାର ନଜରରେ ଆସୁଛି । କେବଳ ଏତିକି ନୁହେଁ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ କିଶୋରମାନଙ୍କୁ ମାଓବାଦୀମାନେ ନିଜ କବ୍ଜାକୁ ଆଣି ସେମାନଙ୍କୁ ପ୍ରଶିକ୍ଷଣ ଦେଉଥିବା ମଧ୍ୟ ଖବର ଆସିଛି । ସରକାରୀ ତଥ୍ୟ ଅନୁଯାୟୀ ଜମ୍ମୁକାଶ୍ମୀରରେ ୩୦ ସ୍କୁଲକୁ ସନ୍ତ୍ରାସବାଦୀମାନେ ଜାଳି ଦେଇଛନ୍ତି । ଏହାଛଡ଼ା ସରକାର ମଧ୍ୟ ସୁରକ୍ଷା ବାହିନୀ ଲାଗି ସ୍କୁଲଗୁଡ଼ିକୁ ବ୍ୟବହାର କରୁଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ, ସପ୍ତାହ ସପ୍ତାହ ଧରି ୪ଟି ସ୍କୁଲ ସେନାର ବ୍ୟବହାର ଲାଗି ରଖାଯାଇଥିଲା । ଗତବର୍ଷ ୬ଟି ରାଜ୍ୟରେ ଏଭଳି ଘଟଣା ଘଟିଥିଲାବେଳେ ୨୦୧୬ରେ ଏହା ମାତ୍ର ୨ଟି ରାଜ୍ୟରେ ଦେଖିବାକୁ ମିଳିଛି । ୨୦୧୫ରେ ପ୍ରକାଶିତ ରିପୋର୍ଟରେ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଓଡ଼ିଶା ଓ ପଶ୍ଚିମବଙ୍ଗରେ କିଶୋରମାନଙ୍କୁ ମାଓବାଦୀମାନେ ବ୍ୟବହାର କରୁଥିବାର ଘଟଣା ସାମ୍ନାକୁ ଆସିଥିଲା । ଶ୍ରୀ ଗୁ୍ୟଟର୍ସ ତାଙ୍କ ରିପୋର୍ଟକୁ ସୁରକ୍ଷା ପରିଷଦକୁ ମଧ୍ୟ ପଠାଇ ଦେଇଛନ୍ତି । ସନ୍ତ୍ରାସବାଦୀ ଓ ସଶସ୍ତ୍ର ଗୋଷ୍ଠୀଙ୍କ ଅପେକ୍ଷା ସରକାରଙ୍କ ଦ୍ୱାରା ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ପ୍ରାୟ ୪ ହଜାର ଘଟଣାରେ ସରକାରୀ କଳ ସଂପୃକ୍ତ ଥିବାର ସୂଚନା ମିଳିଥିଲାବେଳେ ୧୧୫୦ଟି ଘଟଣାରେ ଅନ୍ୟ ସଶସ୍ତ୍ର ଗୋଷ୍ଠୀ ସଂପୃକ୍ତ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । କିଶୋରମାନଙ୍କୁ ଏଥିରୁ କିଭଳି ରକ୍ଷାକରାଯାଇପାରିବ ଓ ମାଓବାଦୀମାନେ କିଭଳି ସେମାନଙ୍କୁ ବ୍ୟବହାର କରିବେ ନାହିଁ, ସେଥିପାଇଁ ଭାରତ ସରକାରଙ୍କ ସହ ଆଲୋଚନା କରାଯିବ । ସେମାନଙ୍କୁ ଆଇନ୍ଶୃଙ୍ଖଳା ରକ୍ଷା ସମୟରେ କିଭଳି ସୁରକ୍ଷା ଦିଆଯାଇପାରିବ ଏବଂ ଯେକୌଣସି ହିଂସାରୁ ସେମାନଙ୍କୁ ରକ୍ଷା କରାଯାଇପାରିବ, ସେ ସଂପର୍କରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ । ଜାତୀୟ ସୁରକ୍ଷା ବାହିନୀ ପକ୍ଷରୁ ମାଓବାଦୀଙ୍କ ନିୟନ୍ତ୍ରଣ ପାଇଁ ହେଉଥିବା ଅପରେସନରେ କିଶୋରମାନେ କ୍ରମାଗତ ମୃତୁ୍ୟବରଣ କରିବା ସହ ଆହତ ହେଉଛନ୍ତି । ଏ ସମ୍ପର୍କରେ କୌଣସି ସଂଖ୍ୟା ପ୍ରଦାନ କରାଯାଉନାହିଁ । ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୧୩ ଜଣ ସାଧାରଣ ଲୋକ ମାଓ-ସୁରକ୍ଷାକର୍ମୀ ଏନ୍କାଉଣ୍ଟରରେ ମୃତୁ୍ୟବରଣ କରିଛନ୍ତି । ୨୦୧୫ରେ ୧୭୧ ଜଣ ମୃତୁ୍ୟବରଣ କରିଥିଲାବେଳେ ଏହି ସଂଖ୍ୟା ବୃଦ୍ଧି ପାଇଛି । ହେଲେ କିଶୋରଙ୍କ ସଂପର୍କରେ କୌଣସି ତଥ୍ୟ ଦିଆଯାଇନାହିଁ । ମାଓବାଦୀମାନେ ପିଲାମାନଙ୍କୁ ବାପାମାଆଙ୍କୁ ମଧ୍ୟ ଧମକଚମକ ଦେବା ସହ ଗାଳିଗୁଲଜ କରୁଛନ୍ତି । ଯେଉଁ ଅଭିଭାବକମାନେ ମାଓବାଦୀଙ୍କ ଦ୍ୱାରା ପିଲାମାନେ ବ୍ୟବହାର ହେବାରେ ବାରଣ କରୁଛନ୍ତି, ସେମାନେ ଏଭଳି ଶିକାର ହେଉଛନ୍ତି । ସେମାନଙ୍କୁ ମାଓବାଦୀମାନେ ସାମରିକ ଶିକ୍ଷାଦେବା ସହ ଅନେକ ସମୟରେ ବିଭିନ୍ନ ସୂଚନା ସେମାନଙ୍କ ଦ୍ୱାରା ପଠାଉଛନ୍ତି । କେତେକ କ୍ଷେତ୍ରରେ ଶିଶୁ ସ୍କ୍ୱାଡ୍ ଗଠନ କରାଯାଇ ସେମାନଙ୍କୁ ସୂଚନାକାରୀ ଭାବେ ମଧ୍ୟ ବ୍ୟବହାର କରୁଛନ୍ତି । ଛତିଶଗଡ଼ ସରକାର ବିଭିନ୍ନ ସ୍କୁଲ ପାଠ୍ୟକ୍ରମରେ ମାଓବାଦୀମାନେ ବିକାଶରେ ବାଧା ସୃଷ୍ଟି କରୁଥିବା ସାମିଲ କରିଛନ୍ତି । ଅନେକ ସ୍କୁଲରେ ଏହା ପଢ଼ାଯାଉଛି । ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଝାଡ଼ଖଣ୍ଡର ଗୁମ୍ଲା ଜିଲ୍ଲାରେ ମାର୍ଚ୍ଚ ୨୦୧୬ରେ ୨୩ ଜଣ ଶିଶୁଙ୍କୁ ମାଓବାଦୀଙ୍କଠାରୁ ଉଦ୍ଧାର କରାଯାଇ ପୁଲିସ ବିଭିନ୍ନ ସ୍କୁଲରେ ନାମ ଲେଖାଇଛି । ତେବେ କେତେକ କ୍ଷେତ୍ରରେ ପୁଲିସ ମଧ୍ୟ ଶିଶୁମାନଙ୍କୁ ସୂଚନା ପାଇଁ ବ୍ୟବହାର କରୁଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।




Powered by odothemes.com