ଯୋକଡ଼ିଆ ଖଣ୍ଡିତର ନଦୀବନ୍ଧ ରାସ୍ତା ଶୋଚନୀୟ

6-10-2

କୁଆଖିଆ (ଆପ୍ର): ରସୁଲପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀବନ୍ତପୁର ଠାରୁ ଖଣ୍ଡିତର ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାକୁ ଲାଗିଛି । ରାସ୍ତାରେ ବଡ଼ ବଡ଼ ଖାଲ ସହ ଗଛ ଲଟା ମାଡ଼ିବା ଓ ସ୍ଥାନୀୟ ଲୋକେ ରାସ୍ତାକୁ ଧାନଖଳା ରୂପେ ବ୍ୟବହାର କରୁଥିବାରୁ ରାସ୍ତାଟି ସଂକୁଚିତ ହୋଇପଡ଼ିଛି । ଯେଉଁଥିପାଇଁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣାମାନ ଘଟି ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଶ୍ରୀବନ୍ତପୁରଠାରୁ ଖଣ୍ଡିତର ପର୍ଯ୍ୟନ୍ତ ଖରସ୍ରୋତା ନଦୀ ବନ୍ଧ ରାସ୍ତା ସହ ଯୋକଡିଆ ଛକରୁ ଖଣ୍ଡିତର ମା’ ମଙ୍ଗଳା ଘାଟ ପର୍ଯ୍ୟନ୍ତ ରାସ୍ତା ମଝିରେ ଗାତ ହୋଇଥିବା ବେଳେ ସଂପୃକ୍ତ ରାସ୍ତାକୁ କିଛି ଲୋକ ମାଡ଼ବସି ଧାନଖଳା କରିଥିବାରୁ ରାସ୍ତା ସଂକୁଚିତ ହୋଇପଡ଼ିଛି । ଏହା ଛଡ଼ା ପାରିକଇଁଚି ନିକଟ ନଦୀବନ୍ଧରେ ଏକ ବିରାଟ ଗାତ ରହିଥିବାରୁ ପ୍ରତିଦିନ ଏହି ଗାତରେ ପଡ଼ି ଯାତ୍ରୀମାନେ ଖଣ୍ଡିଆ ଖାବରା ହେଉଛନ୍ତି । ସେହିପରି ଯୋକଡିଆ ଆପ୍ରୋଚ ରୋଡ ତଳକୁ ଦବି ଯାଇଥିବାରୁ ଗାଡି ଚଳା ଚଳରେ ବାଧା ଉପୂଜୁଛି । ଆପ୍ରୋଚ ରୋଡ୍ ପାଖ ରାସ୍ତା ମଧ୍ୟ ଶୋଚନୀୟ ହୋଇପଡିଛି । କଂକି୍ରଟ ଢ଼ଳେଇ ଭାଙ୍ଗି ମଝିରେ ମଝିରେ ଗାତ ହୋଇଛି । ଏହାଛଡା ଅନ୍ୟ ଗ୍ରାମ ଟିକରପଡା, କୁଜିବର ଗ୍ରାମ ନିକଟରେ ରାସ୍ତା ମଧ୍ୟ ଶୋଚନୀୟ ହୋଇପଡ଼ିଛି । ତେଣୁ ଯଥାଶୀଘ୍ର ଏହିସବୁ ରାସ୍ତାର ସ୍ଥାୟୀ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି ।