ANGUL-LAXMI-2

ଲକ୍ଷ୍ମୀପୂଜା ପାଇଁ ଅନୁଗୁଳ ଉତ୍ସବମୁଖର: ବ୍ୟାପକ ସୁରକ୍ଷା

40

ଅନୁଗୁଳ(ଆପ୍ର): କୁମାର ପୂର୍ଣ୍ଣିମାରେ ଧରାପୃଷ୍ଠକୁ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଆଗମନ ଘଟିଛି । ଏଥିପାଇଁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ଅନୁଗୁଳ ସହର । ମା’ ଲକ୍ଷ୍ମୀଙ୍କୁ ଆବାହନ ପାଇଁ ଅନୁଗୁଳର ଆବାଳ ବୃଦ୍ଧ ବନିତାଙ୍କ ମଧ୍ୟରେ ଆନନ୍ଦ ଉତ୍ସାହ ବୃଦ୍ଧିପାଇଛି । ବଅଁରପାଳ ଠାରୁ କରଡ଼ାଗାଡ଼ିଆ ଛକ ପର୍ଯ୍ୟନ୍ତ ସମୁଦାୟ ୬୧ଟି ପୂଜାମଣ୍ଡପରେ ମା’ଙ୍କ ପୂଜା ଆରମ୍ଭ ହୋଇଛି । ଅନୁଗୁଳରେ ଏହାକୁ ମହୋତ୍ସବ ଭାବେ ପାଳନ କରାଯାଉଛି । ବିଭିନ୍ନ ଧରଣର ବିଶାଳକାୟ ତୋରଣ ସାଙ୍ଗକୁ ମା’ଗଜଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତି ଦର୍ଶକଙ୍କୁ ବିମୋହିତ କରିଛି । ଛୋଟବଡ଼ ବ୍ୟବସାୟୀ ବ୍ୟବସାୟ ନିମନ୍ତେ ରାସ୍ତାକଡ଼ରେ ପସରା ମେଲି ଗ୍ରାହକଙ୍କୁ ଆକର୍ଷଣ ନିମନ୍ତେ ପ୍ରୟାସ ଚଳାଇଛନ୍ତି । ଅନୁଗୁଳର କେନ୍ଦ୍ରସ୍ଥଳରେ ଥିବା ବିଜୁ ମଇଦାନରେ ଅନୁଗୁଳ ଫେଷ୍ଟ୍ ନାମରେ ଏକ ବ୍ୟବସାୟୀକ ମେଳା ମଧ୍ୟ ଆରମ୍ଭ ହୋଇଛି । ଆହୁରି ମଧ୍ୟ ମନୋରଂଜନ ନିମନ୍ତେ ବିଭିନ୍ନ ପୂଜାମଣ୍ଡପ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ସ୍ଥିର କରାଯାଇଛି । ପୂଜା ବେଳେ ଏକତା ଆଣିଦେବା ସହ ଅନୁଗୁଳରେ ଥିବା ସମସ୍ତ ପୂଜାକମିଟି ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ କେନ୍ଦ୍ରୀୟ ପୂଜାକମିଟି ଗଠନ ହୋଇଛି । ଯାହା ପ୍ରଶାସନ ସହ ମିଳିତଭାବେ ସହଯୋଗ କରି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ନିଷ୍ପତ୍ତି ନେଇଛି । ପୁଲିସ ପ୍ରଶାସନ ତରଫରୁ ସୁରକ୍ଷାର ବନେ୍ଦାବସ୍ତ କରାଯାଇଛି । ସହରରେ ୫ଜଣ ଅତିରିକ୍ତ ଏସ୍ପି ଓ ଡିଏସ୍ପି, ୧୧ଜଣ ଇନ୍ସପେକ୍ଟର, ୨୩ ଜଣ ସବ୍ଇନ୍ସପେକ୍ଟର, ୪୫ ଜଣ ଏଏସ୍ଆଇ, ୭୯ ଜଣ କନେଷ୍ଟବଳ, ୧୫ ଜଣ ଟ୍ରାଫିକ୍ କନେଷ୍ଟବଳ, ୧୬ ହାବିଲଦାର, ୧୮୧ ହୋମ୍ଗାର୍ଡ଼ଙ୍କ ସମେତ ୩୯ ସେକ୍ସସନ୍ ରିଜର୍ଭ ପୁଲିସ ଓ ୩୪ ଜଣ ଏପିଆର୍ ନିଯୁକ୍ତ ହୋଇଛନ୍ତି । ଟ୍ରାଫିକ୍ କଣ୍ଟ୍ରୋଲ ନିମନ୍ତେ ସନ୍ଧ୍ୟା ସମୟରୁ ସମସ୍ତ ୪ଚକିଆ ଯାନ ଠାରୁ ଆରମ୍ଭ କରି ଭାରିଯାନ ପାଇଁ ସହରବାହାରେ ଯାଇଥିବା ରାସ୍ତାକୁ ୱାନ୍ୱେ ଟ୍ରାଫିକ୍ ଭାବେ ବ୍ୟବହାର କରାଯାଉଛି । କଟକ ପାଶ୍ୱରୁ ଆସୁଥିବା ଗାଡ଼ିଗୁଡ଼ିକ ପିଟିସି ଛକଠାରୁ ବାମକୁ ଯାଇ ତାମ୍ରିତ କଲୋନି ନିକଟଦେଇ ବିଇଡି କଲେଜ ଛକ, କମଳାଫାର୍ମ ଛକ ଦେଇ ହରିମହୂରି ଛକରେ ବାହାରିବାର ବନେ୍ଦାବସ୍ଥ କରାଯାଇଛି । ସେହିଭଳି ସମ୍ବଲପୁର ପଟୁ ଆସୁଥିବା ଗାଡ଼ିଗୁଡ଼ିକ ହୁଲୁରିସିଂହା ଛକଠାରୁ ଗାନ୍ଧୀମାର୍ଗ ରାସ୍ତାରେ ହେମସୁରପଡ଼ା, ଶିମିଳିପଡ଼ା ଦେଇ ପିଟିସି ଛକରେ ବାହାରିବାର ବ୍ୟବସ୍ଥା ହୋଇଛି । ସର୍ବୋପରି ପ୍ରଶାସନ ତରଫରୁ ମଦୁଆ ଧରପଗଡ଼ ଗାଡ଼ି ବୁଲିବା ସହ ସମସ୍ତଙ୍କୁ ଶାନ୍ତିଶୃଙ୍ଖଳା ପୂଜାକୁ ଉପଭୋଗ କରିବାକୁ ଅନୁରୋଧ କରାଯାଇଛି ।




Powered by odothemes.com