ଆଜିଠୁ ଭାରତର ଐତିହାସିକ ଅଭିଯାନ

FIFAU17WORLDCUP

୧୭ ବର୍ଷରୁ କମ୍ ଫୁଟ୍ବଲ୍ ମହାକୁମ୍ଭ
ନୂଆଦିଲ୍ଲୀ, ୫ା୧୦ (ଏଜେନ୍ସି): ଶୁକ୍ରବାରଠାରୁ ଆରମ୍ଭ ହେବ ଫିଫା ୧୭ ବର୍ଷରୁ କମ୍ ବିଶ୍ୱକପ୍ର ୧୭ତମ ସଂସ୍କରଣ । ଏଥିସହିତ ଭାରତୀୟ ଫୁଟ୍ବଲ୍ ଇତିହାସରେ ଯୋଡ଼ି ହେବ ଏକ ନୂଆ ଅଧ୍ୟାୟ । ପ୍ରଥମଥର ଏକ ଫିଫା ଇଭେଣ୍ଟରେ ଖେଳିବାର ସୌଭାଗ୍ୟ ଅର୍ଜନ କରିବ ଭାରତ । ଭାରତର ଏହି ଐତିହାସିକ ପଦାର୍ପଣକୁ ଦେଶର କୋଟି କୋଟି କ୍ରୀଡ଼ାପ୍ରେମୀ ଉକ୍ରଣ୍ଠାର ସହ ଚାହିଁ ବସିଥିବାବେଳେ ଫୁଟ୍ବଲ୍ ଖେଳୁଥିବା ଅନ୍ୟ ରାଷ୍ଟ୍ର ମଧ୍ୟ ଭାରତର ପ୍ରଦର୍ଶନ ଉପରେ ରଖିଛନ୍ତି ନଜର । ଆୟୋଜକ ଭାରତ ସମେତ ୨୪ଟି ରାଷ୍ଟ୍ରର ଟିମ୍ ଏହି ଫୁଟ୍ବଲ୍ ମହାକୁମ୍ଭରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଭାରତ ଏସିଆର ପଞ୍ଚମ ରାଷ୍ଟ୍ର ଭାବେ ଫିଫା ୧୭ ବର୍ଷରୁ କମ୍ ବିଶ୍ୱକପ୍ ଆୟୋଜନ କରୁଛି । ୧୯୮୫ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ପୂର୍ବରୁ ଚୀନ୍, ଜାପାନ୍, ଦକ୍ଷିଣ କୋରିଆ ଓ ୟୁଏଇ ଆୟୋଜନ କରିସାରିଛନ୍ତି । ଫିଫା ବିଶ୍ୱକପ୍ ପ୍ରଥମ ଥର ୧୯୩୦ରେ ଉରୁଗୁଏରେ ଆରମ୍ଭ ହୋଇଥିଲା । ଫିଫା ଗତ ୮୭ ବର୍ଷ ମଧ୍ୟରେ ଅନେକ ଇଭେଣ୍ଟ ଆୟୋଜନ କରିଛି, ହେଲେ ଭାରତ କୌଣସି ଟୁର୍ଣ୍ଣାମେଣ୍ଟ ପାଇଁ କେବେ ଯୋଗ୍ୟତା ଅର୍ଜନ କରିପାରିନାହିଁ । ଅକ୍ଟୋବର ୬ରେ ଫିଫା ୧୭ ବର୍ଷରୁ କମ୍ ବିଶ୍ୱକପ୍ର ଉଦ୍ଘାଟନୀ ମ୍ୟାଚ୍ରେ ଆମେରିକା ବିିପକ୍ଷରେ ପଡ଼ିଆକୁ ଓହ୍ଲାଇବା କ୍ଷଣି ଭାରତର ଏକ ଦୀର୍ଘଦିନର ସ୍ୱପ୍ନ ସାକାର ହେବ । ପ୍ରଥମ ଥର ଜନସଂଖ୍ୟାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଫିଫାର କୌଣସି ଇଭେଣ୍ଟରେ ଭାଗ ନେବ । ଆୟୋଜକ ହୋଇଥିବା ଦୃଷ୍ଟିରୁ ଭାରତକୁ ଏହି ଅଧିକାର ମିଳିଛି । ଏବେ ପ୍ରଶ୍ନ ଉଠିଛି, ସୁଯୋଗ ତ ମିଳିଲା, ହେଲେ ଭାରତୀୟ ଟିମ୍ କ’ଣ ଏହି କ୍ରୀଡ଼ାରେ ନକ୍ଆଉଟ୍ ପର୍ଯ୍ୟନ୍ତ ଯାଇପାରିବ । ଯଦି ସମସ୍ତ ଗ୍ରୁପ୍ ଓ ଟୁର୍ଣ୍ଣାମେଣ୍ଟର ନିୟମ ଉପରେ ଦୃଷ୍ଟି ଦିଆଯିବ, ତେବେ ଭାରତ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବାର ଟିକେ ଆଶା ଅଛି । ହୁଏତ ଏକ ଡ୍ର’ ଭାରତକୁ ଏହି ସୁଯୋଗ ଦେଇପାରେ । ପ୍ରଥମ ଦିବସରେ ଚାରିଟି ମ୍ୟାଚ୍ ଅନୁଷ୍ଠିତ ହେବ । ନୂଆଦିଲ୍ଲୀର ଜବାହରଲାଲ୍ ନେହରୁ ଷ୍ଟାଡିୟମ୍ରେ ଗ୍ରୁପ୍-ଏ ଅନ୍ତର୍ଗତ ପ୍ରଥମ ମ୍ୟାଚ୍ କଲମ୍ବିଆ ଓ ଦୁଇଥର ଚାମ୍ପିଅନ୍ ଘାନା ଏବଂ ଦ୍ୱିତୀୟ ମ୍ୟାଚ୍ ଭାରତ ଓ ଆମେରିକା ମଧ୍ୟରେ ଖେଳାଯିବ । ନଭି ମୁମ୍ବାଇର ଡ. ଡିୱାଇ ପାଟିଲ୍ ଷ୍ଟାଡିୟମ୍ ଗ୍ରୁପ୍-ବି ଅନ୍ତର୍ଗତ ପ୍ରଥମ ମ୍ୟାଚ୍ ନୁ୍ୟଜିଲାଣ୍ଡ ଓ ତୁର୍କୀ ଏବଂ ଦ୍ୱିତୀୟ ମ୍ୟାଚ୍ ୨୦୧୫ ରନର୍ସଅପ୍ ମାଲି ଓ ପାରାଗୁଏ ମଧ୍ୟରେ ଖେଳାଯିବ ।
୍‌ କ’ଣ କହେ ନିୟମ
ଟୁର୍ଣ୍ଣାମେଣ୍ଟରେ ମୋଟ ୨୪ଟି ଟିମ୍ ଭାଗ ନେଉଛନ୍ତି ଏବଂ ୧୬ଟି ଟିମ୍ ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ପାଇବେ । ମୋଟ ଛଅଟି ଗ୍ରୂପ୍ ରହିଛି ଏବଂ ପ୍ରତି ଗ୍ରୁପ୍ରେ ଚାରିଟି ଟିମ୍ ରହିଛନ୍ତି । ଲିଗ୍ ପର୍ଯ୍ୟାୟରେ ଗୋଟିଏ ଟିମ୍ ଅନ୍ୟ ତିନିଟି ଟିମ୍ ସହ ଖେଳିବ । ପ୍ରତି ଗ୍ରୁପ୍ରୁ ଦୁଇଟି ଶୀର୍ଷ ଟିମ୍ ଅନ୍ତିମ-୧୬ରେ ସ୍ଥାନ ପାଇବେ । ଅନ୍ୟ ଚାରିଟି ସ୍ଥାନ ପାଇଁ ଲିଗ୍ ପର୍ଯ୍ୟାୟରେ ତୃତୀୟ ସ୍ଥାନରେ ରହିଥିବା ଶ୍ରେଷ୍ଠ ଚାରିଟି ଟିମ୍କୁ ଚୟନ କରାଯିବ । ଏହାର ଅର୍ଥ ଭାରତ ଯଦି ନିଜ ଗ୍ରୁପ୍ରେ ତୃତୀୟ ସ୍ଥାନରେ ରହେ, ତେବେ ବି ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ପାଇପାରିବ ।
୍‌ ସବୁଠୁ କମ୍ ଅଭିଜ୍ଞତା
ଗ୍ରୁପ୍-ଏ’ରେ ଭାରତ ସହିତ ଆମେରିକା, କଲମ୍ବିଆ ଓ ଘାନା ଭଳି ମଜଭୁତ ଟିମ୍ ରହିଛି । ଘାନା ଦୁଇଥର ଏହି ଟୁର୍ଣ୍ଣାମେଣ୍ଟ ଜିତିଥିବାବେଳେ କଲମ୍ବିଆ ଦୁଇଥର ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ସ୍ଥାନରେ ରହିଛି ଏବଂ ଆମେରିକା ୧୯୯୯ରେ ସେମିଫାଇନାଲ୍ ଖେଳିଛି । ଏହି ତିନିଟି ଟିମ୍ର ପୂର୍ବ ପ୍ରଦର୍ଶନକୁ ଦେଖିଲେ ଭାରତ ବାସ୍ତବରେ ସେମାନଙ୍କ ଠାରୁ ବହୁ ପଛରେ ରହିଛି । ଭାରତୀୟ ଖେଳାଳିଙ୍କ ପାଖରେ ଅଭିଜ୍ଞତାର ଅଭାବ ରହିଛି । ତେବେ ଆୟୋଜକ ହୋଇଥିବା ଦୃଷ୍ଟିରୁ ଦର୍ଶକଙ୍କ ସମର୍ଥନ ଭାରତ ପାଇଁ ଲାଭପ୍ରଦ ହୋଇପାରେ ।
୍‌ ନଜରରେ ଧୀରଜ
ଅଭିଜ୍ଞତା ଦୃଷ୍ଟିରୁ ଭାରତୀୟ ଦଳ ବହୁ ପଛରେ ଥିଲେ ହେଁ ସମସ୍ତଙ୍କ ନଜର ରହିଛି ଆୟୋଜକ ଦଳ ଉପରେ । ଭାରତୀୟ ଦଳରେ ଅନେକ ପ୍ରତିଭାଶାଳୀ ଖେଳାଳି ଅଛନ୍ତି, କିନ୍ତୁ ଗୋଲ୍କିପର୍ ଧୀରଜ ମୋଇରାଙ୍ଗଥେମ୍ଙ୍କ ଉପରେ ସମସ୍ତଙ୍କର ନଜର ରହିଛି, କାରଣ ଦଳର ଅନ୍ୟ ଖେଳାଳିଙ୍କ ତୁଳନାରେ ତାଙ୍କର ଅଧିକ ଆନ୍ତର୍ଜାତିକ ଅଭିଜ୍ଞତା ରହିଛି ।
ଭାରତୀୟ କୋଚ୍ ଲୁଇସ୍ ନର୍ଟନ୍ ଡି’ ମୋଟୋସ୍ଙ୍କ ତାଲିକାରେ ଧୀରଜଙ୍କ ନାମ ସର୍ବାଗ୍ରେ ରହିଛି । ସେ ୨୦୧୩ରୁ ଦଳ ସହ ସଂଶ୍ଳିଷ୍ଟ ଅଛନ୍ତି ଏବଂ ୧୬ ବର୍ଷରୁ କମ୍ ସାଫ୍ ଚାମ୍ପିଅନ୍ସିପ୍ ଜିତିଥିବା ଦଳର ମଧ୍ୟ ସେ ସଦସ୍ୟ ଥିଲେ । ଗତବର୍ଷ ଏଏଫ୍ସି ୧୬ବର୍ଷରୁ କମ୍ ଚାମ୍ପିଅନ୍ସିପ୍ ସମୟରେ ମଧ୍ୟ ଧୀରଜ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଏବଂ ଅନେକ ପେନାଲ୍ଟି ସୁଯୋଗକୁ ବିଫଳ କରିଦେଇଥିଲେ । ତାଙ୍କର ଏହି ପ୍ରଦର୍ଶନ ବଳରେ ଚିଲି ବିପକ୍ଷ ମ୍ୟାଚ୍କୁ ଭାରତ ୧-୧ରେ ଡ୍ର’ ରଖିବାରେ ସଫଳ ହୋଇଥିଲା । ଏହି ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ମେକ୍ସିକୋରେ ଖେଳାଯାଇଥିଲା । ମଣିପୁରର ଧୀରଜ ଫୁଟ୍ବଲ୍ ଖେଳିବା ପୂର୍ବରୁ ବ୍ୟାଡ୍ମିଣ୍ଟନ୍କୁ ପସନ୍ଦ କରୁôଥିଲେ ।
ଧୀରଜଙ୍କ ଛଡ଼ା ଟିମ୍ର ଅନ୍ୟତମ ଗୋଲ୍କିପର୍ ହେଉଛନ୍ତି ପଞ୍ଜାବର ପ୍ରଭସୁଖନ ଗିଲ୍ ଓ ସନ୍ନି ଧାଲିୱାଲ୍ । ସନି କାନାଡ଼ାରେ ଜନ୍ମଗ୍ରହଣ କରିଥିଲେ ଏବଂ କଠିନ ପରିଶ୍ରମ ପରେ ସେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ।
୍‌ ଅନ୍ତତଃ ଡ୍ର’ ଲୋଡ଼ା
ଦେଶସାରା ଏବେ ଫୁଟ୍ବଲ୍ ମାନିଆ । ଭାରତୀୟ ଖେଳାଳିଙ୍କ ମନୋବଳ ଉଚ୍ଚ ରହିଛି ଏବଂ ଉଦ୍ଘାଟନୀ ମ୍ୟାଚ୍ ହାଉସ୍ଫୁଲ୍ ହେବା ନିଶ୍ଚିତ । ଏପରିସ୍ଥଳେ ଘରୋଇ ଦର୍ଶକଙ୍କ ସମର୍ଥନ ମଧ୍ୟରେ ଭାରତ ପାଖରେ ନିଜ ପ୍ରଥମ ମ୍ୟାଚ୍ରେ ବିପର୍ଯ୍ୟୟ ଘଟାଇବାର ସୁଯୋଗ ରହିଛି । ଏହି ଲଢ଼େଇ ଆମେରିକା ବିପକ୍ଷରେ ହେବ, ଯାହା ଆଗରେ ଲମ୍ବା ଯାତ୍ରା ପରେ କ୍ଲାନ୍ତିରୁ ମୁକୁଳିବା ଓ ଉପମହାଦେଶୀୟ ପାଣିପାଗରେ ନିଜକୁ ଉପଯୋଜିତ କରିବାର ଚାଲେଞ୍ଜ୍ ରହିଛି । ଭାରତ ଯଦି ପ୍ରଥମେ ଆକ୍ରମଣ କରିବାରେ ସଫଳ ହୁଏ ଅର୍ଥାତ୍ ପ୍ରଥମେ ଗୋଲ୍ କରେ, ତେବେ ମ୍ୟାଚ୍ ବଞ୍ଚାଇବାର ସମ୍ଭାବନା ବଢ଼ିଯିବ । ଭାରତ ମ୍ୟାଚ୍କୁ ଡ୍ର’ କରିପାରିଲେ ବି ଆଶା ବଳବତ୍ତର ରହିବ ।
………………………………………..
ଭାରତର ଲିଗ୍ ମ୍ୟାଚ୍
ଅକ୍ଟୋବର ୬
ଭାରତ ବନାମ ଆମେରିକା (ରାତି ୮ଟା)
ଅକ୍ଟୋବର ୯
ଭାରତ ବନାମ କଲମ୍ବିଆ (ରାତି ୮ଟା)
ଅକ୍ଟୋବର ୧୨
ଭାରତ ବନାମ ଘାନା (ରାତି ୮ଟା)