Subarnapur-Jail-jiba-pubaru-sishu-ta-maa-sahita-achi

ହତ୍ୟା ଅଭିଯୁକ୍ତ ମା’ ସହିତ ଦେଢ଼ ବର୍ଷର ପିଲା ଜେଲ୍ରେ

117

ସୁବର୍ଣ୍ଣପୁର (ଆପ୍ର): ହତ୍ୟା ଅଭିଯୋଗରେ ମା’ ସହ ଏକ ଦେଢ଼ବର୍ଷର କୋମଳ ଶିଶୁ ଜେଲ୍ ଦଣ୍ଡ ଭୋଗୁଥିବା ନେଇ ଅଭିଯୋଗ ହୋଇଛି । ତେବେ ମା’ଠାରୁ କ୍ଷୀର ଖାଉଥିବା ବେଳେ ଶିଶୁ ମା’ ସହ ରହିବା ଆଇନ୍ ସମ୍ମତ ବୋଲି କିଛି ମତ ଦେଇଥିବା ବେଳେ ଶିଶୁର ଭବିଷ୍ୟତକୁ ନେଇ ତାକୁ ନ୍ୟାୟ ପ୍ରଦାନ ପାଇଁ ବରିଷ୍ଠ ମହଲରେ ଦାବି ହୋଇଛି । ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବେହେରାମାଲ ଗ୍ରାମରେ ଚାରିଦିନ ପୂର୍ବେ ଗ୍ରାମର ଏକ ପରିବାରର ୩ଜଣଙ୍କୁ ହତ୍ୟା ଅଭିଯୋଗରେ ପୁଲିସ ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନଙ୍କ ମଧ୍ୟରୁ ଗ୍ରାମର ନିଳମଣୀ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଦୁଃଖୀ ପ୍ରଧାନଙ୍କ ସହିତ ଅନ୍ୟ ୩ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ପରିପ୍ରେକ୍ଷୀରେ ଦୁଃଖୀ ତାଙ୍କ ସହ ଦେଢ଼ ବର୍ଷର ଶିଶୁକୁ ନେଇ ଜେଲ୍ ଯାଇଛନ୍ତି । ତେଣୁ ଶିଶୁଟିର ଭବିଷ୍ୟତ ବିଗିଡ଼ିଯିବାର ଆଶଙ୍କାରେ ବରିଷ୍ଠ ମହଲରେ ନ୍ୟାୟ ପ୍ରଦାନ ପାଇଁ ଦାବି ହେଉଛି । ଏନେଇ ଶିଶୁ ସୁରକ୍ଷା ଆୟୋଗର ରାଜ୍ୟ ପରାମର୍ଶଦାତା ଘାସିରାମ ପଣ୍ଡାଙ୍କ କହିବାନୁସାରେ ଛୋଟ ଶିଶୁ କୌଣସି ପରିସ୍ଥିତିରେ ମଧ୍ୟ ଜେଲ ଯିବାର ବ୍ୟବସ୍ଥା ନାହିଁ । ଏଥିପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିଜେ ଜେଲକୁ ଯାଇ ସେଠାରେ ସମ୍ପୃକ୍ତ ଶିଶୁର ମା’ଙ୍କୁ କାଉନସିଲିଂ କରି ଶିଶୁକୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପାଖରେ ଦାଖଲ କରିବାପରେ କମିଟିର ନିଦେ୍ର୍ଦଶ ଅନୁସାରେ କୌଣସି ଶିଶୁଯନô ୟୁନିଟ୍ରେ ରଖିବା ବ୍ୟବସ୍ଥା କରିବା ଉଚିତ ବୋଲି ସେ କହିଥିଲେ । ସେହିଭଳି ବୀରମହାରାଜପୁର ଉପଖଣ୍ଡ ପୁଲିସ ଅଧିକାରୀ ପ୍ରସନ୍ନ ବିଶ୍ୱାଳଙ୍କ କହିବାନୁସାରେ ଯେହେତୁ ଶିଶୁର ମା’ ଏକ ଜଘନ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ତେଣୁ ତାର ମା’ ସହିତ ତାହାକୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି । ଅଦାଲତ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ଫଳରେ ଉଭୟ ମା’ ଓ ଶିଶୁକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସଙ୍କ କହିବାନୁସାରେ ପ୍ରତ୍ୟେକ ଶିଶୁ ନିଜ ମା’ ପାଖରେ ୫ବର୍ଷ ପର୍ଯ୍ୟନ୍ତ ରହି ପାରିବ । କିନ୍ତୁ କୌଣସି ପରିସ୍ଥିତିରେ ମଧ୍ୟ ମା’ ସହିତ ଜେଲରେ ରହି ପାରିବ ନାହିଁ । ତେଣୁ ଏ କ୍ଷେତ୍ରରେ ଯେହେତୁ ମା’ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥାଇ ଜେଲ ଯାଇଛନ୍ତି ତେଣୁ ଜେଲକୁ ଯାଇ ସେମାନଙ୍କୁ କାଉନସିଲିଂ କରାଯାଇ ମା’ଠାରୁ ଶିଶୁକୁ ଅଲଗା ରଖିବାର ବ୍ୟବସ୍ଥା ରହିଥିବା ସେ କହିଛନ୍ତି । ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଚନ୍ଦ୍ର ଶେଖର ମିଶ୍ରଙ୍କୁ ପଚାରିବାରେ ଏହି ଘଟଣା ଜଣାପଡିବା ପରେ ସମ୍ପୃକ୍ତ ଅଦାଲତଙ୍କ ସହିତ ପରାମର୍ଶ କରି ଜେଲ ପରିଦର୍ଶନ ପରେ ଅଦାଲତଙ୍କ ନିଦେ୍ର୍ଦଶ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ରାଜ୍ୟ ମାନବାଧିକାର କର୍ମୀ ଚନ୍ଦ୍ରନାଥ ଦାନୀଙ୍କ କହିବାନୁସାରେ ମା’କ୍ଷୀର ପିଉଥିବା ଶିଶୁ ଜେଲ ଯିବା ଆଇନରେ ବ୍ୟବସ୍ଥା ରହିଛି । ଏହା ମାନବାଧିକାର ଉଲ୍ଲଙ୍ଘନ ନୁହେଁ । ତଥାପି ଅନେକ କ୍ଷେତ୍ରରେ ଶିଶୁ ଅଧିକାର କ୍ଷୂର୍ଣ୍ଣ ନହେବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟି, କିଶୋର ନ୍ୟାୟ ବୋର୍ଡ ଆଦି ବିଭାଗ ଜେଲ ପରିଦର୍ଶନ କରି ସମ୍ପୃକ୍ତ ମା’ଙ୍କ ସହ ପରାମର୍ଶ କରି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି । ଜିଲ୍ଲା କିଶୋର ନ୍ୟାୟ ବୋର୍ଡ ସଦସ୍ୟ ବରୁଣ ମହାନ୍ତିଙ୍କ କହିବାନୁସାରେ ଏପରି ଘଟଣା ପୂର୍ବରୁ ଅନେକ ଥର ଜିଲ୍ଲାରେ ଘଟିଛି । ଏପରିକି ଏଭଳି ଜଘନ୍ୟ ଅପରାଧରେ ସମ୍ପୃକ୍ତ ମହିଳାମାନେ ନିଜର କ୍ଷୀର ପାନ କରୁଥିବା ଛୋଟ ଛୋଟ ଶିଶୁଙ୍କୁ ଧରି ଜେଲ ଯାଇଛନ୍ତି । ତେଣୁ ମା’କ୍ଷୀର ପିଉଥିବା ଶିଶୁ ମା’ ସହିତ ଜେଲ ଯିବା ଆଇନରେ ବ୍ୟବସ୍ଥା ରହିଥିବା ସୂଚନା ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com