BUDHA-MANDIR--rayapur-re-satyagraha-pain-mahanadi-banchao-andolan-pakhyaru-prastutee-baithak---(2)

୨୧ରୁ ରାୟପୁରରେ ସତ୍ୟାଗ୍ରହ

38

ମହାନଦୀ ବଞ୍ଚାଅ ଆନେ୍ଦାଳନର ନିଷ୍ପତ୍ତି
ଭୁବନେଶ୍ୱର, (ବୁ୍ୟରୋ): ମହାନଦୀ ବଞ୍ଚାଅ ଆନେ୍ଦାଳନ ତରଫରୁ ଛତିଶଗଡ଼ର ରାୟପୁରଠାରେ ଆସନ୍ତା ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସତ୍ୟାଗ୍ରହ ଓ ଆନେ୍ଦାଳନ କରିବା ପାଇଁ ବୁଧବାର ବୁଦ୍ଧମନ୍ଦିରରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଜଳମାନବ ରାଜେନ୍ଦ୍ର ସିଂ ଯୋଗଦେଇ ରାୟପୁରଠାରେ ସତ୍ୟାଗ୍ରହକରି ସ୍ଥାନୀୟ ସରକାର ଓ ଜନସାଧାରଣଙ୍କୁ ସଚେତନ କରିବାକୁ ମହାନଦୀ ବଞ୍ଚାଅ ଆନେ୍ଦାଳନ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପଦକ୍ଷେପକୁ ସ୍ୱାଗତ କରିବା ସହିତ ସାରା ଭାରତବର୍ଷର ସମସ୍ତ ସାମାଜିକ କର୍ମୀଙ୍କୁ ଏହି ଆନେ୍ଦାଳନରେ ସାମିଲ କରି ଏହାକୁ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବାକୁ ନିଜର ସମ୍ମତି ପ୍ରକାଶ କରିଛନ୍ତି । ଗତ ମାସରେ ତିନି ଦିନ ଧରି ବୈଦେଶ୍ୱରଠାରୁ ସିଧାମୂଳା ପର୍ଯ୍ୟନ୍ତ ହୋଇଥିବା ଜଳସଂପଦ ପଦଯାତ୍ରାକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଅଭୂତପୂର୍ବ ସମର୍ଥନ ଦେଇଥିଲେ । ଦିଲ୍ଲୀରେ ହୋଇଥିବା ସତ୍ୟାଗ୍ରହ ପରି ରାୟପୁରରେ ହେବାକୁ ଥିବା ଏହି ସତ୍ୟାଗ୍ରହକୁ ଆହୁରି ଜୋରଦାର କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଦିଲ୍ଲୀରେ ସୁରକ୍ଷା ଦୃଷ୍ଟିରୁ ସତ୍ୟାଗ୍ରହୀମାନଙ୍କୁ ତମ୍ବୁରେ ରାତିରେ ରହିବାର ସ୍ୱୀକୃତି ନଥିବାରୁ ସେମାନେ ବାହାରେ ରହୁଥିଲେ । କିନ୍ତୁ ରାୟପୁରଠାରେ ତିନିଦିନ ଧରି ସତ୍ୟାଗ୍ରହୀମାନେ ଦିନରାତି ଧାରଣାସ୍ଥଳରେ ହିଁ ରହିବେ । ଆସନ୍ତା ୨୦ ତାରିଖ ଦିନ ୪ଟାବେଳେ ୨୦୦ ଜଣ ସତ୍ୟାଗ୍ରହୀ ଏବଂ ଓଡ଼ିଶାର ପ୍ରତ୍ୟେକ ରାଜନୈତିକ ଦଳର ନେତୃବୃନ୍ଦ ଓ ବୁଦ୍ଧିଜୀବୀଙ୍କୁନେଇ ଏକ ସଭା ଭୁବନେଶ୍ୱର ରେଳଷ୍ଟେସନଠାରେ ଅନୁଷ୍ଠିତ ହେବ । ବିଶିଷ୍ଟ ବ୍ୟକ୍ତିମାନେ ସେଠାରେ ଉପସ୍ଥିତ ରହି ସତ୍ୟାଗ୍ରହୀମାନଙ୍କୁ ଉତ୍ସାହିତ କରିବେ । ସେହିଦିନ ସନ୍ଧ୍ୟାରେ ଇଣ୍ଟରସିଟି ଏକ୍ସପ୍ରେସରେ ସତ୍ୟାଗ୍ରହୀମାନେ ଯାଇ ତା’ପରଦିନ ସକାଳେ ରାୟପୁରଠାରେ ପହଞ୍ଚି ସତ୍ୟାଗ୍ରହ ଆରମ୍ଭ କରିବେ ବୋଲି ସୂଚନା ଦିଆଯାଇଛି । ଏଠାରେ ସୂଚନାଥାଉକି, ଛତିଶଗଡ଼ ସରକାର ମହାନଦୀରେ ଏବଂ ମହାନଦୀ ଉପରମୁଣ୍ଡରେ ଥିବା ନଦୀମାନଙ୍କରେ କରିଥିବା ବଡ଼ବଡ଼ ବ୍ୟାରେଜକୁ ସେଠାକାର ଜନସାଧାରଣ ମଧ୍ୟ ବିରୋଧ କରୁଛନ୍ତି । କାରଣ ବ୍ୟାରେଜର ପାଣିକୁ ସେଠାକାର ସରକାର ନା ପାନୀୟ ଜଳ ନା ଚାଷକୁ ଯୋଗାଉଛନ୍ତି । କେବଳ ଶିଳ୍ପ ପାଇଁ ବଡ଼ ବଡ଼ ପମ୍ପ ଜରିଆରେ ପାଣିକୁ ଟାଣି ନେଉଛନ୍ତି । ଏହାଫଳରେ ସ୍ଥାନୀୟ ଅଞ୍ଚଳର ଜଳସ୍ତର କମିବା ସହିତ ଚାଷ ଏବଂ ଜୈବ ବିବିଧତା ଉପରେ ଯଥେଷ୍ଟ ପ୍ରଭାବ ପକାଉଛି । ସଙ୍ଗଠନ ଏହିସବୁ କଥାକୁ ସତ୍ୟାଗ୍ରହ ମାଧ୍ୟମରେ ସେଠାକାର ସରକାର ଓ ଜନସାଧାରଣଙ୍କୁ ଶାନ୍ତି ଉପାୟରେ ସଚେତନତାର ବାର୍ତ୍ତା ଦେବାପାଇଁ ଏହି ପଦକ୍ଷେପ ନେଇଥିବା କୁହାଯାଇଛି । ସଂଗଠନର ଉପଦେଷ୍ଟା ଲଳିତମୋହନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଆବାହକ ସୁଦର୍ଶନ ଦାସ ରାୟପୁରର ଏହି ଆନେ୍ଦାଳନକୁ ଜୋରଦାର କରିବାକୁ ସମସ୍ତ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋଇ, ବିଜୟ ପ୍ରଧାନ, ମନୋଜ ଜେନା, ନିରୋଦ ଖୁଣ୍ଟିଆ, ପ୍ରବାସିନୀ ରାଉତ ପ୍ରମୁଖ ସତ୍ୟାଗ୍ରହ ବାବଦରେ ନିଜର ମତବ୍ୟକ୍ତ କରିଥିଲେ । ଖଣ୍ଡପଡ଼ା, କଣ୍ଟିଲୋ, ବୈଦେଶ୍ୱର, ଭାପୁର, ଜଗତସିଂହପୁର, ଖୋର୍ଦ୍ଧା, ଚିଲିକା ଆଦି ଅଞ୍ଚଳରୁ ବହୁ ଜଳସେବକ ବୈଠକରେ ଯୋଗଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com