କେଉଁଠି ହସ ତ କେଉଁଠି ଗୁମ୍ସୁମ୍

25

ବାହାରିଲା ମାଟ୍ରିକ ଫଳ
ଭୁବନେଶ୍ୱର,୬ା୫(ବୁ୍ୟରୋ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି । ମାଟ୍ରିକ ଫରୀକ୍ଷା ଫଳ ବାହାରିବା ନେଇ ଛାତ୍ରଛାତ୍ରୀଙ୍କ ମନରେ ଥିବା ପ୍ରତୀକ୍ଷାର ଅବସାନ ହୋଇଛି । ଏହି ପରୀକ୍ଷା ଜୀବନରେ ଆଗକୁ ବଢିବାର ଏକ ସେପାନ ପାଲଟିଥିବା ବେଳେ ଏହି ପରୀକ୍ଷା ଫଳ ବାହାରିବା ନେଇ ଅଧିକାଂଶ ଛାତ୍ରଛାତ୍ରୀ ଚିନ୍ତିତ ଥିଲେ । ଏହି ଫଳ କାହା ପାଇଁ ଖୁସିର ଖୋରାକ୍ ଯୋଇଥିବା ବେଳେ କାହାପାଇଁ ଦୁଃଖ ଆଣିଦେଇଛି । ଭଲ ମାର୍କ ନ ରହିଲେ ଭଲ କଲେଜର ସୁଯୋଗ ମିଳିବନି । ଏଥିପାଇଁ ଯାହାର ଖରାପ ମାର୍କ ରହିଛି ତା ମନ ପୁରା ଖଟା । ମାତ୍ର ପରୀକ୍ଷା ଫଳ ବାହାରିବା ପରେ ବିଦ୍ୟାର୍ଥୀଙ୍କ ଠାରୁ ଅଧିକ ଚିନ୍ତିତ ସେମାନଙ୍କ ଅଭିଭାବକ । କଣ ବିଷୟ ନେଇ ପଢିବେ କଉଁ କଲେଜରେ ପଢିବେ । ନିଜ ପସନ୍ଦର କଲେଜ ମିଳିବ କି ନାହିଁ ସେ ନେଇ ଆକଳନ ଆରମ୍ଭ କରିଦେଲେଣି । କେତେକ ବିଦ୍ୟାର୍ଥୀ ମାର୍କ ନେଇ କେଉଁ କଲେଜରେ ପଢିବେ ବୋଲି ଆକଳନ କରୁଥିବା ବେଳେ ଆଉ କେତେକ ଖରାପ ମାର୍କ ଯୋଗୁ ରି ଚେକିଂ କରିବା ପାଇଁ ଆବେଦନ ପାଇଁ ପ୍ରସ୍ତୁତ ହେଲେଣି ।
ମାଟ୍ରିକ ପରୀକ୍ଷାଫଳ ଆଜି ଅପରାହ୍ଣ ୨ଟାରୁ ୱେବ୍‍ସାଇଟ୍‍ରେ ଉପଲବ୍ଧ ହୋଇଥିଲା । ଛାତ୍ରଛାତ୍ରୀ ଫଳ ଜାଣିବା ପାଇଁ ବିଭିନ୍ନ ଇଣ୍ଟରନେଟ୍‍ କାଫେରେ ଭିଡ଼ ଲଗାଇଥିଲେ । ଏପରିକି ମୋବାଇଲ୍‍ ଇଣ୍ଟରନେଟ୍‍ରେ ସେମାନେ ନିଜର ପରୀକ୍ଷାଫଳ ସହଜରେ ପାଇପାରିଥିଲେ । ଭୁବନେଶ୍ୱର ଜୋନ୍‍ର ପରୀକ୍ଷାଫଳ ଉତ୍ସାହଜନକ ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର ଜୋନ୍‍ରୁ ୭୬.୩୮% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରୁ ସର୍ବାଧିକ ୭୮.୩୭% ଛାତ୍ରଛାତ୍ରୀ ପାସ୍‍ କରିଛନ୍ତି । ନୟାଗଡ଼ ଜିଲ୍ଲାରେ ୧୩,୭୯୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦,୭୮୯ ପାସ୍‍ କରିଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୭୭.୧% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୨୮,୦୭୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ୨୧,୬୩୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପୁରୀ ଜିଲ୍ଲାରୁ ୭୩.୬୮% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପୁରୀ ଜିଲ୍ଲାରୁ ୨୪,୫୬୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୮,୦୭୭ଜଣ ଛାତ୍ରଛାତ୍ରୀ ପାସ୍‍ କରିଛନ୍ତି ।
ରାଜଧାନୀର ୟୁନିଟ୍‍ ୧ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୬ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୨ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ୟୁନିଟ୍‍ ୬ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୬ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୭ଜଣ ପାସ୍‍ କରିଛନ୍ତି । ନୀଳାଦ୍ରବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୧୯୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୯୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପୂର୍ବରୁ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପରେ ସ୍କୁଲଗୁଡ଼ିକ ଚଳଚଞ୍ଚଳ ହୋଇ ଉଠୁଥିବାବେଳେ ଏବେ କିନ୍ତୁ ସବୁଠି ନିରବତା ଦେଖିବାକୁ ମିଳିଥିଲା । ଅଧିକାଂଶ ସ୍କୁଲର ଫାଟକରେ ତାଲା ପଡ଼ିଥିଲା । ସ୍କୁଲ ପରିସରରେ ଶିକ୍ଷକ କିମ୍ବା ଛାତ୍ରଛାତ୍ରୀ କେହି ନଥିଲେ । ଇଣ୍ଟରନେଟ୍‍ରେ ପରୀକ୍ଷାଫଳ ସହଜରେ ଉପଲବ୍ଧ ହେଉଥିବାରୁ ସ୍କୁଲକୁ ଛାତ୍ରଛାତ୍ରୀ ଆସିନଥିବା କେତେକ ଶିକ୍ଷକ ପ୍ରକାଶ କରିଥିଲେ ।




Powered by odothemes.com