ପଦ୍ମ ଭୂଷଣ ପାଇଁ ସିନ୍ଧୁଙ୍କ ନାମ ସୁପାରିସ | ସର୍ବସାଧାରଣ ଖବରକାଗଜ
dc-Cover-52ativoce7hicsrijud8rov0p3-20160831021613.Medi

ପଦ୍ମ ଭୂଷଣ ପାଇଁ ସିନ୍ଧୁଙ୍କ ନାମ ସୁପାରିସ

30

ନୂଆଦିଲ୍ଲୀ, ୨୫ା୯ (ଏଜେନ୍ସି): କ୍ରୀଡ଼ା ମନ୍ତ୍ରଣାଳୟ ସୋମବାର ପଦ୍ମ ଭୂଷଣ ସମ୍ମାନ ପାଇଁ ଅଲିମ୍ପିକ୍ ରୌପ୍ୟପଦକଧାରିଣୀ ବ୍ୟାଡ୍ମିଣ୍ଟନ୍ ଖେଳାଳି ପିଭି ସିନ୍ଧୁଙ୍କ ନାମ ସୁପାରିସ କରିଛି । ମନ୍ତ୍ରଣାଳୟର ଜନୈକ ଅଧିକାରୀ ଏହି ସୂଚନା ଦେଇଛନ୍ତି । ରିଓ ଅଲିମ୍ପିକ୍ରେ ରୌପ୍ୟପଦକ ଜିତିବା ପରଠାରୁ ସିନ୍ଧୁ ଉଲ୍ଲେଖନୀୟ ପ୍ରଦର୍ଶନ କରିଆସୁଛନ୍ତି । ହାଇଦ୍ରାବାଦର ଏହି ୨୨ ବର୍ଷୀୟା ଖେଳାଳି ୨୦୧୬ରେ ଚାଇନା ଓପନ୍ ସୁପର୍ ସିରିଜ୍ ପ୍ରିମିଅର୍, ଇଣ୍ଡିଆ ଓପନ୍ ସୁପର୍ ସିରିଜ୍ ଟାଇଟଲ୍ ଜିତିବା ସହ ବିଶ୍ୱ ବ୍ୟାଡ୍ମିଣ୍ଟନ୍ ଚାମ୍ପିଅନ୍ସିପ୍ରେ ରୌପ୍ୟପଦକ ମଧ୍ୟ ଜିତିଥିଲେ । ଏହାଛଡ଼ା କୋରିଆ ଓପନ୍ ଜିତି କ୍ୟାରିଅର୍ର ତୃତୀୟ ସୁପର୍ ସିରିଜ୍ ଟାଇଟଲ୍ ହାତେଇଥିଲେ । ତିନିଥର ମାକାଉ ଓପନ୍ ଜିତିଥିବା ସିନ୍ଧୁ ୨୦୧୭ରେ ସୟଦ ମୋଦି ଗ୍ରାଁ ପ୍ରି ଗୋଲ୍ଡ ଟାଇଟଲ୍ ମଧ୍ୟ ପାଇଥିଲେ । ସେ ଗତ ଏପ୍ରିଲ୍ରେ ନିଜ କ୍ୟାରିଅର୍ର ସର୍ବଶ୍ରେଷ୍ଠ ଦ୍ୱିତୀୟ ମାନ୍ୟତା ଲାଭ କରିଥିଲେ । ଗତ ସପ୍ତାହରେ ସେ ପୁଣି ଏହି ସ୍ଥାନରେ ପହଞ୍ଚିଛନ୍ତି । ଏତଦ୍ଭିନ୍ନ ସିନ୍ଧୁ ୨୦୧୩ ଓ ୨୦୧୪ରେ ବିଶ୍ୱ ବ୍ୟାଡ୍ମିଣ୍ଟନ୍ ଚାମ୍ପିଅନ୍ସିପ୍ରେ କାଂସ୍ୟପଦକ ଜିତିଥିଲେ । ଏହାଛଡ଼ା ୨୦୧୪ରେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟପଦକ ପାଇଥିଲେ । ୨୦୧୫ରେ ସିନ୍ଧୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ ହୋଇଥିଲେ ।

କୃତଜ୍ଞତା ଜଣାଇଲେ ସିନ୍ଧୁ
ଦେଶର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣ ପାଇଁ ସୁପାରିସ କରାଯାଇଥିବାରୁ ତାରକା ସଟ୍ଲର୍ ପିଭି ସିନ୍ଧୁ ସୋମବାର କ୍ରୀଡ଼ା ମନ୍ତ୍ରଣାଳୟ ନିକଟରେ କୃତଜ୍ଞତା ଜଣାଇଛନ୍ତି । ସିନ୍ଧୁଙ୍କ ଛଡ଼ା ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନାମ ମଧ୍ୟ ପଦ୍ମ ଭୂଷଣ ପାଇଁ ପ୍ରସ୍ତାବ ଦିଆଯାଇଛି । ସିନ୍ଧୁ ଫୋନ୍ ଯୋଗେ ଏକ ବିବୃତିରେ କହିଛନ୍ତି ଯେ ତାଙ୍କ ନାମ ପଦ୍ମ ଭୂଷଣ ପାଇଁ ପ୍ରସ୍ତାବ ଦିଆଯାଇଥିବାରୁ ସେ ଖୁବ୍ ଖୁସି ଏବଂ ଏଥିପାଇଁ ସେ କ୍ରୀଡ଼ା ମନ୍ତ୍ରଣାଳୟ ନିକଟରେ କୃତଜ୍ଞ ।




Powered by odothemes.com