dhana-chasa___DERABISH

ବିଲ ଫାଟି ଆଁ କଲାଣି, ଚିନ୍ତାରେ ଚାଷୀ

34

କେନାଲରେ ପାଣି ନାହିଁ
ଡେରାବିଶ (ଆପ୍ର): ମୁଣ୍ଡଝାଳ ତୁଣ୍ଡରେ ମାରି ଧାର ଉଧାର କରି ଚାଷୀ ଆଶାବାନ୍ଧିଥିଲେ ଭଲଧାନ ଅମଳ ହେଲେ ଦୁଇପାଦ ଆଗକୁ ବଢିବେ । ଡେରାବିଶ ବ୍ଲକରେ ଧାନଚାଷ ପାଇଁ ବର୍ତ୍ତମାନ ସମସ୍ୟା ହେଉଛି ପାଣି । କେନାଲରେ ଆବଶ୍ୟକ ପରିମାଣର ପାଣି ନଥିବାରୁ ବିଲ ଫାଟି ଆଁ କଲାଣି । ଫଳରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ଜଳସଂପଦ ବିଭାଗ କେନାଲରେ ପାଣି ଦେବାକୁ ଡେରି କରିଥିଲେ ସୁଦ୍ଧା ବର୍ଷା ହେବାରୁ କୃଷକମାନେ ହଳ କରିବା ସହିତ ତଳିଘେରା ପକାଇ ଧାନ ରୋଇଥିଲେ । ଚଳିତ ବର୍ଷ ବର୍ଷା ଠିକ ପରିମାଣର ହେବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ଚାଷୀମାନଙ୍କ ପାଇଁ ଶୁଭ ଖବର ଥିଲା । ଏବେ ଧାନ ବଢିବା ଓ ଏହାକୁ ବଛାବଛି କରିବାର ବେଳ ଆସି ଯାଇଥିବା ବେଳେ ପ୍ରକୃତି ଚାଷୀଙ୍କ ଉପରେ ଦାଉ ସାଧୁଛି । ବର୍ଷାକୁ ଚାହିଁଚାହିଁ ଚାଷୀ ଚିନ୍ତିତ ଥିବା ବେଳେ ଜଳସଂପଦ ବିଭାଗ ମଧ୍ୟ ବହୁ କମ ପାଣି ଛାଡ଼ୁ ଥିବାରୁ ଏହା ଢିପ କିମ୍ବା ଶେଷ ମୁଣ୍ଡରେ ପହଞ୍ଚô ପାରି ନଥିବାରୁ ଡେରାବିଶ ଅଂଚଳରେ ସମସ୍ୟା ଉତ୍କଟ ରୁପ ଧାରଣ କରିବାରେ ଲାଗିଛି । ଫଳରେ ବହୁ ଜମି ଫାଟି ଆଁ କରିଥିବା ବେଳେ ଧାନ ଗଛ ହଳଦିଆ ପଡ଼ିଥିବା ଓ ପୋକ ଲାଗିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ବହୁ ସ୍ଥାନରେ ଚାଷୀ ପାଣିପମ୍ପ ସାହାଯ୍ୟରେ ବିଲରେ ପାଣି ମଡ଼ାଉଥିବା ଦେଖାଯାଇଛି । ଏହି ପରିସ୍ଥିତି ଲାଗି ରହିଲେ ଆଉ ଅଳ୍ପ ଦିନ ମଧ୍ୟରେ ଧାନ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯିବାର ଆଶଙ୍କା ସୃଷ୍ଟି ହୋଇଛି । ଧାରକରଜ କରି ବହୁ କଷ୍ଟରେ କରାଯାଇଥିବା ଧାନ ଯଦି ନଷ୍ଟ ହୋଇଯାଏ ତେବେ ଚାଷୀଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିବ । ଏହାର ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ କେନ୍ଦ୍ରାପଡା ଚାଷୀମୂଲିଆ ସଂଘର ସଭାପତି କୃତିବାସ ଦାସଙ୍କ ସମେତ ଅଗ୍ରଣୀ ଚାଷୀ ତ୍ରିଲୋଚନ ରାଉତ, ବ୍ରହ୍ମାନନ୍ଦ ମଲିକ, କରୁଣାକର କର, ସେକ ରିୟାସତ, ଦୟାନିଧି ସେଠି ପ୍ରମୁଖ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com