18-VANI-VIHAR-SAIINDAI-(6)

ନିର୍ବାଚନ ବାତିଲ

45

ବାଣୀବିହାର ସାଇନ୍-ଏ-ଡାଏ
ଭୁବନେଶ୍ୱର, ୧୮ା୯(ବୁ୍ୟରୋ): ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଣୀବିହାରରେ ଉତ୍ତେଜନା ପରେ କ୍ୟାମ୍ପସ୍କୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସାଇନ୍-ଏ-ଡାଏ ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଏଥିସହ ଚଳିତ ବର୍ଷ ନିର୍ବାଚନକୁ ମଧ୍ୟ ବାତିଲ କରିଦିଆଯାଇଛି । ସନ୍ଧ୍ୟା ୬ଟା ସୁଦ୍ଧା ସମସ୍ତ ହଷ୍ଟେଲକୁ ଖାଲି କରିଦିଆଇଛି । ବାଣୀବିହାର ପରିସରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଫେରାଇଆଣିବା ପାଇଁ ନିର୍ବାଚନକୁ ବାତିଲ କରାଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ସାଇନ୍-ଏ-ଡାଏ ଲାଗୁ ନେଇ ନୋଟିସ୍ ବାହାରିବା ପରେ ସୋମବାର ସକାଳେ ଗୋଟିଏ ଛାତ୍ରଗୋଷ୍ଠୀ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ନିଷ୍ପତ୍ତିର ପୁନଃବିଚାର ଦାବିରେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଧାରଣାରେ ବସିଥିଲେ । ଏହି ଘଟଣା ପରେ ପୁରା କ୍ୟାମ୍ପସକୁ ପୁଲିସ ଛାଉଣୀ କରିଦିଆଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କ୍ୟାମ୍ପସରେ ୪ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ମୁଖ୍ୟ ଫାଟକ ସମ୍ମୁଖରେ ଏବେ ମଧ୍ୟ ୧୪୪ଧାରା ଜାରି ରହିଛି । ଛାତ୍ର ସଂସଦ ନିର୍ବାଚନ ପାଇଁ ଶନିବାର ଉକ୍ରଳ ବିଶ୍ୱବିଦ୍ୟାଳୟରେ ଶାନ୍ତିଶୃଙ୍ଖଳାର ସହ ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ହେଲେ ଶନିବାର ରାତିରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଟକ୍କରା ଟକ୍କରୀ ପରେ ଆରମ୍ଭ ହୋଇଥିଲା ଉତ୍ତେଜନା । ଏହାପରେ ରଣକ୍ଷେତ୍ର ପାଲଟିଯାଇଥିଲା କ୍ୟାମ୍ପସ୍ । ପୁଲିସ୍ ସମ୍ମୁଖରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ପରେ ବିଶ୍ୱବିଦ୍ୟାଳୟ ପରିସର ଥରିଉଠିଥିଲା । କୁଳପତିଙ୍କ କାର୍ଯ୍ୟାଳୟ, ଲେଡିଜ୍ ହଷ୍ଟେଲ, ଆବାସିକ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ କରି ୧୦ଟି ବୋମା ଫୁଟିଥିଲା । ଅଶାନ୍ତ ହୋଇଉଠିଥିଲା ବାଣୀବିହାର । ଯାହାକୁ ଦେଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି । ସୋମବାର ସକାଳୁ କ୍ୟାମ୍ପସ୍କୁ ସାଇନ୍-ଏ-ଡାଏ ଘୋଷଣା କରାଯାଇଥିଲା । ନୋଟିସ୍ ବାହାରିବେ ପରେ ପୁଣି ତେଜିଥିଲା ଅସନ୍ତୋଷ । ନିର୍ବାଚନ ବାତିଲକୁ ବିରୋଧ କରି ଗୋଟିଏ ଛାତ୍ରଗୋଷ୍ଠୀ କୁଳପତିଙ୍କୁ ଘେରିଥିଲେ । ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ଟାୟାର ଜାଳି ବିକ୍ଷୋଭ କରିଥିଲେ । ଏଥିସହ ନିଷ୍ପତ୍ତିର ପୁର୍ନବିଚାର ଦାବିରେ ଦୀର୍ଘ ସମୟ ଯାଏଁ ଧାରଣାରେ ବସିରହିଥିଲେ । କୁଳପତି କୌଣସି ଛାତ୍ରଗୋଷ୍ଠୀଙ୍କ ସହ ଆଲୋଚନା ନକରି ନିର୍ବାଚନକୁ ବନ୍ଦ କରିଦେଇଥିବା ଆନେ୍ଦାଳନରତ ଛାତ୍ରଛାତ୍ରୀ କହିଛନ୍ତି । ତେବେ ଆନେ୍ଦାଳନ ଛାତ୍ରଛାତ୍ରୀଙ୍କୁ ଘଉଡାଇବାକୁ ପୁଲିସ୍କୁ ନାକେଦମ୍ ହେବାକୁ ପଡ଼ିଥିଲା । ଅନ୍ୟପଟେ କ୍ୟାମ୍ପସ୍ରେ ବିଶୃଙ୍ଖଳା ବୃଦ୍ଧି ପାଉଛି । ନିର୍ବାଚନ ହେଲେ ଆହୁରି ବିଶୃଙ୍ଖଳା ବୃଦ୍ଧି ପାଇବ । ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଫେରାଇଆଣିବା ପାଇଁ ନିର୍ବାଚନକୁ ବାତିଲ କରାଯାଇଥିବା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ଉପଦେଷ୍ଟା ପ୍ରଫେସର ଜୟନ୍ତ ପରିଡ଼ା କହିଛନ୍ତି । ତେବେ ନିଷ୍ପତ୍ତିର ପୁର୍ନବିଚାର ନେଇ କୌଣସି ସମ୍ଭାବନା ନଥିବା ଜଣାପଡ଼ିଛି । ଅନ୍ୟପଟେ କ୍ୟାମ୍ପସ୍ରେ ସାଇନ୍-ଏ-ଡାଏ ଘୋଷଣା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସ୍କୁ ପୁଲିସ୍କୁ ହସ୍ତାନ୍ତର କରିଛନ୍ତି । ୪ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହ ପୁରା କ୍ୟାମ୍ପସ୍କୁ ପୁଲିସ୍ ଛାଉଣିରେ ରଖାଯାଇଛି । ସନ୍ଧ୍ୟା ସୁଦ୍ଧା ବିଶ୍ୱବିଦ୍ୟାଳୟରେ ଥିବା ସମସ୍ତ ହଷ୍ଟେଲକୁ ଖାଲି କରିଦିଆଯାଇଛି । ଏବେ ମଧ୍ୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ୧୪୪ ଧାରା ଜାରି ରହିଛି । କ୍ୟାମ୍ପସ୍ ଭିତରକୁ ଯିବାକୁୁ କାହାରିକୁ ଅନୁମତି ଦିଆଯାଉନାହିଁ । ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କୁ ଯାଞ୍ଚ ପରେ ଭିତରକୁ ଛଡ଼ାଯାଉଛି ।

ସେଆର କରନ୍ତୁ:



Powered by odothemes.com