gunupur-Bansadhara-barej

ରାୟ ପରେ ଓଡ଼ିଶା ପାଇଁ ବିକଳ୍ପ ‘ପାଣି ଡଙ୍ଗର ପ୍ରକଳ୍ପ’

27

ବଂଶଧାରା ନଦୀଜଳ ବିବାଦ
ଗୁଣପୁର (ଅଜିତ୍ ମହାନ୍ତି): ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ନଦୀ ବଂଶଧାରା । ରାୟଗଡ଼ା, ଗଜପତି ତଥା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍, ପାର୍ବତୀପୁରମ୍ ପ୍ରଭୃତି ଜିଲ୍ଲାର ଜୀବନରେଖା ଏହି ନଦୀ । ଦୀର୍ଘ ଏକ ଦଶନ୍ଧି ଧରି ବଂଶଧାରା ନଦୀଜଳ ବିବାଦକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି । ଏହି ଜଳ ବିବାଦ ଉଚ୍ଚ ନ୍ୟାୟାଳୟରୁ ଯାଇ ଉଚ୍ଚତମ ନ୍ୟାୟାଳୟ, ଟି୍ରବୁ୍ୟନାଲ୍ ପର୍ଯ୍ୟନ୍ତ ପହଞ୍ଚିଛି । ଦୀର୍ଘବର୍ଷ ପରେ ବଂଶଧାରା ଟି୍ରବୁ୍ୟନାଲ୍ ରାୟ ପ୍ରକାଶ କରିଛନ୍ତି । ଏହି ରାୟ ଏକ ପାଖିଆ ଭାବେ ଆନ୍ଧ୍ରକୁ ସୁହାଉଥିବା ବେଳେ ଓଡ଼ିଶାକୁ ଶକ୍ତ ଧକ୍କା ଲାଗିଛି । ନେରେଡ଼ି ଓ କ୍ରାଟ୍ରାଗଡ଼ ଠାରେ ଆନ୍ଧ୍ର ସରକାର ନିର୍ମାଣ କରୁଥିବା କେନାଲ ଓ ବ୍ୟାରେଜ୍ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଏହି ରାୟରେ କୁହାଯାଇଛି । ଏହାକୁ ନେଇ ଏବେ ବଂଶଧାରା ତଟରେ ଥିବା କାଶୀନଗର, ଗୁଣପୁର, ଗୁଡ଼ାରୀ, କାଟ୍ରାଗଡ଼, ଜଗନ୍ନାଥପୁର ଭଳି ଅନେକ ଗ୍ରାମ ଓ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଆମ ରାଜ୍ୟ ସରକାରଙ୍କ ପାଇଁ ଏବେ ଗୋଟିଏ ମାତ୍ର ବିକଳ୍ପ ରହିଛି ତୁରନ୍ତ ପାଣିଡ଼ଙ୍ଗର ପ୍ରକଳ୍ପ କାର୍ଯ୍ୟକାରୀ କରିବା । ‘ଯେସାକୁ ତେସା’ ନ୍ୟାୟରେ ବଂଶଧାରା ଉପରମୁଣ୍ଡ ଗୁଡ଼ାରୀ ପାଣିଡ଼ଙ୍ଗର ଠାରେ ଏହି ପ୍ରକଳ୍ପକୁ ନିର୍ମାଣ କରାଯାଇପାରିଲେ ଚାଷୀ, ଚାଷ, ଜଳସେଚନ ସବୁ କ୍ଷେତ୍ରରେ ଲାଭବାନ୍ ହୋଇପାରିବ ଓଡ଼ିଶା । ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା ଗୁଣପୁର ଗସ୍ତରେ ଆସିବା ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ଏହି ପ୍ରକଳ୍ପ ନିର୍ମାଣ ପାଇଁ ସ୍ମାରକପତ୍ର ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭ ଦିଆଯିବା ନେଇ ମଧ୍ୟ ସଚିବ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପକ୍ଷେ ଗୁଣପୁର ନବ ନିର୍ମାଣ ସମିତି, ଗୁଣପୁର ଉନ୍ନୟନ ପରିଷଦ, ଓକିଲ ସଂଘ, ତଟବର୍ତ୍ତୀ ବାସିନ୍ଦା ଆନେ୍ଦାଳନ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି । ଉତ୍ତର-ପଶ୍ଚିମ ଘାଟ ପର୍ବତମାଳାରୁ ବଂଶଧାରା ନଦୀର ସୃଷ୍ଟି । ଏହାର ଦୈର୍ଘ୍ୟ ମୋଟ ୨୬୫ କି.ମି.ରୁ ୧୮୫ କି.ମି. ଓଡ଼ିଶାରେ ପ୍ରବାହିତ । ଆନ୍ଧ୍ରର କଳିଙ୍ଗପାଟଣା ଠାରେ ବଙ୍ଗୋପସାଗରରେ ପଡ଼ିଛି । ସୂଚନାନୁଯାୟୀ, ୧୯୩୮, ୧୯୫୨, ୧୯୭୨ ଓ ୧୯୮୦ ମସିହାରେ ବଂଶଧାରାରେ ଭୟଙ୍କର ବନ୍ୟା ଆସି ତଟବର୍ତ୍ତୀ ଅଞ୍ଚଳକୁ ସମ୍ପୂର୍ଣ୍ଣ ଲୀନ କରିଦେଇଥିଲା । ଆନ୍ଧ୍ର ପକ୍ଷରୁ ବଂଶଧାରା ତଳ ମୁଣ୍ଡରେ ନିର୍ମାଣ କରାଯାଇଥିବା ବ୍ୟାରେଜ୍ ଯୋଗୁଁ ଏଭଳି କ୍ଷୟକ୍ଷତି ହୋଇଥିଲା । ୧୯୮୦ରେ ଗୁଣପୁର ବ୍ଲକର ବିକ୍ରମପୁର, ଗାଦିଆଖଳା, ପ୍ରଧାନୀଗୁଡ଼ା, ତୁର୍କାନୀଗୁଡ଼ା, ଜଗନ୍ନାଥପୁର, ବିଜୟପୁର, ଲିମାମେଡ଼ା, ଚାଲକମ୍ବା, ଗୁଣପୁର ସହର ସମେତ କାଶୀନଗର ବ୍ଲକର ସାରା, ବାଡ଼ିଗାଁ, ପାଲ୍ସିଂ, ଗାଣ୍ଡବା ଭଳି ୭୦ରୁ ଊଦ୍ଧ୍ୱର୍ ଗ୍ରାମ କ୍ଷତିଗ୍ରସ୍ତ ହୋଇଥିଲା । ଏହି ପ୍ରଳୟଙ୍କରୀ ବନ୍ୟା ପରେ ୧୯୫୦ରେ ଗୁଡ଼ାରୀ ନିକଟସ୍ଥ ପାଣିଡ଼ଙ୍ଗର ଠାରେ ବନ୍ଧ ନିର୍ମାଣ ପାଇଁ ସର୍ଭେ କରାଯାଇଥିଲା । ଆନ୍ଧ୍ରର ଜଳସମ୍ପଦ ଯନ୍ତ୍ରୀମାନେ ଗୁଣପୁର ଠାରେ ପ୍ରକଳ୍ପ କରିବା ପାଇଁ ସ୍ଥାନ ଚିହ୍ନଟ କରିଥିଲେ । ପରବର୍ତ୍ତୀ ସମୟରେ ଆନ୍ଧ୍ରର ନେରେଡ଼ି ଠାରୁ ପାଣି ଡଙ୍ଗର ପର୍ଯ୍ୟନ୍ତ ୨ଟି କେନାଲ ପାଇଁ ଯୋଜନା କରାଗଲା । ପରେ ୧୯୬୧ରେ ଓଡ଼ିଶା ଓ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ନେରେଡ଼ି ଠାରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇ ଓଡ଼ିଶାର ୧୦୬ ଏକର ଜମି ପ୍ରଦାନ କରାଯାଇଥିଲା । ୧୯୭୯ରେ ଗୋଟା ନାମକ ସ୍ଥାନରେ ଆନ୍ଧ୍ର ସରକାର ବ୍ୟାରେଜ୍ ନିର୍ମାଣ କରିଥିଲେ । ପୁଣି ନେରେଡ଼ି ପ୍ରକଳ୍ପ ଫେଜ୍-୧ ଓ କାଟ୍ରାଗଡ଼ରେ ଫେଜ୍-୨ ନାମରେ ପ୍ରକଳ୍ପ ଆନ୍ଧ୍ର ଦ୍ୱାରା ନିର୍ମାଣ କରାଗଲା । ଏହି ପ୍ରକଳ୍ପ ବିରୁଦ୍ଧରେ ବିଭିନ୍ନ ଗଣମାଧ୍ୟମରେ ଏହାର ଭୟଙ୍କର ପରିଣାମ ସମ୍ପର୍କରେ ଲେଖାମାନ ପ୍ରକାଶ ପାଇବା ପରେ ଓଡ଼ିଶା ସରକାର ଟି୍ରବୁ୍ୟନାଲ୍ ଗଠନ ପାଇଁ କେନ୍ଦ୍ର ଆଗରେ ଦାବି ରଖିଲେ । ଏଥିସହ ସୁପି୍ରମ୍କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ପରେ ଟି୍ରବୁ୍ୟନାଲ ୨୦୧୩ ଏପି୍ରଲ୍ ୨୩ରେ ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ କରିଥିଲେ ମଧ୍ୟ ଓଡ଼ିଶାରେ ପ୍ରଭାବିତ ଅଞ୍ଚଳ ବୁଲିନଥିଲେ । ଟି୍ରବୁ୍ୟନାଲର ରାୟ ବାହାରିବା ପୂର୍ବରୁ ଆନ୍ଧ୍ର ସରକାର ଏହି ପ୍ରକଳ୍ପର ପ୍ରାୟ ୭୦ ଭାଗ କାମ ସମ୍ପୂର୍ଣ୍ଣ କରିସାରିଥିଲା । ଏବେ ଯେଉଁ ରାୟ ବାହାରିଲା ତା’ ମଧ୍ୟ ଆନ୍ଧ୍ର ସରକାରଙ୍କ ସପକ୍ଷରେ । ଅନ୍ୟପକ୍ଷେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ନ କରିବାକୁ କୁହାଯାଇଛି । ତେବେ ଓଡ଼ିଶା ସରକାର ସଠିକ୍ ସମୟରେ କୌଣସି ଉପଯୁକ୍ତ ପଦକ୍ଷେପ ନନେବାରୁ ଏଭଳି ରାୟ ବାହାରିଥିବା ବୁଦ୍ଧିଜୀବୀମାନେ କହିଛନ୍ତି ।




Powered by odothemes.com